କରୋନା ସ୍ଥିତି ନେଇ ଗମ୍ଭୀର ରିପୋର୍ଟ: ଦେଶରେ ଏବେ ନାହିଁ ସବୁ ଠିକଠାକ୍, ବଢୁଛି ଆଶଙ୍କା
27/03/2020 at 12:00 PM

ନୂଆଦିଲ୍ଲୀ, ୨୭|୦୩: କରୋନା ଭାଇରସର ମୁକାବିଲା ପାଇଁ ଭାରତରେ ଅନେକ ପ୍ରସ୍ତୁତି ଚାଲିଛି । ଲୋକମାନେ ଲକଡାଉନ୍ ହୋଇ ରହିଛନ୍ତି । ଏହା ପରେ ମଧ୍ୟ ୬୯୪ଜଣ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ସେହିପରି ୧୬ଜଣଙ୍କ ମୃତ୍ୟୁ ଘଟିଛି । ଏବେ ଦେଶର ମୁଣ୍ଡ ଉପରେ ବିପଦ ରହିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ଭାରତ ଆସନ୍ତା ୪ ମାସରେ ଅନେକ ବିପଦକୁ ସାମ୍ନା କରିବ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଏଥିରେ କରୋନାକୁ କିପରି ମୁକାବିଲା କରାଯିବ ତାହା ମଧ୍ୟ ଉଲ୍ଲେଖ ରହିଛି ।
ଜନ୍ ହାପିକିନସ୍ ୟୁନିଭର୍ସିଟି ଓ ଦ ସେଣ୍ଟର ଫର୍ ଡିଜିଜ୍ ଡାଇନୋମିକ୍ସର ରିପୋର୍ଟ ଅନୁସାରେ, ଭାରତରେ କରୋନା ଭାଇରସର ଆତଙ୍କ ଜୁଲାଇ ଶେଷ ବା ଅରଷ୍ଟ ଯାଏଁ ଜାରି ରହିବ । ଏଥିରେ ୫ଟି ରାଜ୍ୟର ଗ୍ରାଫ୍ ପ୍ରସ୍ତୁତ କରାଯାଇଛି । ସାରା ଦେଶରେ ଏପ୍ରିଲ ମାସରେ ସବୁଠାରୁ ଅଧିକ ଲୋକ ସଂକ୍ରମିତ ହୋଇ ମେଡିକାଲରେ ଭର୍ତ୍ତି ହେବେ । ଅଗଷ୍ଟରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବ । ଏହି ଗ୍ରାଫରେ ପ୍ରାୟ ୨୫ ଲକ୍ଷ ଭାରତୀୟ ସଂକ୍ରମିତ ହେବେ ବୋଲି କୁହାଯାଇଛି ।

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଭାରତରେ ପ୍ରକୃତରେ କେତେ ଲୋକ ସଂକ୍ରମିତ ହୋଇଛନ୍ତି ତାହା କହିବା କଷ୍ଟକର । କାରଣ ଅନେକ ସଂକ୍ରମିତଙ୍କଠାରେ କରୋନା ଲକ୍ଷଣ ଦଖିବାକୁ ମିଳିନାହିଁ । ଏହି ଲକ୍ଷଣ ଅଧିକ ହେଲେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ । ସାମାଜିକ ଦୂରତା ହିଁ କରୋନା ମୁକାବିଲା ପାଇଁ ସବୁଠାରୁ ଉତ୍ତମ ଉପାୟ । ଏହା ବ୍ୟତୀତ ଭାରତରେ କରୋନାରୁ ରକ୍ଷା ପାଇବା ପାଇଁ ଅନ୍ୟ କୌଣସି ଉପାୟ ନାହିଁ । ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଆଇସିୟୁ, ମାସ୍କ, ଭେଣ୍ଟିଲେଟର ଓ ବେଡ୍ ନାହିଁଁ । ଆଗାମୀ ୩ ମାସ ଯାଏଁ ଭାରତର ମେଡିକାଲ କର୍ମଚାରୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ମେଡିକାଲରେ କରୋନା ସଂକ୍ରମଣ ଯେପରି ନହୁଏ ତାହା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।