Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜିତୁଛି ଓଡିଶା, ହାରୁଛି କରୋନା : କୋଭିଡ଼କୁ ହରାଇଲେଣି ୫୦ହଜାରରୁ ଅଧିକ ସଂକ୍ରମିତ

22/08/2020 at 9:47 AM

ଭୁବନେଶ୍ୱର ୨୨।୦୮: କରୋନା ଯୁଦ୍ଧ ଜିତୁଛି ଓଡ଼ିଶା । ଏଯାବତ୍‌ ୫୦ ହଜାରରୁ ଅଧିକ ଆକ୍ରାନ୍ତ କରୋନାକୁ ହରାଇ ସୁସ୍ଥ ହେଲେଣି । କରୋନା ମୁକାବିଲାରେ ଏହା ଓଡ଼ିଶା ପାଇଁ ଏକ ବଡ଼ ଉପଲବ୍ଧି ।

ଶୁକ୍ରବାରର ରିପୋର୍ଟ କହୁଛି, ଦିନକରେ ରେକର୍ଡ ୧୯୨୭ ଜଣ କରୋନା ମୁକ୍ତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୫୦,୫୦୪ ଜଣ ସୁସ୍ଥ ହେଲେଣି । ଏଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ସ୍ୱାସ୍ଥ୍ୟ କର୍ମୀ, କୋଭିଡ଼୍‌ ଯୋଦ୍ଧାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଶୁକ୍ରବାର ୭ଟି ଜିଲ୍ଲାରେ ଶହେରୁ ଅଧିକ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୪୬, ଗଞ୍ଜାମରୁ ୧୯୦, ନୟାଗଡ଼ରୁ ୧୫୧, ରାୟଗଡ଼ାରୁ ୧୪୬, ସୁନ୍ଦରଗଡ଼ରୁ ୧୦୮, କନ୍ଧମାଳରୁ ୧୦୧ ଜଣ କରୋନାକୁ ହରାଇଛନ୍ତି। ଏହାବାଦ୍‌ ମୟୂରଭଞ୍ଜରୁ ୮୮, କଟକରୁ ୭୮, କୋରାପୁଟରୁ ୮୬, ପୁରୀରୁ ୭୭, ବଲାଙ୍ଗିରରୁ ୭୫, ଯାଜପୁରରୁ ୭୪ ଜଣ ସୁସ୍ଥ ହୋଇଛନ୍ତି ।

ଏପଟେ ରାଜ୍ୟରେ ପଜିଟିଭ୍‌ ହାର କମୁଛି । ଗଞ୍ଜାମ ସ୍ଥିତି ସୁଧୁରିବାରେ ଲାଗିଛି । ଢେର ଦିନ ପରେ ଆଜି ୨ଶହ ତଳକୁ ଖସିଛି ଗଞ୍ଜାମର ପଜିଟିଭ୍‌ ସଂଖ୍ୟା । ଆଜି ଜିଲ୍ଲାରୁ ୧୬୨ ଜଣ ପଜିଟିଭ୍‌ ବାହାରିଛନ୍ତି । କରୋନା ଯୁଦ୍ଧରେ ଓଡ଼ିଶା ପାଇଁ ଏହା ଏକ ବଡ଼ ସଫଳତା । ମାତ୍ର ଡରାଉଛି ଖୋର୍ଦ୍ଧା ଜିଲ୍ଲାର ସଂକ୍ରମଣ ହାର । ଜିଲ୍ଲାରେ ଦ୍ରୁତଗତିରେ କରୋନା ଭୂତାଣୁ ମାଡ଼ୁଛି । ଆଜି ୪୭୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ । ଏଥିରୁ କେବଳ ଭୁବନେଶ୍ୱରର ୩୨୪ ଜଣ । ଗତକାଲି ଖୋର୍ଦ୍ଧାରୁ ୫୨୪ ଜଣ ପଜିଟିଭ୍‌ ବାହାରିଥିଲେ ।

ଶୁକ୍ରବାର ରାଜ୍ୟରେ ମୋଟ ୫୬,୪୭୯ ନମୁନା ପରୀକ୍ଷା ହୋଇଥିଲା । ଏଥିରୁ ପଜିଟିଭ୍‌ ଚିହ୍ନଟ ହେଲେ ୨୬୯୮। ଅର୍ଥାତ୍‌ ପଜିଟିଭ୍‌ ହାର ରହିଛି ୪.୭୭%। ଗତକାଲି ପଜିଟିଭ୍‌ ହାର ଥିଲା ୫.୪୧% । ରାଜ୍ୟରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୨ ହଜାର ୭୧୮ରେ ପହଞ୍ଚିଛି ସକ୍ରିୟ ରୋଗୀ ସଂଖ୍ୟା ହେଉଛି ୨୧ ହଜାର ୭୭୧ । ଆଜି ସମସ୍ତ ୩୦ ଜିଲ୍ଲାରୁ ସଂକ୍ରମିତ ବାହାରିଛନ୍ତି । ଦେବଗଡ଼ରୁ ମାତ୍ର ୨, ନୂଆପଡ଼ାରୁ ୩, ବୌଦ୍ଧରୁ ୧୧, ଜଗତସିଂହପୁରରୁ ୨୧, କେନ୍ଦୁଝରରୁ ୨୧, ଢେଙ୍କାନାଳରୁ ୨୭, ଅନୁଗୁଳରୁ ୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମାତ୍ର ଚିନ୍ତା ବଢ଼ାଇଛି ଖୋର୍ଦ୍ଧା ସମେତ ୭ ଜିଲ୍ଲା ।

କଟକରେ ଆଜି ୨୦୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ରାୟଗଡ଼ାରୁ ୧୫୪, କୋରାପୁଟରୁ ୧୪୬, ମୟୂରଭଞ୍ଜରୁ ୧୨୮, ସୁନ୍ଦରଗଡ଼ରୁ ୧୦୩, ବାଲେଶ୍ୱରରୁ ୧୦୨ଜଣ ସଂକ୍ରମିତ ବାହାରିଛନ୍ତି । ଅର୍ଥାତ୍‌ ଆଜି ଚିହ୍ନଟ ମୋଟ ୨୬୯୮ ଆକ୍ରାନ୍ତ ମଧ୍ୟରୁ ୭ଟି ଜିଲ୍ଲାରୁ କେବଳ ୧୩୧୫ଜଣ ଆକ୍ରାନ୍ତ ରହିଛି । ଶୁକ୍ରବାର ରାଜ୍ୟରୁ ଚିହ୍ନଟ ମୋଟ ୨୬୯୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୨୩ ଜଣ ସ୍ଥାନୀୟ ସଂକ୍ରମିତ । ଏହା ଚିନ୍ତା ବଢ଼ାଇଛି ।

ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ମୋଟ ସଂକ୍ରମିତ ସଂଖ୍ୟା ୧୫,୮୮୬ ଥିବାବେଳେ ଖୋର୍ଦ୍ଧାରେ ୧୦,୮୪୫, କଟକରେ ୪୯୧୭, ସୁନ୍ଦରଗଡ଼ରେ ୩୬୮୧, ରାୟଗଡ଼ାରେ ୨୮୧୬, ବାଲେଶ୍ୱରରେ ୨୬୪୦ ରହିଛି । ରାଜ୍ୟରେ ଶୁକ୍ରବାର ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମର ୪ ଜଣ, ଭୁବନେଶ୍ୱରରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କୋରାପୁଟ, ଅନୁଗୁଳ, ନୟାଗଡ଼ ଓ ସୋନପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଏଯାବତ୍‌ ରାଜ୍ୟରେ କରୋନା ଯୋଗୁ ୩୯୦ ଜଣଙ୍କର ମୃତ୍ୟୁ ହେଲାଣି ।

   Related Posts