ରାଜଧାନୀରେ କରୋନା ସ୍ଥିତି ଅଣାୟତ୍ତ, ସଂକ୍ରମିତ ହେଲେ ୧୬ ଦୃଷ୍ଟିହୀନ

Published By : Prameya-News7 Bureau | July 27, 2020 IST

ଭୁବନେଶ୍ୱର ୨୭।୦୭: କରୋନା ସଂକ୍ରମଣକୁ ନେଇ ରାଜଧାନୀରେ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି । ୧୬ଜଣ ଦୃଷ୍ଟିହୀନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତେ ୟୁନିଟ୍‌-୩ରେ ଥିବା ଉତ୍କଳ ଦୃଷ୍ଟିହୀନ ସଂଘ ପରିସରରେ ରହୁଥିଲେ । ଏହି ଦୃଷ୍ଟିହୀନମାନେ ଉଠାଦୋକାନୀ ଭାବେ ଜୀବିକା ପ୍ରତିପୋଷଣ କରୁଥିଲେ । ସଂଘର ସଦସ୍ୟ ଥିବା ବିଜେବି କଲେଜର ଜଣେ ଅଧ୍ୟାପକ ସ୍ତ୍ରୀଙ୍କ ସହ ସଂଘକୁ ବୁଲିବା ପାଇଁ ଆସୁଥିଲେ । ତାଙ୍କ ସ୍ତ୍ରୀ ଡାଏଲିସିସ୍‌ ପାଇଁ ନିୟମିତ ହସ୍ପିଟାଲ ଯାଆନ୍ତି । ହସ୍ପିଟାଲ ଲିଙ୍କ୍‌ରୁ ସେ ସଂକ୍ରମିତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସି ଅନ୍ୟମାନେ ସଂକ୍ରମିତ ହୋଇଥିବା ବିଏମ୍‌ସି କଣ୍ଟାକ୍ଟ ଟ୍ରେସିଂରୁ ଜାଣିବାକୁ ପାଇଛି। ସଂଘ ପରିସରକୁ ବିଏମ୍‌ସି ପକ୍ଷରୁ ବିଶୋଧନ କରାଯାଇଛି ।  

ରବିବାର ଦିନ ମୋଟ ୧୬୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୦୪ଜଣ କ୍ୱାରେଣ୍ଟାଇନ୍‌ରେ ଥାଇ ପଜିଟିଭ୍‌ ଆସିଛି । ବାକି ୫୯ଜଣ ସ୍ଥାନୀୟ ସଂକ୍ରମିତ(କ୍ୱାରେଣ୍ଟାଇନ୍‌ ବ୍ୟବସ୍ଥା ବାହାରେ) ଅଛନ୍ତି । ନୂଆ ୧୬୩ ଆକ୍ରାନ୍ତ ଚିହ୍ନଟ ପରେ ରାଜଧାନୀର ମୋଟ ଆକ୍ରାନ୍ତ ସଂଖ୍ୟା ୧୯୯୧ରେ ପହଞ୍ଚିଛି । କଣ୍ଟେନମେଣ୍ଟ୍‌ ଜୋନ୍‌ରେ ଥିବା ନୂଆପଲ୍ଲୀ ତ୍ରିନାଥନଗର ବସ୍ତିରୁ ପୁଣି ୧୩ ଆକ୍ରାନ୍ତ ବାହାରିଛନ୍ତି । ଆକ୍ରାନ୍ତଙ୍କ ଭିତରେ ସମସ୍ତେ ମହିଳା । ଏଥିରେ ଅନେକ ଛୋଟ ପିଲା ବି ସଂକ୍ରମିତ ହୋଇଛନ୍ତି । ୫ବର୍ଷ, ୯ ବର୍ଷ, ୧୨ ବର୍ଷ ଓ ୧୩ବର୍ଷ ବୟସର ୨ଜଣ ପିଲା ଆକ୍ରାନ୍ତ ହୋଇଛନ୍ତି । ପାଣ୍ଡରାରୁ ପୁଣି ୧୧ ଆକ୍ରାନ୍ତ ଠାବ ହୋଇଛନ୍ତି । ଏକ ଘରୋଇ ହସ୍ପିଟାଲ ଲିଙ୍କ୍‌ରେ ସମସ୍ତେ ଆକ୍ରାନ୍ତ ହୋଇଥିବା ବିଏମ୍‌ସି ସୂଚନା ଦେଇଛି । ସିଲ୍‌ ହୋଇଥିବା ୪ନଂ ମାଛ ମାର୍କେଟ୍‌ରୁ ୭ଜଣ ସଂକ୍ରମିତ ହୋଇଛନ୍ତି । ୟୁନିଟ୍‌- ୧ ଆଖଣ୍ଡଳମଣି ବସ୍ତିରୁ ପୁଣି ୫ ପଜଟିଭ୍‌ ବାହାରିଛନ୍ତି ।

ଡୁମୁଡୁମା ଶୁକବିହାରରୁ ୯ଜଣ, ଶୈଳଶ୍ରୀବିହାରରୁ ୪ଜଣ, ବରମୁଣ୍ଡା ହାଉସିଂବୋର୍ଡ କଲୋନୀରୁ ୩ଜଣ, ବଡ଼ଗଡ଼ ବ୍ରିଟ୍‌ କଲୋନୀରୁ ୨ଜଣ, ଏମଏଲଏ କଲୋନୀରୁ ଜଣେ, ନୂଆପଲ୍ଲୀ ସୀତାପୁର ବସ୍ତିରୁ ୨ଜଣ, କୋଳଥିଆରୁ ୩ଜଣ, ଅଶୋକନଗର ପିଏଚ୍‌ଡି କଲୋନୀରୁ ୨ଜଣ, ଜୟଦେବବିହାରରୁ ୨ଜଣ, ୟୁନିଟ୍‌-୯ରୁ ୨ଜଣ, ଗଣପତିନଗରରୁ ୨ଜଣ, ପଟିଆ ଶ୍ରୀବିହାରରୁ ୨ଜଣ, ବଡଗଡ ଲକ୍ଷ୍ମୀବିହାରରୁ ୨ଜଣ ଆକ୍ରାନ୍ତ ବାହାରିଛନ୍ତି । ଏମାନେ ସମସ୍ତେ କ୍ୱାରେଣ୍ଟାଇନ୍‌ରେ ଥିଲେ ବୋଲି ବିଏମ୍‌ସି ଦର୍ଶାଇଛି ।

 ୫୯ ସ୍ଥାନୀୟ ସଂକ୍ରମିତଙ୍କ ଭିତରେ ଭରତପୁରରୁ ୭ଜଣ ଅଛନ୍ତି । ସେମାନେ ହଟସ୍ପଟ୍‌ ଜିଲ୍ଲା ଯାଇ ଫେରିଥିଲେ ବୋଲି କଣ୍ଟାକ୍ଟ ଟ୍ରେସିଂରୁ ଜଣାପଡ଼ିଛି । ପୁରୁଣା ଭୁବନେଶ୍ୱର ବାରିକ ସାହିରୁ ୨ଜଣ, ନୂଆଫରେଷ୍ଟ ପାର୍କରୁ ୨ଜଣ, ସୈନିକ ସ୍କୁଲ ଆଦିମାତା କଲୋନୀ ପାଖରୁ ୨ଜଣ ସଂକ୍ରମିତ ବାହାରିଛନ୍ତି । ରବିବାର ୪୬ଜଣ ସୁସ୍ଥ ହୋଇଛନ୍ତି । ଏବେସୁଦ୍ଧା ମୋଟ ୯୦୯ଜଣ ସୁସ୍ଥ ହେଲେଣି । ୧୦୬୯ ସକ୍ରିୟ ରୋଗୀ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.