ବଡବସ୍ତିରେ ସଂକ୍ରମଣ ଭୟ : ସଂକ୍ରମିତଙ୍କ ମାଆ ବିକୁଥିଲେ ହାଣ୍ଡିଆ, ଏବେ ବସ୍ତି ଚିନ୍ତାରେ BMC
8/06/2020 at 10:03 AM

ଭୁବନେଶ୍ୱର ୦୮।୦୬: କରୋନା ସଂକ୍ରମଣକୁ ନେଇ ଚାରିଆଡେ ଏବେ ଚିନ୍ତା । କିପରି ଏହା ଗୋଷ୍ଠୀ ସଂକ୍ରମଣ ଆଡକୁ ନବ୍ୟାପେ ସେଥିପାଇଁ ଅନେକ ଦୃଷ୍ଟି ଦିଆଯାଉଛି । ଭୁବନେଶ୍ୱରରେ ଥିବା ବଡ ବସ୍ତିମାନଙ୍କରେ କିପରି ସଂକ୍ରମଣ ନବ୍ୟାପେ ସେଥିପାଇଁ ଆଗରୁ ସରକାର ସମସ୍ତଙ୍କୁ ସଚେତନ କରିଛନ୍ତି । କିନ୍ତୁ ବିଏମ୍ସିର ୱାର୍ଡ ଅଫିସର, ଜୋନାଲ ଡେପୁଟି କମିଶନରଙ୍କଠାରୁ ନେଇ କମିଶନରଙ୍କ ଯାଏ । ଉପରୁ ତଳ ଯାଏ ସମସ୍ତେ ଶୋଇ ରହିଥିଲେ । ଭୁବନେଶ୍ୱର କରୋନା ମୁକ୍ତ ହୋଇଗଲା ଭାବି ବେପରୁଆ ହେଲେ । କିନ୍ତୁ ସ୍ଥିତି ଏବେ ସଙ୍ଗୀନ ଆଡ଼କୁ ମୁହାଁଇଲାଣି । ସାଲିଆ ସାହିରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଘାରିଲାଣି । ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୪୪ଜଣଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରଖାଯାଇଛି ବୋଲି ବିଏମ୍ସି ଟ୍ୱିଟ୍ କରି ତଥ୍ୟ ରଖିଛି । କିନ୍ତୁ ଏହା ସମ୍ପୂର୍ଣ୍ଣ ମିଛ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ସାଲିଆ ସାହିରେ ଆକ୍ରାନ୍ତ ହୋଇଥିବା ମହିଳାଙ୍କ ମା’ ହାଣ୍ଡିଆ ବିକ୍ରି କରୁଥିଲେ । ତାଙ୍କ ସଂସ୍ପର୍ଶରେ ଅନେକ ଲୋକ ଆସି ଥାଇପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି । କିନ୍ତୁ ବିଏମ୍ସି ଅଧିକାରୀମାନେ ଏହାକୁ ଅତି ହାଲୁକା ଭାବେ ନେଇ କାମ କରୁଛନ୍ତି । କରୋନା ମୁକାବିଲା ଏବେ ବେପରୁଆ ଢଙ୍ଗରେ ଚାଲିଛି । ନା କୌଣସି ଉଚ୍ଚ ଅଧିକାରୀ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରୁଛନ୍ତି, ନା କିଛି ଠୋସ୍ ଆକ୍ସନପ୍ଲାନ୍ ହେଉଛି । ସାଲିଆସାହିରେ କରୋନା ପଜିଟିଭ୍ ବାହାରିବା ପରେ ବିଏମ୍ସିର ବସ୍ତି ଚିନ୍ତା ମନେ ପଡିଛି । ସମସ୍ତ ବସ୍ତିରେ ଆକ୍ଟିଭ୍ ସର୍ଭେଲାନ୍ସ ଆରମ୍ଭ ହେବ । ୧୪ଦିନିଆ ସର୍ଭେଲାନ୍ସ ଚାଲିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି । ସାଲିଆ ସାହିରେ ତିନି ରାଉଣ୍ଡ ସର୍ଭେଲାନ୍ସ ଚାଲିବ ବୋଲି ବିଏମ୍ସି କହିଛି ।
ସାଲିଆ ସାହିର ୱାର୍ଡ ନଂ ୧୬ରେ ବାହାରିଥିବା ପଜିଟିଭ୍ ଗୁଜୁରାଟରୁ ଫେରିଛନ୍ତି ବୋଲି ବିଏମ୍ସି ଆଜି ଟ୍ୱିଟ୍ କରି ତଥ୍ୟ ରଖିଛି । ଗତ ଗୁରୁବାରଠାରୁ ତାଙ୍କ ନମୁନା ପଜିଟିଭ୍ ଆସିଲାଣି । କିନ୍ତୁ ଆଶ୍ଚର୍ଯ୍ୟ ବିଷୟ, ଏହି ଖବର ଜଣାପଡ଼ିବାର ୩ଦିନ ବିତିବା ପରେ ଆଜି ସନ୍ଧ୍ୟାରେ ବିଏମ୍ସି ତାଙ୍କ ଟ୍ରାଭେଲ୍ ହିଷ୍ଟ୍ରି ବା ଗସ୍ତ ସୂଚନା ଜାରି କରିଛି । ସେ ଗୁଜୁରାଟରୁ ଫେରିଥିଲେ ବୋଲି କୁହାଯାଇଛି । ତେବେ ଆକ୍ରାନ୍ତଙ୍କ ସିଧାସଳଖ ସଂସ୍ପର୍ଶରେ ଆସିଥିବା ୪୪ଜଣ ଲୋକ ଓ ପାଖ ପଡୋଶୀଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ରେ ରଖାଯାଇଛି ବୋଲି ଏହି ଟ୍ୱିଟ୍ ସୂଚନା ଦିଆଯାଇଛି । କିନ୍ତୁ ବିଏମ୍ସିର ଏହି ମିଛ ଧରା ପଡ଼ିଯାଇଛି ।
କେବଳ ଆକ୍ରାନ୍ତଙ୍କ ପରିବାର ରହୁଥିବା ଘର ବାହାରେ କ୍ୱାରେଣ୍ଟାଇନ୍ ଷ୍ଟିକର ମରାଯାଇଛି । ଖାଲି ଆକ୍ରାନ୍ତଙ୍କ ପରିବାର ନୁହେଁ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ବି ସର୍ବସାଧାରଣ ଶୌଚାଳୟ ବ୍ୟବହାର କରୁଛନ୍ତି । କେହି କେହି ଶୌଚ ପାଇଁ ବାହାରକୁ ଯାଉଛନ୍ତି । ଅଧିକାଂଶ ବାହାରେ ବୁଲୁଛନ୍ତି । ବସ୍ତିର ଘରଗୁଡ଼ିକ ଚାଳିଆ ଓ ଲାଗ ଲାଗ ହୋଇ ରହିଛି । ଘରୁ ଗୋଡ଼ କାଢ଼ିଲେ ଆଉ ଜଣଙ୍କ ଘର । ପୁଣି ଅଧିକାଂଶ ଲୋକଙ୍କ ପାଖରେ ଶୌଚାଳୟ ସୁବିଧା ନାହିଁ ବୋଲି ସ୍ଥାନୀୟ ବସ୍ତି ନେତା ଅଞ୍ଜନ ନାଥ କହିଛନ୍ତି । ବସ୍ତିରେ ବିନା ଶୌଚାଳୟ ସୁବିଧାରେ ଜଣେ କେମିତି ଜଣେ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବ? ଶୌଚ ହେବ କେମିତି? ବିଏମ୍ସି ଅଧିକାରୀମାନେ ଏହା ଜାଣି ବି ସେମାନଙ୍କୁ ସରକାରୀ କ୍ୱାରେଣ୍ଟାଇନ୍କୁ କାହିଁକି ନେଉନାହାନ୍ତି? କରୋନା ମୁକାବିଲାରେ ଏତେ ବେପରୁଆ କାହିଁକି? ବିଏମ୍ସି ଅଧିକାରୀଙ୍କ ଅବହେଳା ଆଗରେ ଏମିତି ଅନେକ ପ୍ରଶ୍ନ ଉଠିଲାଣି ।
ଏହି ବସ୍ତିରେ କୌଣସି ବିଶୋଧନ କରାଯାଇନି । ପୂର୍ବରୁ ପରିବାର ମାତ୍ର ୬ଜଣଙ୍କ ନମୁନା ପରୀକ୍ଷା ହୋଇଥିଲା । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କ ତୁରନ୍ତ ପରୀକ୍ଷା କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି । ସମ୍ପୂର୍ଣ୍ଣ ବସ୍ତିକୁ ଆଉ ଥରେ ବିଶୋଧନ କରିବାକୁ ମଧ୍ୟ ଲୋକେ ଦାବି ଉଠାଇଛନ୍ତି ।