ଧିମା ପଡ଼ୁଛି କରୋନାର ଦ୍ବିତୀୟ ଲହର: ୮୬% କମିଲା ସକ୍ରିୟ ମାମଲା, ସୁସ୍ଥ ହାର ବୃଦ୍ଧି

Published By : Prameya-News7 Bureau | July 02, 2021 IST

ନୂଆଦିଲ୍ଲୀ ୨/୦୭: ଦେଶରେ ଦୈନିକ କରୋନା ସଂକ୍ରମଣରେ ଲଗାତାର ହ୍ରାସ ଘଟୁଥିବା ଦେଖିବାକୁ ମିଳିଛି। ଏପ୍ରିଲ-ମେ ମାସରେ ତାଣ୍ଡବ ରଚିଥିବା କରୋନା ଭୂତାଣୁର ଦ୍ବିତୀୟ ଲହର ଧିମା ପଡ଼ିଛି। ଏହାକୁ ନେଇ କେନ୍ଦ୍ର ସରକାରଙ୍କ ସୂଚନା ଦେଶବାସୀଙ୍କୁ ଆଶ୍ବସ୍ତି ଦେଇଛି। ଦେଶରେ ସକ୍ରିୟ ସଂକ୍ରମିତ ମାମଲାରେ ୮୬ ପ୍ରତିଶତ ହ୍ରାସ ଘଟିଛି । ଏହା ସହ ସୁସ୍ଥ ହାର ବୃଦ୍ଧି ପାଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। 

ପ୍ରତିଦିନ ଭଳି ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ୍‌ ଅଗ୍ରଓ୍ବାଲ୍‌ କହିଛନ୍ତି, ‘କ୍ଲିନିକାଲ୍‌ ମ୍ୟାନେଜମେଣ୍ଟ ଉପରେ ଲଗାତାର ଫୋକ୍‌ସ୍‌ ଦିଆଯାଉଥିବାରୁ ସୁସ୍ଥ ହାର ୩ ମେରେ ୮୧.୧ ପ୍ରତିଶତ ଥିବା ବେଳେ ଏବେ ଏହା ବଢ଼ି ପାଖାପାଖି ୯୭ ପ୍ରତିଶତରେ ପହଞ୍ଚିଛି। ଗତ ସପ୍ତାହ ତୁଳନାରେ ଏବେ କରୋନା ମାମଲାରେ ୧୩ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି। ଦୈନିକ ପାଖାପାଖି ୪୬ ହଜାର ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି।’

ଏହା ବ୍ୟତୀତ କରୋନା ଟିକାକରଣ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ୭୯ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଟିକାର ଦୁଇଟି ଡୋଜ୍‌ ନେଇସାରଛନ୍ତି। ୧୮ରୁ ୪୪ ବର୍ଷ ବୟସର ୧୫.୮ ପ୍ରତିଶତ ବ୍ୟକ୍ତି ଭ୍ୟାକସିନ୍‌ର ପ୍ରଥମ ଡୋଜ୍‌ ନେଇଥିବା ବେଳେ ୯୦.୯ ପ୍ରତିଶତ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଛି। ଦେଶରେ ଦୈନିକ ସଂକ୍ରମଣକୁ ଦେଖିଲେ ଗତ ୨୪ ଘଣ୍ଟାରେ ୪୬,୬୧୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହ ୨୪ ଘଣ୍ଟାରେ ୮୫୩ ଜଣଙ୍କ ଜୀବନ ନେଇ କରୋନା ଭୂତାଣୁ। ଏବେ ସୁଦ୍ଧା ଦେଶରେ ୩୪ କୋଟି କରୋନା ଡୋଜ୍‌ ଦିଆସରିଛି ବୋଲି ଲଭ୍‌ ଅଗ୍ରଓ୍ବାଲ୍‌ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.