ବଢୁଛି ଭୟ ,୯୭ ପ୍ରତିଶତ ଓଡିଆଙ୍କୁ ମୃତ୍ୟୁ ଡ଼ର : ଜୀବନ, ଜୀବିକା ଓ ଅର୍ଥ ଚିନ୍ତା କରୁଛି ଅସ୍ତବ୍ୟସ୍ତ

Published By : Prameya-News7 Bureau | July 27, 2020 IST

ଭୁବନେଶ୍ୱର ୨୭।୦୭: “କରୋନା ହେଇଯିବ କି..! ମରିଯିବିନି ତ…!” ଏବେ ପୂରା ଓଡ଼ିଶାକୁ ଏମିତି ଭୟ ଘାରିଛି। ଓଡ଼ିଶାର ୯୭ ଭାଗ ଲୋକଙ୍କୁ କରୋନା ମୃତ୍ୟୁର ଡର ଆତଙ୍କିତ କରି ରଖିଛି । ଏକଥା କହିଛି, ନୂଆଦିଲ୍ଲୀଭିତ୍ତିକ ଥିଙ୍କ୍‌ଟ୍ୟାଙ୍କ୍‌ ନ୍ୟାସନାଲ କାଉନ୍‌ସିଲ୍‌ ଅଫ୍‌ ଆପ୍ଲାଏଡ୍‌ ଇକୋନୋମିକ୍‌ ରିସର୍ଚ୍ଚ (ଏନ୍‌ସିଏଇଆର୍‌) ।

ଏନ୍‌ସିଏଇଆର୍‌ ପକ୍ଷରୁ ଲକ୍‌ଡାଉନ୍‌ ବେଳେ କରାଯାଇଥିବା ସର୍ଭେ ମୁତାବକ, ଓଡ଼ିଶାର ଲୋକଙ୍କ ମନରେ କରୋନା ମହାମାରୀର ଭୟ ବସା ବାନ୍ଧି ରହିଛି । ରାଜ୍ୟର ୯୭.୫% ପରିବାରକୁ ସବୁବେଳେ ସଂକ୍ରମଣର ଡର ରହୁଛି । ବଳକା ୨.୫% ପରିବାର ବେଳେବେଳେ ସଂକ୍ରମଣର ଆଶଙ୍କାରେ ଆତଙ୍କିତ ହେଉଛନ୍ତି ।

ରାଜ୍ୟର ପ୍ରାୟ ୯୬.୬% ପରିବାର କରୋନା ଜନିତ ମୃତ୍ୟୁକୁ ନେଇ ଭୟରେ ଦିନ କାଟୁଛନ୍ତି । ସେମାନଙ୍କ ମଧ୍ୟରୁ ୯୩.୩% ସବୁବେଳେ ମୃତ୍ୟୁକୁ ଡରି ଡରି ଜିଉଁଛନ୍ତି । କିନ୍ତୁ ରାଜ୍ୟରେ ୩.୪% ଏମିତି ପରିବାର ଅଛନ୍ତି, ଯେଉଁମାନଙ୍କର କରୋନା ମୃତ୍ୟୁ ନେଇ କୌଣସି ଭୟ ନାହିଁ ।

ସର୍ଭେ ଦର୍ଶାଇଛି, ଓଡ଼ିଶାର ୮୭.୮% ପରିବାର କରୋନା ସଂକ୍ରମିତ ହେଲେ ଆଇସୋଲେସନ୍‌ରେ ରହିବାକୁ ପଡ଼ିବ, ସେଇ ଚିନ୍ତାରେ ଦିନ ବିତାଉଛନ୍ତି, ଯାହାକି ଡିପ୍ରେସନ୍‌ ବା ବିଷାଦର କାରଣ ହୋଇପାରେ । ସେମାନଙ୍କ ମଧ୍ୟରୁ ୭୭.୩%କୁ ଆଇସୋଲେସନ୍‌ର ଡର ସବୁ ସମୟରେ ରହିଛି । ହେଲେ ୧୨.୨% ପରିବାରକୁ ଆଇସୋଲେସନ୍‌ର ଭୟ ବିଲକୁଲ ନାହିଁ ।

କରୋନା ମହାମାରୀ ରାଜ୍ୟବାସୀଙ୍କୁ କେବଳ ମାନସିକ ସ୍ତରରେ ଚାପଗ୍ରସ୍ତ କରିଛି ତା’ନୁହେଁ, ଏହା ସେମାନଙ୍କ ସାମାଜିକ-ଅର୍ଥନୈତିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ଏନ୍‌ସିଏଇଆର୍‌ ନିଜ ସର୍ଭେ ରିପୋର୍ଟରେ କହିଛି । ଓଡ଼ିଶାର ୮୨% ପରିବାର ନିଯୁକ୍ତି ତଥା ଆୟର ଉତ୍ସ ହରାଇବାକୁ ନେଇ ଭୟରେ ରହୁଛନ୍ତି । ୧୦% ପରିବାରକୁ ଆୟ ଉତ୍ସ କି ଚାକିରି ହରାଇବାର ଭୟ ନାହିଁ।

୬୪% ଓଡ଼ିଆ ପରିବାର କରୋନା ମହାମାରୀ କାରଣରୁ ସଞ୍ଚିତ ଅର୍ଥ ଖର୍ଚ୍ଚ ହେଉଥିବାରୁ ବେଶ ଦୁଃଖିତ ଅଛନ୍ତି । ୪୬.୫% ପରିବାରକୁ ସଞ୍ଚିତ ଅର୍ଥ ସରିଆସୁଥିବା ଚିନ୍ତା ଅଧିକ ଘାରିଛି । ହେଲେ ସଞ୍ଚୟ ଅର୍ଥ ଖର୍ଚ୍ଚ ହେଉଥିବା ନେଇ ୨୦% ପରିବାର ଆଦୌ ଦୁଃଖିତ ନ ଥିବା ସର୍ଭେ ବେଳେ ସୂଚନା ଦେଇଛନ୍ତି ।

ସର୍ଭେ ବେଳେ ରାଜ୍ୟର ୭୬% ପରିବାର କହିଛନ୍ତି, ଆଗାମୀ ଦିନରେ ସେମାନେ ନିଜ ବକେୟା ଋଣ କିଭଳି ପରିଶୋଧ କରିବେ, କିଛି ଭାବି ପାରୁନାହାନ୍ତି । ୫୪% ପରିବାରକୁ ଏହି ଚିନ୍ତା ସର୍ବାଧିକ ମାନସିକ ଦୁଶ୍ଚିନ୍ତା ଦେଉଥିବା ବେଳେ ଅନ୍ୟ ୨୨% ବେଳେବେଳେ ଏହାକୁ ନେଇ ଦୁଃଖିତ ରହୁଛନ୍ତି । ହେଲେ ୧୪% ଓଡ଼ିଆ ପରିବାରର ଋଣ ପରିଶୋଧ ନେଇ କୌଣସି ଚିନ୍ତା ନ ଥିବା ଜଣାପଡ଼ିଛି ।

ଏନ୍‌ସିଏଇଆର୍‌ ନିଜ ରିପୋର୍ଟରେ କହିଛି, କରୋନା ସଂକ୍ରମଣ ରୋକିବା ନେଇ ସରକାରଙ୍କ ପଦକ୍ଷେପ ଉପରେ ଓଡ଼ିଶାର ୭୪% ପରିବାରର ସମ୍ପୂର୍ଣ୍ଣ ଭରସା ରହିଛି । ୨୨.୫% ପରିବାରର ସରକାରଙ୍କ ପଦକ୍ଷେପ ଉପରେ ସାମାନ୍ୟତମ ଭରସା ରହିଥିବା ବେଳେ ୩.୩%ଙ୍କର ଆଦୌ ଭରସା ନାହିଁ ।

କରୋନା ବେଳେ ପୁରୁଣା ସ୍ୱାସ୍ଥ୍ୟ ସମସ୍ୟାର କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ ବୋଲି ସର୍ଭେ ବେଳେ ରାଜ୍ୟର ପ୍ରାୟ ୭୬% ପରିବାର ମତ ଦେଇଛନ୍ତି । ମାତ୍ର ୪% ପରିବାରରେ ପୂର୍ବ ସ୍ୱାସ୍ଥ୍ୟ ସମସ୍ୟା ଆହୁରି ଖରାପ ହୋଇଥିବା ନଜରକୁ ଆସିଥିଲା । କିନ୍ତୁ ଏ ଅବଧିରେ ୧୫% ପରିବାର ଲୋକଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଏନ୍‌ସିଏଇଆର୍‌ କହିଛି।

ସୂଚନା ଥାଉକି, ନ୍ୟାସନାଲ କାଉନ୍‌ସିଲ୍‌ ଅଫ୍‌ ଆପ୍ଲାଏଡ୍‌ ଇକୋନୋମିକ୍‌ ରିସର୍ଚ୍ଚ ପକ୍ଷରୁ ‘ଓଡ଼ିଶା ଓ ଉତ୍ତର ପ୍ରଦେଶର ପରିବାରଗୁଡ଼ିକ ଉପରେ କରୋନା ଭୂତାଣରୁ ପ୍ରଭାବ’ ଶୀର୍ଷକ ଏହି ଟେଲିଫୋନିକ୍‌ ସର୍ଭେ କରାଯାଇଥିଲା । ସର୍ଭେରେ ଓଡ଼ିଶା ଓ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରୁ ୨,୦୬୮ଟି ପରିବାରର ମତ ନିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.