ଭାରତରେ କେବେ ପିକ୍‌ରେ ରହିବ ଓମିକ୍ରନ୍‌? ଅମାନିଆ ହେଲେ ଭୟଙ୍କର ହେବ ସ୍ଥିତି, ଏମିତି କହିଲେ ବିଶେଷଜ୍ଞ...

Published By : Prameya-News7 Bureau | January 12, 2022 IST

ନୂଆଦିଲ୍ଲୀ ୧୨/୦୧ : ଦେଶରେ କରୋନା ସଂକ୍ରମଣ ମାମଲା ଲଗାତାର ଭାବେ ବୃଦ୍ଧିପାଇବାରେ ଲାଗିଛି । ଏହା ପଛର ପ୍ରମୁଖ କାରଣ ଓମିକ୍ରନ୍‌ ବୋଲି ବିଶେଷଜ୍ଞମାନେ ମତ ଦେଉଥିବା ବେଳେ ଦେଶରେ କେବେ କମିବ ତୃତୀୟ ଲହର ସେ ନେଇ ସସ୍‌ପେନ୍ସ ଲାଗିରହିଛି । ବିଶ୍ବର ଅନେକ ଦେଶର ସ୍ବାସ୍ଥ୍ୟ ବିଶେଷଜ୍ଞ ଓମିକ୍ରନ୍‌କୁ ହାଲୁକା ଭାବେ ନନେବା ପାଇଁ ଚେତାବନୀ ଦେଇସାରିଛନ୍ତି । ଅନ୍ୟପଟେ ଭାରତରେ ତୃତୀୟ ଲହର କେବେ ପିକ୍‌ ରହିବ ସେ ନେଇ ମଧ୍ୟ ବିଶେଷଜ୍ଞମାନେ ଭିନ୍ନଭିନ୍ନ ମତ ପ୍ରକାଶ କରିଛନ୍ତି ।

ଏହାରି ମଧ୍ୟରେ ଆମେରିକାର ମିଶିଗନ୍ ୟୁନିଭରସିଟିର ଡାଟା ବୈଜ୍ଞାନିକ ଭ୍ରମର ମୁଖାର୍ଜୀ ଓମିକ୍ରନ୍‌କୁ ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛନ୍ତି । ପ୍ରଫେସର ମୁଖାର୍ଜୀ କହିଛନ୍ତି, 'କରୋନା ଭାଇରସ୍‌ ପ୍ରତିଥର ଖୁବ ଶାନ୍ତ ଭାବେ ପିକ୍‌ କରୁଛି ଏବଂ ପରେ ବିସ୍ଫୋରଣ ହେଉଛି । କରୋନା ଭାଇରସକୁ ଆୟତକୁ ଆଣିବାକୁ ହେଲେ ପ୍ରଥମେ ଏହାକୁ ବୁଝିବାକୁ ହେବ । ଯେତେବେଳେ କୋଭିଡ୍ ପିକ୍‌ରେ ରହୁଛି ସେତେବେଳେ ଏହାକୁ ସମୂଳେ ନାଶ କରିବା ପାଇଁ ପ୍ରୟାସ କରାଯିବା ଉଚିତ । ଏଥିପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବା ଆବଶ୍ୟକ । କାରଣ ଭାରତ ବ୍ୟତିତ ଅନ୍ୟଦେଶମାନଙ୍କରେ ଯେତେବେଳେ କରୋନାର ନୂଆ ଭ୍ୟାରିଆଣ୍ଟ ଆତଙ୍କ ଖେଳାଉଛି ସେତେବେଳେ ଦେଶବାସୀ ଭାବୁଛନ୍ତି ଏହା ଭାରତକୁ ଆସିବ ନାହିଁ । କିନ୍ତୁ ପରେ ଅନୁମାନ ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରୁଛି ।'

ଡିସେମ୍ବର ମାସରେ ହିଁ ଭାରତରେ ତୃତୀୟ ଲହର ଆସିସାରିଛି । କିନ୍ତୁ ବଡ କଥା ହେଉଛି ଦେଶରେ ଯେତେବେଳେ କରୋନା ପୁରାପୁରି ଭାବେ ପିକ୍‌ରେ ରହୁଛି ସେତେବେଳେ ଏହାକୁ ରୋକିବା ପାଇଁ ଉଦ୍ୟମ ଆରମ୍ଭ ହେଉଛି । ସବୁଆଡୁ ଫେଲ୍‌ ହେବାପରେ ବାଧ୍ୟ ହୋଇ ସରକାର ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ୍‌ ଭଳି ନିୟମ ଲାଗୁ କରୁଛନ୍ତି । ପ୍ରତ୍ୟେକ ଲହରରେ ସରକାରଙ୍କ ନୀତି ନିୟମ ଅଲଗା ଅଲଗା ରହୁଛି ।

ପ୍ରଫେସର ଭ୍ରମର ମୁଖାର୍ଜୀ କହିଛନ୍ତି, 'ବିଭିନ୍ନ ରାଜ୍ୟରେ ଓମିକ୍ରନ୍‌ ପିକ୍‌ ଅଲଗା ଅଲଗା ସମୟରେ ହେବ । ମୁମ୍ବାଇ, ଦିଲ୍ଲୀ, କୋଲକାତାରେ ଜାନୁଆରୀ ଶେଷ ସୁଦ୍ଧା ଓମିକ୍ରନ୍‌ ପିକ୍‌ ରହିବ । ଏହା ସହିତ ପୁରା ଦେଶରେ ଫେବୃଆରୀ ମଧ୍ୟ ସୁଦ୍ଧା ପିକ୍‌ରେ ରହିବ ।'

ଭାରତରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୦ ପ୍ରତିଶତ ଲୋକେ ଭ୍ୟାକସିନ୍‌ର ଉଭୟ ଡୋଜ୍‌ ଏବଂ ୯୦ ପ୍ରତିଶତ ଲୋକେ ପ୍ରଥମ ଡୋଜ୍ ଟିକା ନେଇସାରିଛନ୍ତି । ତେବେ ଆଶ୍ବସ୍ତୀକର କଥା ହେଉଛି ପ୍ରଥମ ଏବଂ ଦ୍ବିତୀୟ ଲହର ତୁଳନାରେ ତୃତୀୟ ଲହରରେ ଜନସାଧାରଣ ଅଧିକ ସୁରକ୍ଷିତ ରହୁଛନ୍ତି । ହସ୍ପିଟାଲରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ସଂଖ୍ୟା ଢେର୍ କମ ରହୁଛି । ଡେଲ୍‌ଟା ଭ୍ୟାରିଆଣ୍ଟ ତୁଳନାରେ ଓମିକ୍ରନ୍‌ କମ ପ୍ରଭାବୀ ବୋଲି ବିଶେଷଜ୍ଞମାନେ ମତ ଦେଉଥିବା ବେଳେ କିଛି ଲୋକଙ୍କ ପାଇଁ ଏହା ଭୟଙ୍କର ସାବ୍ୟସ୍ତ ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.