ହୋଲି ଛୁଟିରେ ଘରକୁ ଆସୁଥିବା ଲୋକଙ୍କର ଷ୍ଟେସନ ଓ ବିମାନବନ୍ଦରରେ ହେବ କରୋନା ଯାଞ୍ଚ
23/02/2021 at 3:14 PM

ପାଟନା ୨୩/୦୨ : ଦେଶର ୬ ରାଜ୍ୟରେ କରୋନା ସଂକ୍ରମଣ ମାମଲା ହଠାତ ବୃଦ୍ଧି ପାଇଥିବାରୁ ସମସ୍ତ ରାଜ୍ୟର ରାଜ୍ୟ ସରକାର ସଚେତନ ହୋଇଯାଇଛନ୍ତି। ବୃଦ୍ଧି ପାଉଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ବିହାର ସରକାର ମଧ୍ୟ ଆଲର୍ଟ ହୋଇଯାଇଛନ୍ତି। ସଂକ୍ରମିତଙ୍କୁ ଚିହ୍ନଟ କରିବାକୁ ସବୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତା ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ହୋଲି ଛୁଟିରେ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ କରୋନା ଯାଞ୍ଚ ଅନିବାର୍ଯ୍ୟ କରାଯାଇଛି।
ଏଥର ହୋଲି ମାର୍ଚ୍ଚ ୨୯ ତାରିଖରେ ପଡୁଛି। ହୋଲି ପର୍ବରେ ଲକ୍ଷ ଲକ୍ଷ ସଂଖ୍ୟାରେ ପରଦେଶୀ ବିହାର ଆସିଥାନ୍ତି। ପରଦେଶୀଙ୍କ ଆଗମନ ସରକାରଙ୍କ ଚିନ୍ତା ବଢ଼ାଇଛି। ଗତ ବର୍ଷ ମାର୍ଚ୍ଚ ମାସରେ କରୋନା ସଂକ୍ରମଣ ଯୋଗୁଁ ସାରା ଦେଶରେ ଲକଡାଉନ ଜାରି କରାଯାଇଥିଲା। ବର୍ଷେ ପରେ ପୁଣି ବାହାରୁ ଅନେକ ସଂଖ୍ୟାରେ ଲୋକ ବିହାର ଆସୁଛନ୍ତି। ପାଟନା ସିଭିଲ୍ ସର୍ଜନ୍ ବିଭା କୁମାରୀ ସିଂହ ସ୍ପଷ୍ଟ କରିଛନ୍ତି ଯେ ଏବେଠାରୁ ଡାକ୍ତରଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ଏହି ଡାକ୍ତରଙ୍କୁ ସମସ୍ତ ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ ଓ ବିମାନବନ୍ଦରରେ ନିୟୋଜିତ କରାଯିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ବାହାରୁ ଆସୁଥିବା ଲୋକେ ଯାଞ୍ଚ ପାଇଁ ଯେପରି ଅସ୍ବୀକାର ନ କରନ୍ତି ସେଥିପାଇଁ ଜିଲ୍ଲା ପ୍ରଶାସନ ସ୍ୱାସ୍ଥ୍ୟ ବିଭାଗକୁ ସାହାଯ୍ୟ କରିବେ। ଡାକ୍ତରଙ୍କ ଟିମ ସବୁ ସାର୍ବଜନିକ ସ୍ଥାନରେ ମାଜିଷ୍ଟ୍ରେଟ ଓ ପୋଲିସବଳ ନିୟୋଜିତ କରାଯିବ। ଏମାନେ ବାହାରୁ ଆସୁଥିବା ଲୋକଙ୍କ ଥର୍ମାଲ ସ୍କ୍ରିନିଙ୍ଗ୍ ଓ କୋଭିଡ୍ ଯାଞ୍ଚ କରିବେ।
ବିହାରରେ ବର୍ତ୍ତମାନ ପଜିଟିଭଙ୍କ ସଂଖ୍ୟା ପାଖାପାଖି ୫୦୦ରେ ପହଞ୍ଚିଛି। କିଛି ଜିଲ୍ଲାରେ ଗୋଟିଏ ବି ସଂକ୍ରମିତ ନାହାନ୍ତି। ଅପରପକ୍ଷରେ ଦେଶର ୬ ରାଜ୍ୟରେ ସ୍ଥିତି ଭୟାବହ ରହିଛି। ମହାରାଷ୍ଟ୍ର, ଛତିଶଗଡ଼, ମଧ୍ୟ ପ୍ରଦେଶ, ପଞ୍ଜାବ, କେରଳରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହିସବୁ ରାଜ୍ୟରେ ଅନେକ ସଂଖ୍ୟକ ବିହାରୀ ରୋଜଗାର ଓ କାମ କରନ୍ତି। ଏମାନେ ହୋଲି ଛୁଟିରେ ଘରକୁ ଯାଆନ୍ତି। ଏହିଭଳି ସ୍ଥିତିରେ ସମସ୍ତଙ୍କ ଯାଞ୍ଚ ବ୍ୟବସ୍ଥା କରିବା ଜିଲ୍ଲା ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ।
ସ୍ୱାସ୍ଥ୍ୟ ବିଭାଗ ସବୁ ହସ୍ପିଟାଲକୁ ମଧ୍ୟ ଆଲର୍ଟ କରିଛନ୍ତି। ଏନେଇ ମୁଖ୍ୟ ଶାସନ ସଚିବ ସବୁ ଜିଲ୍ଲା ସିଭିଲ ସର୍ଜନଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ସମୀକ୍ଷା ବୈଠକ କରିଛନ୍ତି।