ପ୍ରତିଦିନ କରୋନାର ନୂଆ ରେକର୍ଡ, ୨୪ ଘଣ୍ଟାରେ ୟୁପିରେ ୩୮୦୫୫ ନୂଆ ଆକ୍ରାନ୍ତ ଚିହ୍ନଟ, ୨୨୩ ମୃତ

Published By : Prameya-News7 Bureau | April 24, 2021 IST

ଲକ୍ଷ୍ନୌ ୨୪/୪: ସମଗ୍ର ଦେଶରେ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ବେଳେ ଉତ୍ତରପ୍ରଦେଶ ମଧ୍ୟ ବାଦ ପଡ଼ିନି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୮୦୫୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୨୨୩ ଜଣଙ୍କ ଜୀବନ ନେଇଛି କରୋନା ଭୂତାଣୁ। ୨୪ ଘଣ୍ଟାରେ ପ୍ରଥମ ଥର ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ସଚିବ ଅମିତ ମୋହନ ପ୍ରସାଦ କହିଛନ୍ତି, ଶନିବାର ଦିନ ୨୩୨୩୧  ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି।

ରାଜ୍ୟରେ ଏବେ ସୁଦ୍ଧା ୫୨ ହଜାର ୨୧୧ ଜଣ ସୁସ୍ଥ ହୋଇଛନ୍ତି। ପାଖାପାଖି ୧୦୯୫୯ ଲୋକ ଏବେ ଯାଏ କରୋନାରେ ପ୍ରାଣ ହରାଇଛନ୍ତି। କରୋନା ଯାଞ୍ଚକୁ ନେଇ ସ୍ବାସ୍ଥ୍ୟ ସଚିବ କହିଛନ୍ତି, ଗୋଟିଏ ଦିନ ପୂର୍ବରୁ ୨୨୫୯୬୦ ସାମ୍ପଲ ଯାଞ୍ଚ କରାଯାଇଥିଲା। ଯୋଗୀ ଆଦିତ୍ୟନାଥଙ୍କ ନିର୍ଦେଶ କ୍ରମେ ପୂରା ରାଜ୍ୟରେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସଠିକ୍‌ ପଦକ୍ଷେପ ଗ୍ରହଣ କରାଯାଉଥିବା ନେଇ ସେ କହିଛନ୍ତି।

ସମସ୍ତ ହସ୍ପିଟାଲକୁ ଅକ୍ସିଜେନ୍‌ ସପ୍ଲାଇ କରାଯାଉଛି। ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ରାଜ୍ୟକୁ ଅକ୍ସିଜେନ୍‌ ପଠାଇବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି।  କରୋନା ସଂକ୍ରମିତଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାର ଚିନ୍ତିତ ଅଛନ୍ତି। ରାଜ୍ୟରେ ଅକ୍ସିଜେନ୍‌ର ଅଭାବ ନାହିଁ ବୋଲି ସଚିବ ନବନୀତ ସହେଗଲ୍‌ କହିଛନ୍ତି। ହସ୍ପିଟାଲକୁ କେବେ, କେତେବେଳ ଅକ୍ସିଜେନ୍‌ ପଠାଯିବ ତାହାକୁ ପରିଚାଳନା କରିବାକୁ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.