ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା, ଭାଙ୍ଗିବ କି ଆମେରିକାର ରେକର୍ଡ ?

Published By : Prameya-News7 Bureau | April 18, 2021 IST

ନୂଆଦିଲ୍ଲୀ ୧୮/୦୪ : ରବିବାର ଦିନ ଦେଶରେ କରୋନା ମାମଲା ସବୁ ରେକର୍ଡ ଭାଙ୍ଗି ଦେଇଛି। ରବିବାର ଦିନ ଦେଶରେ ୨ ଲକ୍ଷ ୬୧ ହଜାର ୫୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି। ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ଗ୍ରାଫ କେଉଁଠି ଯାଇ ଅଟକିବ ସମସ୍ତଙ୍କୁ ବର୍ତ୍ତମାନ ସେ ଚିନ୍ତା ଖାଉଛି। ଗୋଟିଏ ଦିନରେ ସର୍ବାଧିକ ମାମଲାରେ ବିଶ୍ୱରେ ଆମେରିକା ପ୍ରଥମରେ ଅଛି। ଆମେରିକାର ଶୀର୍ଷ ସ୍ୱାସ୍ଥ୍ୟ ଏଜେନ୍ସି ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ (CDC) ଅନୁଯାୟୀ, ଆମେରିକାରେ ଜାନୁଆରୀ ୮ ତାରିଖରେ ୩ ଲକ୍ଷ ୧୫ ହଜାରରୁ ଅଧିକ ମାମଲା ଆସିଥିଲା। ଭାରତରେ ରବିବାର ଦିନ ୨ ଲକ୍ଷ ୬୧ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି। ଯେଉଁଭଳି ପ୍ରିତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ଆଶଙ୍କା କରାଯାଉଛି ଯେ ଭାରତ ଶୀଘ୍ର ଆମେରିକାକୁ ବି ପଛରେ ପକାଇଦେବ।

ଭାରତ ପାଇଁ କରୋନାର ଦ୍ୱିତୀୟ ଲହରରେ ଏପ୍ରିଲ ମାସ ସବୁଠାରୁ ଭୟାବହ ପ୍ରମାଣିତ ହୋଇଛି। ଗତ ୧୮ ଦିନରେ ୨୬ ଲକ୍ଷ ୩୯ ହଜାର ୧୬୦ ମାମଲା ସାମ୍ନାକୁ ଆସିଥିବାବେଳେ ୧୪ ହଜାର ୧୯୧ ଜଣଙ୍କ ମୃତ୍ୟୁ ହୋଇଛି। ମାର୍ଚ୍ଚ ୩୧ ତାରିଖରେ ୪୫୭ ଜଣଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ଦୈନିକ ମୃତ୍ୟୁହାର ୧୫ରେ ପହଞ୍ଚିଛି। ମାର୍ଚ୍ଚ ୩୧ରେ ୭୨ ହଜାର ୧୯ ନୂଆ ମାମଲା ସାମ୍ନାକୁ ଆସିଥିଲା। 

ଏପ୍ରିଲ ୧୪ - ୧ ଲକ୍ଷ ୮୪ ହଜାର ୩୭୨ ନୂଆ ମାମଲା, ୧୦୧୭ ମୃତ୍ୟୁ

ଏପ୍ରିଲ ୧୫ - ୨ ଲକ୍ଷ ୭୩୯ ନୂଆ ମାମଲା, ୧୦୩୮ ମୃତ୍ୟୁ

ଏପ୍ରିଲ ୧୬ - ୨ ଲକ୍ଷ ୧୭ ହଜାର ୭୩୯ ନୂଆ ମାମଲା, ୧୧୮୫ ମୃତ୍ୟୁ

ଏପ୍ରିଲ ୧୭ - ୨ ଲକ୍ଷ ୩୪ ହଜାର ୬୯୨ ନୂଆ ମାମଲା, ୧୩୪୧ ମୃତ୍ୟୁ

ଏପ୍ରିଲ ୧୮ - ୨ ଲକ୍ଷ ୬୧ ହଜାର ୫୦୦ ନୂଆ ମାମଲା, ୧୫୦୧ ମୃତ୍ୟୁ

ଭାରତରେ ଏପ୍ରିଲ ୫ ତାରିଖରେ ପ୍ରଥମଥର ସଂକ୍ରମଣ ଲକ୍ଷେ ତାପିଥିଲା। ଏହା ପୂର୍ବରୁ ଗତବର୍ଷ ସର୍ବାଧିକ ରେକର୍ଡ ଥିଲା ସେପ୍ଟେମ୍ବର ୧୭ ତାରିଖରେ ଯେତେବେଳେ ଗୋଟିଏ ଦିନରେ ୯୭ ହଜାର ୮୯୪ ମାମଲା ସାମ୍ନାକୁ ଆସିଥିଲା। ଆମେରିକାରେ ଦୈନିକ ହାରାହାରି ୬୦-୭୦ ହଜାର ମାମଲା ସାମ୍ନାକୁ ଆସୁଛି। ଅପରପକ୍ଷରେ ଭାରତରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ତିନି ଗୁଣ ବଢି ୨.୬୧ ରେ ପହଞ୍ଚିଛି।

ମଙ୍ଗଳବାର ଦିନ ଦୁନିଆର ସବୁଠାରୁ ଅଧିକ ପ୍ରଭାବିତ ଦେଶ ହୋଇଛି ଭାରତ। ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୩୬ ଲକ୍ଷ ୮୯ ହଜାର ୪୫୩ରେ ପହଞ୍ଚିଛି। ବ୍ରାଜିଲରେ ଏବେ ସୁଦ୍ଧା ୧ କୋଟି ୩୫ ଲକ୍ଷ ୨୧ ହଜାର ୪୦୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ କରୋନା ମୃତ୍ୟୁ ମାମଲାରେ ଭାରତ ତୃତୀୟ ସ୍ଥାନରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.