ଅର୍ଥନୀତି ଉପରେ କରୋନା ମାଡ : ଭାରତର ମୁଣ୍ଡପିଛା କ୍ଷତି ୨୭ ହଜାର ଟଙ୍କା

Published By : Prameya-News7 Bureau | August 18, 2020 IST

ନୂଆଦିଲ୍ଲୀ ୧୮।୮: କରୋନା ମହାମାରୀ ବା କୋଭିଡ୍‌-୧୯ ଯୋଗୁ ଦେଶର ଆର୍ଥିକ ମେରୁଦଣ୍ଡ ବଙ୍କା ହୋଇଯାଇଛି। ବୃହତ୍‌ ସଂଖ୍ୟାରେ ଚାକିରି ଉଭାନ ହୋଇଯାଇଥିବାବେଳେ ଲୋକଙ୍କ ଆୟ ବହୁ ମାତ୍ରାରେ ସଙ୍କୁଚିତ ହୋଇଛି । ତେବେ ଏହି ମହାମାରୀ ଯୋଗୁ ସୃଷ୍ଟି ହୋଇଥିବା ଆର୍ଥିକ ବିପତ୍ତିରୁ ଦେଶର ହାରାହାରି ମୁଣ୍ଡ ପିଛା କ୍ଷତି ୨୭,୦୦୦ ଟଙ୍କା ରହିଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ଇକୋରାପ୍‌ ରିପୋର୍ଟରୁ ଜଣାଯାଇଛି ।

ରିପୋର୍ଟରେ ଉଲ୍ଲେଖ କରାଯାଇଛି, କୋଭିଡ୍‌ ଯୋଗୁ ତାମିଲ୍‌ନାଡୁ, ଗୁଜରାଟ, ତେଲେଙ୍ଗାନା, ଦିଲ୍ଲୀ, ହରିୟାଣା ଏବଂ ଗୋଆ ଆଦି ରାଜ୍ୟର ହାରାହାରି ମୁଣ୍ଡ ପିଛା କ୍ଷତି ୪୦,୦୦୦ ଟଙ୍କା ରହିଛି । ସମସ୍ତ ରାଜ୍ୟଗୁଡ଼ିକୁ ହିସାବକୁ ନେଲେ ମୋଟ ଜିଏସ୍‌ଡିପି କ୍ଷତି ୩୮ ଲକ୍ଷ କୋଟି ଟଙ୍କା ରହିଛି । ଏହା ରାଜ୍ୟଗୁଡ଼ିକର ମୋଟ ଜିଏସ୍‌ଡିପିର ୧୬.୯% । ମୋଟି ଜିଡିପି କ୍ଷତିରେ ଶ୍ରେଷ୍ଠ ୧୦ ରାଜ୍ୟଗୁଡିକର ଭାଗ ୭୩.୮% ରହିଛି । ମୋଟ କ୍ଷତିରେ ମହାରାଷ୍ଟ୍ରର ଅଂଶ ୧୪.୨% ଥିବାବେଳେ ତାମିଲନାଡୁର ୯.୨% ଏବଂ ଉତ୍ତର ପ୍ରଦେଶର ଅଂଶ ୮.୨% ରହିଛି । ଦେଶର ମୋଟ କୋଭିଡ୍‌ ମାମଲାରେ ଏହି ୧୦ଟି ରାଜ୍ୟର ଭାଗ ପ୍ରାୟ ୮୧% ରହିଛି ।

ଏବେ ଗ୍ରାମୀଣ ଭାରତରେ ମାଡି ଚାଲିଛି କରୋନା ସଂକ୍ରମଣ । ଅଗଷ୍ଟରେ ଗ୍ରାମାଞ୍ଚଳରେ ନୂଆ ମାମଲା ୫୪%କୁ ବୃଦ୍ଧି ପାଇଛି । କରୋନା ଯୋଗୁ ସହରାଞ୍ଚଳରେ ବ୍ୟବସାୟ ଏବଂ ଶିଳ୍ପ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିବାବେଳେ ଗ୍ରାମାଞ୍ଚଳ ଆଶାର ଆଲୋକ ଦେଖାଉଥିଲା । କୃଷି କ୍ଷେତ୍ର ଅର୍ଥନୀତିକୁ ସଜାଡିବାରେ ବଡ଼ ଭୂମିକା ଗ୍ରହଣ କରିବ ବୋଲି ଅର୍ଥନୀତିଜ୍ଞମାନେ ମତବ୍ୟକ୍ତ କରି ଆସୁଥିଲେ । କିନ୍ତୁ ଏବେ କରୋନା ସ୍ଥିତି ଗ୍ରାମାଞ୍ଚଳରେ ଯେଉଁଭଳି ଭାବେ ବଢ଼ିଚାଲିଛି ଦେଶର ଅର୍ଥନୈତିକ ଛବି ଅସ୍ପଷ୍ଟ ଦେଖାଯାଉଛି । ସୁଧାର ପଥରେ ଏହା ବଡ଼ ଅନ୍ତରାୟ ସୃଷ୍ଟି କରିପାରେ ବୋଲି ଏସ୍‌ବିଆଇ ରିପୋର୍ଟରେ ପ୍ରକାଶ ପାଇଛି ।

ଚଳିତ ଆର୍ଥିକବର୍ଷର ଏପ୍ରିଲ-ଜୁନ୍‌ ତ୍ରୟମାସରେ ଭାରତୀୟ ଅର୍ଥନୀତି ୧୬.୫% ସଙ୍କୁଚିତ ହେବ ବୋଲି ଏସ୍‌ବିଆଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ପୂର୍ବରୁ ଏସ୍‌ବିଆଇ ଅନୁମାନ କରିଥିଲା ଯେ, ପ୍ରଥମ ତ୍ରୟମାସରେ ଦେଶର ଜିଡିପି ୨୦% ସଙ୍କୁଚିତ ହେବ । ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାଙ୍କ ସଂଶୋଧିତ ଆକଳନ କରିଥିବା ଏସ୍‌ବିଆଇର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ସୌମ୍ୟ କାନ୍ତି ଘୋଷ ପ୍ରକାଶ କରିଛନ୍ତି ।

ଘୋଷ କହିଛନ୍ତି ଯେ, ଅର୍ଥନୈତିକ କାର୍ଯ୍ୟକଳାପରେ ସୁଧାର ଆସିଛି । ୪୧ଟି ମାପକ ମଧ୍ୟରୁ ୧୧ଟିରେ ହ୍ରାସ ଘଟିଛି । ଅନ୍ୟଗୁଡିକର ପ୍ରଦର୍ଶନରେ ଉନ୍ନତି ଦେଖାଦେଇଛି ।

ଗତ ସପ୍ତାହରେ ପ୍ରକାଶିତ ସରକାରୀ ତଥ୍ୟ ଅନୁସାରେ କ୍ରମାଗତ ଚତୁର୍ଥ ମାସ ପାଇଁ ଭାରତର ଶିଳ୍ପ ଉତ୍ପାଦନ ସୂଚୀ(ଆଇଆଇପି) ସଙ୍କୁଚିତ ହୋଇଛି । ତେବେ ମେ’ ମାସ ତୁଳନାରେ ହ୍ରାସ ପରିମାଣ କମ୍‌ ରହିଛି । ବିନିର୍ମାଣ କ୍ଷେତ୍ରରେ ସୁଧାର ଆସୁଥିବା ଏଥିରୁ ପ୍ରତିପାଦିତ ହୋଇଛି । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସ୍‌ଓ) ତଥ୍ୟ ଅନୁସାରେ, ଜୁନ୍‌ରେ ଆଇଆଇପି(ଶିଳ୍ପ ଉତ୍ପାଦନ ସୂଚୀ) ୧୬.୬% ହ୍ରାସ ଘଟିଛି । ମେ’ରେ ଏଥିରେ ୩୪% ହ୍ରାସ ଘଟିଥିଲା । ଗ୍ରାମୀଣ ଭାରତରେ କୋଭିଡ୍‌ ପ୍ରଭାବ ଯୋଗୁ ୨୦୨୦-୨୧ର ସମସ୍ତ ତ୍ରୟମାସରେ ଜିଡିପି ସଙ୍କୁଚିତ ହେବ ଏବଂ ସମ୍ପୂର୍ଣ୍ଣ ଆର୍ଥିକବର୍ଷରେ ହ୍ରାସ ଦୁଇ ଅଙ୍କ ରହିବ ବୋଲି ଘୋଷ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଆସନ୍ତା ୩୧ ତାରିଖରେ ସରକାର ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୟମାସିକ ଜିଡିପି ରିପୋର୍ଟ ପ୍ରକାଶ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.