କରୋନା ନିୟମ ଉଲଙ୍ଘନ କରି ବାହାଘରକୁ ନିମନ୍ତ୍ରଣ କଲେ ୨୫୦ ଅତିଥି, ୧୫ ଜଣ ସଂକ୍ରମିତ : ବର ପିତାଙ୍କୁ ୬ ଲକ୍ଷ ୨୬ ହଜାର ଜରିମାନା

Published By : Prameya-News7 Bureau | June 28, 2020 IST

ଭୀଲବାଡା ୨୮/୦୬ : କରୋନା ସଂକ୍ରମଣ ମାମଲା ସାରା ଦୁନିଆରେ ହୁ ହୁ ହୋଇ ବଢୁଥିବାବେଳେ ସଂକ୍ରମଣକୁ ନିୟନ୍ତ୍ରଣରେ ରଖି ରୋଲ ମଡେଲ ସାଜିଥିବା ରାଜସ୍ତାନର ଭୀଲବାଡା ଜିଲ୍ଲାରୁ ବର୍ତ୍ତମାନ ନିୟମ ଅବହେଳା କରୁଥିବା ନେଇ ଚର୍ଚ୍ଚା ହେଉଛି | ଭୀଲବାଡାରେ କରୋନା ନିୟମ ଉଲଙ୍ଘନ କରି ବିବାହ ସମାରୋହ ଆୟୋଜନ କରି ୨୫୦ଜଣ ଅତିଥିଙ୍କୁ ନିମନ୍ତ୍ରଣ କରିଥିବାରୁ ବରଙ୍କ ପିତାଙ୍କୁ ଜରିମାନା ଲଗାଯାଇଛି | ଭୀଲବାଡାର ଘିଶୁଲାଲଙ୍କ ପୁଅ ବାହାଘର ଥିଲା | ସେ ବାହାଘରରେ ୨୫୦ ଜଣଙ୍କୁ ନିମନ୍ତ୍ରଣ ଦେଇଥିଲେ | କରୋନା ନିୟମ ଉଲଙ୍ଘନ କରିଥିବାରୁ ତାଙ୍କୁ ୬ ଲକ୍ଷ ୨୬ ହଜାର ୫୦୦ ଟଙ୍କା ଜରିମାନା ଲଗାଯାଇଛି | ଏହାସହ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜ୍ଜୁ କରାଯାଇଛି | କରୋନା ସଙ୍କଟ ମଧ୍ୟରେ ଏହା ସମ୍ଭବତଃ ଦେଶରେ ପ୍ରଥମ ବଡ କରୋନା ନିୟମ ଉଲଙ୍ଘନ ମାମଲା |

ସୂଚନା ଅନୁଯାୟୀ, ଜରିମାନା ରାଶି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରେ ଜମା କରାଯିବ | ଏଥିପାଇଁ ଭୀଲବାଡା ଜିଲ୍ଲା ଅଧିକାରୀ ରାଜେନ୍ଦ୍ର ଭଟ୍ଟ ଶନିବାର ଦିନ ଆଦେଶ ଦେଇଛନ୍ତି | ରାଜେନ୍ଦ୍ର ଭଟ୍ଟ ଏହି ଜରିମାନା ରାଶି ୩ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରେ ଜମା କରିବାକୁ ଆଦେଶ ଦେଇଛନ୍ତି |

{"id":292742,"sizeSlug":"large"}
Indian bride looks at her reflection in a mirror during a Hindu wedding in Dehradun Uttarakhand

ରିପୋର୍ଟ ଅନୁଯାୟୀ, ବିବାହ ସମାରୋହ ପରେ ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ | ନବ ବିବାହିତ ଯୁବକଙ୍କ ଜେଜେବାବାଙ୍କ ମୃତ୍ୟୁ ହୋଇଯାଇଥିଲା | ଘିଶୁଲାଲଙ୍କ ପୁଅ ବାହାଘର ଜୁନ ୧୩ ତାରିଖରେ ହୋଇଥିଲା | କରୋନା ନିୟମ ଅନୁଯାୟୀ ବାହାଘରରେ ୫୦ ଜଣଙ୍କୁ ନିମନ୍ତ୍ରଣ କରାଯାଇ ପାରିବ | କିନ୍ତୁ ଘିଶୁଲାଲଙ୍କ ପୁଅ ବାହାଘରରେ ପାଖାପାଖି ୨୫୦ ଜଣ ଏକତ୍ରିତ ହୋଇଥିଲେ | ସାମୁହିକ ଭୋଜନ ଆୟୋଜନ ମଧ୍ୟ ହୋଇଥିଲା |

ବାହାଘରରେ ସାମିଲ ହୋଇଥିବା ଜଣେ ବ୍ୟକ୍ତି ଜୁନ ୧୯ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ | ଏହାପରେ ଗୋଟିଏ ପରେ ଗୋଟିଏ ୧୫ ଜଣ ପୀଡିତ ହୋଇଥିବା ଜଣାପଡିଥିଲା | ଏମାନଙ୍କ ମଧ୍ୟରେ ଘିଶୁଲାଲଙ୍କ ପିତାଙ୍କ ସମେତ ଅନ୍ୟ ପରିଜନ ମଧ୍ୟ ସାମିଲ ଅଛନ୍ତି | ୫୮ ଜଣଙ୍କୁ ସଂସ୍ଥାଗତ ଭାବେ କ୍ଵାରେଣ୍ଟାଇନ କରାଯାଇଥିଲା | ଘିଶୁଲାଲଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା | ଘିଶୁଲାଲଙ୍କ ଠାରୁ ଆଦାୟ ହୋଇଥିବା ଜରିମାନା ଆଇସୋଲେସନ ୱାର୍ଡରେ ସଂକ୍ରମିତ ଲୋକଙ୍କ ଚିକିତ୍ସା ଏବଂ କ୍ଵାରେଣ୍ଟାଇନ ସେଣ୍ଟରରେ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ବ୍ୟବହାର କରାଯାଇଛି | ଜିଲ୍ଲା ଅଧିକାରୀ ଜରିମାନା ଆଦାୟ କରି କହିଛନ୍ତି ଯେ କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଯେଉଁ ଗାଇଡଲାଇନ ଜାରି କରିଛନ୍ତି ତାକୁ ଯେକୌଣସି ପ୍ରକାରେ ସମସ୍ତଙ୍କୁ ପାଳନ କରିବାକୁ ହେବ | ନିୟମ ଉଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.