ଅଣାୟତ୍ତ କରୋନା : ୯ଦିନରେ ୨୦୧୫ ନୂଆ ପଜିଟିଭ୍‌, ଘଣ୍ଟାକୁ ୯ ସଂକ୍ରମିତ

Published By : Prameya-News7 Bureau | August 20, 2020 IST

ଭୁବନେଶ୍ୱର ୨୦।୦୮: ଅଗଷ୍ଟରେ ଭୟାନକ ଗତି ଧରିଛି କରୋନା । ଦ୍ରୁତ ଗତିରେ ମାଡ଼ି ଚାଲିଛି ରାଜଧାନୀ ଭୁବନେଶ୍ୱରରେ। ପ୍ରତି ଦିନ ରେକର୍ଡ ଭାଙ୍ଗୁଛି ସଂକ୍ରମଣ ହାର । ଗତ ୯ ଦିନ ହେବ ରାଜଧାନୀରେ ହୁ ହୁ ହୋଇ ବଢ଼ୁଛି କରୋନା । ସ୍ଥିତି ଏମିତି ହେଲାଣି, ପ୍ରତି ଘଣ୍ଟାରେ ରାଜଧାନୀରୁ ହାରାହାରି ୯ରୁ ଅଧିକ ନୂଆ କରୋନା ରୋଗୀ ଚିହ୍ନଟ ହେଉଛନ୍ତି।

ଅଗଷ୍ଟରେ କରୋନାର ଦ୍ରୁତ ଗତି ରାଜଧାନୀବାସୀଙ୍କୁ ବିଚଳିତ କରିଛି । ବିଶେଷ କରି ଗତ ୮/୯ ଦିନ ଭିତରେ ସଂକ୍ରମଣ ବିସ୍ଫୋରକ ରୂପ ନେଇଛି । ଗତ ୧୧ ତାରିଖରୁ ଆଜି ସୁଦ୍ଧା ଭୁବନେଶ୍ୱରରେ ୨୦୧୫ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଅର୍ଥାତ୍‌ ଦିନକୁ ହାରାହାରି ୨୨୩ରୁ ଅଧିକ । ଏହି ହିସାବରେ ଘଣ୍ଟାକୁ ହାରାହାରି ୯ରୁ ଅଧିକ କରୋନା ସଂକ୍ରମିତ ବାହାରୁଛନ୍ତି ଭୁବନେଶ୍ୱରରୁ ।

ବୁଧବାର ଭୁବନେଶ୍ୱରରୁ ୩୭୦ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏବେ ରାଜଧାନୀର ସବୁ ଅଞ୍ଚଳକୁ ମାଡ଼ିଗଲାଣି କରୋନା। ଜୁଲାଇ ମାସ ସରିଲାବେଳକୁ ଭୁବନେଶ୍ୱରରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ଥିଲା ୨୭୩୫ । ଏବେ ଏହା ୬ ହଜାର ଡେଇଁଗଲାଣି । ଆଜି ସୁଦ୍ଧା ରାଜଧାନୀରେ ମୋଟ ୬୦୭୭ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଅଗଷ୍ଟର ୧୯ ଦିନରେ ରାଜଧାନୀରେ ୩୩୪୨ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ପୂର୍ବରୁ ବିଶେଷଜ୍ଞ ସତର୍କ କରାଇଥିଲେ ଯେ ଅଗଷ୍ଟରେ କରୋନା ଶୀର୍ଷ ଛୁଇଁପାରେ । ଏହାର ସବୁଠୁ ବଡ଼ ପ୍ରଭାବ ଦେଖିବାକୁ ମିଳିଛି ଭୁବନେଶ୍ୱରରେ । ସକ୍ରିୟ ରୋଗୀଙ୍କ ସଂଖ୍ୟା ବି କିଛି ଦିନ ହେବ ଦ୍ରୁତଗତିରେ ବଢ଼ୁଛି । ବର୍ତ୍ତମାନ ଭୁବନେଶ୍ୱରରେ ୨୨୦୧ ଜଣ ସକ୍ର୍ରିୟ ରୋଗୀ ଅଛନ୍ତି । ଜୁଲାଇ ୩୧ରେ ଏହି ସଂଖ୍ୟା ଥିଲା ୧୨୮୫ । ୧୯ ଦିନରେ ୯୧୬ଜଣ ସକ୍ରିୟ ରୋଗୀ ବଢ଼ିଛନ୍ତି ।

ଜୁଲାଇ ତୁଳନାରେ ଅଗଷ୍ଟ ଆରମ୍ଭବେଳେ ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ଖସିଥିଲା । ମାତ୍ର ଗତ ୮/୧୦ ଦିନ ଭିତରେ ରାଜଧାନୀରେ ହୁ ହୁ ହୋଇ କରୋନା ସଂକ୍ରମଣ ମାଡ଼ି ଚାଲିଛି । ପରୀକ୍ଷା ବଢ଼ୁଥିବାରୁ ପଜିଟିଭ୍‌ ସଂଖ୍ୟା ବଢ଼ୁଥିବା କୁହାଯାଉଛି । ପଟିଆରୁ ପୋଖରୀପୁଟ । ବଡଗଡରୁ ବରମୁଣ୍ଡା । କଲୋନୀ, ବସ୍ତି… କିଛି ମାନୁନି । ରାଜଧାନୀରେ ଏଭଳି ଦ୍ରୁତ ସଂକ୍ରମଣ ଗଞ୍ଜାମକୁ ଟପିବାକୁ ବସିଲାଣି । ଆଉ କେଉଁ ନିର୍ଦ୍ଦିଷ୍ଟ ହଟସ୍ପଟ୍‌ ଅଞ୍ଚଳରେ ଏହା ସୀମିତ ନାହିଁ । ରାଜଧାନୀର ସବୁ ୱାର୍ଡ ଏବେ ହଟସ୍ପଟ୍‌ ଆଡକୁ ମୁହାଁଇଲାଣି । ସଂକ୍ରମଣ ଆଉ ଅଟକିବିନା ନାଁ ଧରୁନି ।

ବୁଧବାରର ସଂକ୍ରମିତ ବାହାରିଥିବା ଅଞ୍ଚଳକୁ ଦେଖିଲେ ସହରର ଆଉ କେଉଁ ଅଞ୍ଚଳ ସଂକ୍ରମଣରୁ ବର୍ତ୍ତିନଥିବା ସ୍ପଷ୍ଟ ଜଣାପଡୁଛି । ଶିଖରଚଣ୍ଡୀ, ଡମଣା, ନୀଳାଦ୍ରିବିହାର, ଶୈଳଶ୍ରୀବିହାର, ଚନ୍ଦ୍ରଶେଖରପୁର, ଆଚାର୍ଯ୍ୟବିହାର, ସହିଦନଗର, ବାପୁଜୀନଗର, ବଡଗଡ, ବୁଦେ୍ଧଶ୍ୱରୀ, ଏଜି କଲୋନୀ, ଗଜପତିନଗର, ୟୁନିଟ୍‌-୬, ରସୁଲଗଡ, ଭିଏସଏସନଗର, ରସୁଲଗଡ, ପାଣ୍ଡେରା, ଚକେଇସିଆଣୀ, ଚିନ୍ତାମଣୀଶ୍ୱର, ଜାଗମରା, ଡୁମୁଡୁମା, ଭରତପୁର, ଖଣ୍ଡଗିରି, ନୂଆପଲ୍ଲୀ, କଳ୍ପନା, ସାମନ୍ତରାପୁର, ପୁରୁଣା ଭୁବନେଶ୍ୱର, ରୁଦ୍ରପୁର ଅଞ୍ଚଳରୁ ପୁଳା ପୁଳା ସଂକ୍ରମିତ ବାହାରିଛନ୍ତି ।

ଖାଲି କଲୋନୀ କି ଅଣବସ୍ତି ଅଞ୍ଚଳ ନୁହେଁ ଏବେ ବସ୍ତି ଅଞ୍ଚଳକୁ ପୁଣି ସଂକ୍ରମଣ ଧସେଇ ପଶିଲାଣି। ସାଲିଆ ସାହି, ଆଚାର୍ଯ୍ୟବିହାର ବିଶେଶ୍ୱର ବସ୍ତି, ୟୁନିଟ-୬ ରାଧାକୃଷ୍ଣ ବସ୍ତି, ନୀଳାଦ୍ରିବିହାର ହରେକୃଷ୍ଣ ବସ୍ତି, ରିକ୍ସାକଲୋନୀ ବସ୍ତି, ସାମନ୍ତପୁରୀ ବସ୍ତି, ବାଲିପଟା ବସ୍ତି, ପଥରବନ୍ଧ, ନୂଆପଲ୍ଲୀ ତ୍ରିନାଥ ବସ୍ତି, ଡେଲ୍‌ଟା ଛକ ପାଖ ଜଳେଶ୍ୱର ବସ୍ତି, ଚିରୁଗୋଲାତଳ ବସ୍ତି, ଶୈଳେଶ୍ରୀବିହାର ଚିଙ୍କୁଲି ବସ୍ତି, ଶିଶୁଭବନପାଖ ଚରଣ ବସ୍ତି, ଓ ମଞ୍ଚେଶ୍ୱର ପାଖ ବିଙ୍ଗୋଟି ସାହି ବସ୍ତିରୁ ୪୫ରୁ ଅଧିକ ଆକ୍ରାନ୍ତ ବାହାରିବା ପରେ ମୁଣ୍ଡବିନ୍ଧା ବଢ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.