କରୋନାର ତୃତୀୟ ଲହର ହେବ ଆହୁରି ଭୟଙ୍କର, ୯୮ ଦିନ ଯାଏଁ ରଚିବ ସଂକ୍ରମଣ ଓ ମୃତ୍ୟୁର ତାଣ୍ଡବ !

Published By : Prameya-News7 Bureau | June 03, 2021 IST

ନୂଆଦିଲ୍ଲୀ, ୦୩/୦୬: ସାଙ୍ଘାତିକ ହେବ ତୃତୀୟ ଲହର । କୋଭିଡ ସଂକ୍ରମଣର ଦ୍ୱିତୀୟ ଲହର ଧୀରେ ଧୀରେ ଥମୁଥିବା ବେଳେ ତୃତୀୟ ଲହର ଭୟ ଘାରିବା ଆରମ୍ଭ କଲାଣି । ମହାମାରୀର ତୃତୀୟ ଲହର ଦ୍ୱିତୀୟ ଭଳି ଘାତକ ହେବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି ।ଏସବିଆଇ ଇକୋରାପ ରିପୋର୍ଟରେ ଏହି ଭୟଙ୍କର ଅନୁମାନ ଲଗାଯାଇଛି । ରିପୋର୍ଟ ଦର୍ଶାଇଛି ଯେ କରୋନା ସଂକ୍ରମଣର ତୃତୀୟ ଲହର କିଛି ଅଲଗା ହେବନାହିଁ । ବରଂ ପ୍ରାଣଘାତୀ ଦ୍ୱିତୀୟ ଲହର ଭଳି ଏହା ଦେଶବାସୀଙ୍କୁ ଅଣନିଃଶ୍ୱାସୀ କରିପକାଇବ । ଯଦି ଏହାର ମୁକାବିଲା ପାଇଁ ଭଲ ଭାବେ ପ୍ରସ୍ତୁତି କରାଯାଏ, ତେବେ ଏହି ଲହରରେ ମୃତ୍ୟୁକୁ କିଛି ପରିମାଣରେ କମାଯାଇ ପାରିବ । ଅନ୍ତର୍ଜାତୀୟ କରୋନା ଚିତ୍ରକୁ ବିଶେ୍‌ଳଷଣ କରି ଏସବିଆଇ ଏହି ରିପୋର୍ଟ ପ୍ରସ୍ତୁତ କରିଛି ।

ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ ପ୍ରମୁଖ ରାଷ୍ଟ୍ରଗୁଡ଼ିକରେ ତୃତୀୟ ଲହରର ହାରାହାରି ଅବଧି ୯୮ ଦିନ ରହିଥିଲା ଏବଂ ଦ୍ୱିତୀୟ ଲହରରେ ଏହା ୧୦୮ ଦିନ ଥିଲା । ତେଣୁ ଭାରତରେ ମଧ୍ୟ ଏହି ଚିତ୍ର ପ୍ରତିଫଳିତ ହେବା ନେଇ ଆଶଙ୍କା ରହିଛି ।ଭାରତରେ ଯଦି ଭଲ ଭାବେ ମୁକାବିଲା ପ୍ରସ୍ତୁତି କରାଯାଏ, ତେବେ ତୃତୀୟ ଲହରରେ ମୋଟ କରୋନା ମୃତ୍ୟୁକୁ ୪୦,୦୦୦କୁ ହ୍ରାସ କରାଯାଇ ପାରିବ । ସଂକଟାପନ୍ନ ମାମଲା ୫%କୁ କମାଯାଇ ପାରିଲେ, ଏହା ସମ୍ଭବ ହେବ । ଦ୍ୱିତୀୟ ଲହରରେ ୧.୭ ଲକ୍ଷ କରୋନା ମୃତ୍ୟୁ ସାମ୍ନାକୁ ଆସିଥିବା ଆକଳନ କରାଯାଇଛି । ଦ୍ୱିତୀୟ ଲହରରେ ଗୁରୁତର ମାମଲା ସଂଖ୍ୟା ମୋଟ ସଂକ୍ରମଣ ମାମଲାର ୨୦% ରହିଥିଲା । ତେଣୁ ମୃତ୍ୟୁ ଏତେ ପରିମାଣରେ ବଢ଼ିଯାଇଛି । ତୃତୀୟ ଲହରରେ ସଂକଟାପନ୍ନ ରୋଗୀ ସଂଖ୍ୟା କମାଯାଇ ପାରିଲେ, ମୃତ୍ୟୁକୁ ବି କମାଯାଇ ପାରିବ ।

କରୋନା ମୃତ୍ୟୁ ହ୍ରାସ ନିମନ୍ତେ ଭାରତର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରାଯିବା ଜରୁରି । ଏଥିସହ ଟିକାକରଣ ଅଭିଯାନକୁ ବ୍ୟାପକ କରାଯିବା ଆବଶ୍ୟକ । ବର୍ତ୍ତମାନ ସୁଦ୍ଧା ମାତ୍ର ୧୨.୩% ଲୋକ କୋଭିଡ ଟିକାର ଗୋଟିଏ ଡୋଜ ନେଇଛନ୍ତି । ୩.୨୭% ଲୋକଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇଛି । ଚଳିତବର୍ଷ ଜୁଲାଇ ମଧ୍ୟଭାଗ ଅଥବା ଅଗଷ୍ଟ ପ୍ରାରମ୍ଭ ସୁଦ୍ଧା ସରକାର ଦିନକୁ କୋଟିଏ ପର୍ଯ୍ୟନ୍ତ ଟିକାକରଣ ନେଇ ଲକ୍ଷ୍ୟ ରଖିଛନ୍ତି ।ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ସାଙ୍ଘାତିକ ସ୍ଥିତି ସୃଷ୍ଟି କରିଛି । ମେ ମାସରେ ଏହା ସବୁଠୁ ଘାତକ ସାବ୍ୟସ୍ତ ହୋଇଛି। ଏହି ମାସରେ ଦେଶରେ ପାଖାପାଖି ୯୦.୩ ଲକ୍ଷ କୋଭିଡ ସଂକ୍ରମଣ ମାମଲା ରେକର୍ଡ କରାଯାଇଛି । କୌଣସି ଗୋଟିଏ ମାସରେ ଏହା ବିଶ୍ୱରେ ସର୍ବାଧିକ ସଂକ୍ରମଣ ମାମଲା। ଏହା ପୂର୍ବରୁ କୌଣସି ଦେଶରେ ମାସକରେ ଏତେ ମାମଲା ଆଦୌ ଦେଖିବାକୁ ମିଳିନାହିଁ । ପୂର୍ବ ମାସ ଅର୍ଥାତ ଏପ୍ରିଲରେ ରେକର୍ଡ ୬୯.୪ ଲକ୍ଷ ମାମଲା ସାମ୍ନାକୁ ଆସିଥିଲା । ମେ ମାସରେ ଏହା ୩୦% ବଢ଼ିଥିଲା । ଅନ୍ୟ କୌଣସି ଦେଶରେ ଗୋଟିଏ ମାସରେ ୬୯ ଲକ୍ଷ ମାମଲା ଆସିନାହିଁ ।

ଗତବର୍ଷ ଆମେରିକା କରୋନା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଥିଲା । ସେତବଳେ ଆମେରିକା ସ୍ଥିତି ଦେଖି ବିଶ୍ୱବାସୀ ଚକିତ ହୋଇଯାଇଥିଲେ । କିନ୍ତୁ ସେଠାରେ ଡିସେମ୍‌ବରରେ ଶୀର୍ଷ ସଂକ୍ରମଣ ବେଳେ ମୋଟ ୬୫.୩ ଲକ୍ଷ ମାମଲା ସାମ୍ନାକୁ ଆସିଥିଲା, ଯାହା ଭାରତର ଏପ୍ରିଲ ଓ ମେ’ ମାସ ମାମଲା ତୁଳନାରେ କମ । ହେଲେ ଜନସଂଖ୍ୟା ଦୃଷ୍ଟିରୁ ଭାରତ ସ୍ଥିତି ଭଲ ବୋଲି କୁହାଯାଇ ପାରିବ । ୧୦ ଲକ୍ଷ ଲୋକରେ ଆମେରିକାର ସଂକ୍ରମଣ ମାମଲା ସର୍ବାଧିକ ୧,୦୨,୩୦୨ ରହିଥିବା ବେଳେ ଭାରତରେ ଏହା ୨୦,୧୪୪ ରହିଛି ।ଅନ୍ୟପକ୍ଷରେ କୌଣସି ଗୋଟିଏ ମାସରେ ସର୍ବାଧିକ କରୋନା ମୃତ୍ୟୁ ଭାରତରେ ହିଁ ଦେଖିବାକୁ ମିଳିଛି । ମେ ମାସରେ ଦେଶରେ ପାଖାପାଖି ୧.୨ ଲକ୍ଷ ମୃତ୍ୟୁ ରେକର୍ଡ କରାଯାଇଛି । ଏପ୍ରିଲର ୪୮,୭୬୮ ମୃତ୍ୟୁ ତୁଳନାରେ ଏହା ଅଢ଼େଇ ଗୁଣା ଅଧିକ । ସେପଟେ ଆମେରିକାରେ ଚଳିତବର୍ଷ ଜାନୁଆରୀରେ ସର୍ବାଧିକ ୯୯,୬୮୦ କରୋନା ଆକ୍ରାନ୍ତ ରୋଗୀ ପ୍ରାଣ ହରାଇଥିଲେ । ଗତବର୍ଷ ଡିସେମ୍‌ବରରେ ଆମେରିକାରେ ୮୩,୮୪୯ ମୃତ୍ୟୁ ରେକର୍ଡ କରାଯାଇଥିଲା । ଚତୁର୍ଥ ସର୍ବାଧିକ ମାସିକ ମୃତ୍ୟୁ ବ୍ରାଜିଲରେ ରେକର୍ଡ କରାଯାଇଛି । ଚଳିତବର୍ଷ ଏପ୍ରିଲରେ ବ୍ରାଜିଲରେ ୮୨,୪୦୧ ମୃତ୍ୟୁ ସାମ୍ନାକୁ ଆସିଥିବା ୱାର୍ଲଡୋମିଟର ତଥ୍ୟ ଦର୍ଶାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.