ମଦ ଦୋକାନୀ-କର୍ମଚାରୀ ହେଲେ ସୁପରସ୍ପ୍ରେଡର, ଅବକାରୀ ଅଧିକାରୀଙ୍କୁ ରୋଗ ଡିଆଁଇଲେ , କଣ୍ଟାକ୍ଟ ଟ୍ରେସିଂରେ ଶତାଧିକ

Published By : Prameya-News7 Bureau | July 23, 2020 IST

ଅନୁଗୁଳ ୨୩।୦୭: ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହେଲା । ଅନୁଗୁଳ ସହରର ଏକ ମଦ ଦୋକାନକୁ ନେଇ ଗୋଷ୍ଠୀ ସଂକ୍ରମଣ ହେବା ଆଶଙ୍କା କରାଯାଉଥିଲା । ଶେଷରେ ତାହା ହିଁ ହୋଇଛି । ଗତ ୧୯ ତାରିଖରେ ମଦ କାଉଣ୍ଟରର ୩ ଜଣ ସେଲ୍ସମ୍ୟାନ୍‌ ପଜିଟିଭ୍‌ ବାହାରିଥିଲେ । ଏହି ମଦ ଦୋକାନ ଲିଙ୍କ୍‌ରୁ ୪ଟି ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି । ଏଥିରେ ଦୁଇ ଜଣ ଅବକାରୀ ବିଭାଗର ଅଧିକାରୀ ରହିଥିବା ବେଳେ ମଦ ଦୋକାନ ମାଲିକଙ୍କ ଗାଡ଼ି ଚାଳକ ଓ ତାଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇଛନ୍ତି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ ଜଣ ପଜିଟିଭ୍‌ ନେଇ ସୂଚନା ଦିଆଯାଇଛି । ଉଦ୍‌ବେଗର ପ୍ରସଙ୍ଗ ହେଲା, ସମ୍ପୃକ୍ତ ଅବକାରୀ ବିଭାଗର ଦୁଇ ଅଧିକାରୀ ଶହ ଶହ ଲୋକଙ୍କ ସହ ମିଶିଛନ୍ତି । ସେହିପରି ଆକ୍ରାନ୍ତ ଡ୍ରାଇଭର ଓ ତାଙ୍କ ପତ୍ନୀଙ୍କୁ ନେଇ ମଧ୍ୟ ସ୍ଥାନୀୟ ସଂକ୍ରମଣ ଆଶଙ୍କା ରହିଛି । ମଦ ଦୋକାନ ଦ୍ରୁତ ଗତିରେ କରୋନା ଭୂତାଣୁ ବାଣ୍ଟିବା ପରେ କେବଳ ଜିଲ୍ଲା ପ୍ରଶାସନର ନିଦ ହଜିନି, ବରଂ ସହରବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସେପଟେ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ମଦ ଦୋକାନକୁ ସିଲ୍‌ କରାଯାଇଥିବା ଜଣାପଡ଼ିଛି ।

{"id":144945}

ମଦ ଦୋକାନର ୩ ଜଣ ସେଲ୍ସମ୍ୟାନ୍‌ ପଜିଟିଭ୍‌ ବାହାରିବା ପରେ ମଦ ଦୋକାନ ମାଲିକଙ୍କ ଠାରୁ ନେଇ ଅନ୍ୟ କର୍ମଚାରୀ ଓ ଅବକାରୀ ବିଭାଗର କର୍ମଚାରୀଙ୍କ ମନରେ ଛନକା ପଶିଥିଲା । କାରଣ ଏହି ପଜିଟିଭ୍‌ଙ୍କ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ବହୁ ଲୋକ ସଂସ୍ପର୍ଶରେ ଆସିଥିବା କୁହାଯାଇଛି । ବୁଧବାର ମଦ ଦୋକାନର ଗାଡ଼ି ଚାଳକଙ୍କ ପରିବାର ଲୋକ କରୋନା ପରୀକ୍ଷା କରାଯାଇଥିଲେ । ଆଣ୍ଟିଜେନ୍‌ ଟେଷ୍ଟରେ ଚାଳକ ଓ ତାଙ୍କ ପତ୍ନୀଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା । ତେବେ ଚାଳକଙ୍କ ପୁଅ ଓ ଝିଅଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା । ଗାଡ଼ି ଚାଳକ ପରିବାର ଅନୁଗୁଳ ପୌରାଞ୍ଚଳରେ ରହୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଗାଡ଼ି ଚାଳକ ଓ ତାଙ୍କ ପତ୍ନୀ ସାହିରେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଉଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଲୋକ ଛାନିଆ ହୋଇ ପଡ଼ିଛନ୍ତି । ସେହିପରି ସଂକ୍ରମିତ ଗାଡ଼ି ଚାଳକଙ୍କ ପୁଅ ଓ ଝିଅ ନେଗେଟିଭ୍‌ ସତ୍ତେ୍ୱ ଉଭୟଙ୍କୁ ୭ ଦିନ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି ।

ମଦ ଦୋକାନ ଲିଙ୍କ୍‌ରୁ ଜିଲ୍ଲା ଅବକାରୀ ବିଭାଗର ୨ ଜଣ ଅଧିକାରୀ ପଜିଟିଭ୍‌ ବାହାରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣ୍ଟିଜେନ୍‌ ଟେଷ୍ଟରେ ଉଭୟ କରୋନା ସଂକ୍ରମିତ ଜଣାପଡ଼ିଛି । ଏହି ୨ ପଜିଟିଭ୍‌ଙ୍କୁ ନେଇ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡ଼ିଛି । କାରଣ ଏହି ଅଧିକାରୀମାନେ ଜିଲ୍ଲା କାର୍ଯ୍ୟାଳୟକୁ ଯାଇଛନ୍ତି । ସେହିପରି ଆକ୍ରାନ୍ତ ଦ୍ୱୟ ନିଜ ଅଫିସ୍‌ରେ ଏକାଧିକ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି । କେବଳ ଏତିକି ନୁହଁ, ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ ମଧ୍ୟ ସେମାନେ ଅନେକଙ୍କ ସହ ମିଶିଛନ୍ତି । ଅବକାରୀ ବିଭାଗ ଓ ସମ୍ପୃକ୍ତ ମଦ ବ୍ୟବସାୟୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଜିଲ୍ଲା ପାଇଁ ବିପଦ ଘନେଇ ଆସୁଥିବା ସନ୍ଦେହ କରାଯାଇଛି । ବିଭାଗୀୟ ଅଧିକାରୀମାନେ ମଦ ବ୍ୟବସାୟୀଙ୍କ ଗାଡ଼ିରେ ବସି ରନ୍ତଲେଇ ମଦ ନିଗମ ଯାଇଥିଲେ । ସମ୍ପୃକ୍ତ ମଦ ଦୋକାନର ସେଲ୍ସମ୍ୟାନ୍‌ମାନେ ମଧ୍ୟ ଅବକାରୀ ଅଧିକାରୀଙ୍କ ସଂସ୍ପର୍ଶରେ ଆସିଥିଲେ ।

ମଦ ବ୍ୟବସାୟୀଙ୍କ ଗାଡ଼ି ଚାଳକ, ତାଙ୍କ ପତ୍ନୀ ଓ ଅବକାରୀ ଅଧିକାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏହି ଆକ୍ରାନ୍ତମାନେ ସୁପର୍‌ସ୍ପ୍ରେଡର ସାଜିବେ ବୋଲି ଆଶଙ୍କା ପ୍ରକାଶ ପାଇଛି । ତେବେ ସମ୍ପୃକ୍ତ ମଦ ଦୋକାନକୁ ଆଜି ଅବକାରୀ ବିଭାଗ ସିଲ୍‌ କରିଛି । ସେହିପରି ମଦ ବ୍ୟବସାୟୀଙ୍କ ଅଫିସ୍‌ ସିଲ୍‌ କରାଯିବା ସହ ତାଙ୍କ ଘର ମଧ୍ୟ ସିଲ୍‌ ହୋଇଛି । ସମସ୍ତ କର୍ମଚାରୀଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି । ସେହିପରି ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଓ ମୋବାଇଲ୍‌ ଇନ୍ସପେକ୍ଟରଙ୍କ କାର୍ଯ୍ୟାଳୟକୁ ବନ୍ଦ କରାଯାଇଥିବା ବେଳେ ସମସ୍ତ କର୍ମଚାରୀଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦେଆଯାଇଛି । ସେପଟେ ମଦ ଦୋକାନ ଭୂତାଣୁ ବାଣ୍ଟି ଚାଲିଥିବାରୁ ସେଠାରୁ ମଦ ନେଇ ପିଇଥିବା ଗ୍ରାହକ ଏବେ ପ୍ରମାଦ ଗଣିଲେଣି ।ଏ ସଂକ୍ରାନ୍ତରେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ, ସଂପୃକ୍ତ ଅବକାରୀ ଅଧିକାରୀ ନିକଟ ଅତୀତରେ ଜିଲ୍ଲା କାର୍ଯ୍ୟାଳୟକୁ ଆସିନାହାନ୍ତି । ବିଭାଗୀୟ କର୍ମଚାରୀ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.