କରୋନାରେ ଚାଲିଗଲା ଶିକ୍ଷକଙ୍କ ଜୀବନ, ସ୍ଥାନୀୟ ଅଞ୍ଚଳରେ ଖେଳିଗଲା ଦୁଃଖର ଛାୟା

Published By : Prameya-News7 Bureau | August 30, 2020 IST

ବାଲିକୁଦା୩୦/୮: କରୋନାରେ ଚାଲିଗଲା ଜଣେ ଶିକ୍ଷକଙ୍କ ଜୀବନ। ସେ ବାଲିକୁଦା ବ୍ଲକ ଗରାମ ପଞ୍ଚୟତ ଗରାମ-ଚଅଁରପୁର ସ୍ଥିିତ ଦଧିବାବନ ଜିଉ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ତାଙ୍କ ଘର କୃଷ୍ଣଦାସପୁର ପଞ୍ଚାୟତ କୃଷ୍ଣଦାସପୁର ଗାଁରେ । ତାଙ୍କ ନାମ ମନୋଜ ଗୋଚ୍ଛାୟତ (୫୭)ବୋଲି ଜଣାପଡ଼ିଛି ।

ମନୋଜ ଗତ ୧୮ ତାରିଖରୁ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ । ସେ ଜଗତସିଂହପୁରରେ ଡାକ୍ତରଙ୍କ ପରାମର୍ଶ କରି ଔଷଧ ଖାଇଥିଲେ। ସେତେବେଳେ ଡାକ୍ତର ତାଙ୍କର କରୋନା ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ। ହେଲେ ଏହାକୁ ସେ ହେୟ ମନେ କରିଥିଲେ । ପରେ ଜ୍ୱର ନ ଛାଡ଼ିବାରୁ ପୁଣି ଜଗତସିଂହପୁର ଯାଇଥିଲେ ଓ ସେଠାରେ ତାଙ୍କର ଆଣ୍ଟିଜେନ ପରୀକ୍ଷା କରାଯାଇ ଥିଲା ।

ହେଲେ ରିପୋର୍ଟ ନେଗେଟିଭ ଆସିଥିଲା । ମାତ୍ର ଡାକ୍ତରଙ୍କର ସନ୍ଦେହ ତୁଟି ନ ଥିଲା । ଆର୍ଟିଫିସିଆଲ ପାଇଁ ପଠା ଯାଇଥିଲା । ଏପଟେ ରିପୋର୍ଟ ଆସିବା ପର୍ଯ୍ୟନ୍ତ ତାଙ୍କୁ ହୋମକ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇ । ଏହା ଭିତରେ ଗତ ୨୪ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା । ଏହା ଭିତରେ ତାଙ୍କ ପରିବାରର ଅନ୍ୟ ସଦସ୍ୟ ମାନଙ୍କର କୋଭିଡ଼ ଟେଷ୍ଟ କରାଯାଇଥିଲା ଓ ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଥିଲା ।

ହୋମ କ୍ୱାରେଣ୍ଟାଇନ୍‌ରେ ରହିଥିବା ଭିତରେ ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ବାଧ୍ୟ ହୋଇ ପରିବାର ଲୋକେ ତାଙ୍କୁ କୋଭିଡ଼ ନେଇଯିବାକୁ ୧୦୪ କୁ ଯୋଗାଯୋଗ କରିଥିଲେ। ୧୦୪ରୁ ଗାଡି ଆସିବା ପୂର୍ବରୁ ଜଗତସିଂହପୁରରୁ ଆଇସୋଲେସନ ୱାର୍ଡରୁ ଗାଡି ପଠାଯାଇ ତାଙ୍କୁ କୋଭିଡ଼ ହସ୍ପିଟାଲକୁ ନେବାର ବନ୍ଦୋବସ୍ତ କରାଯାଇଥିଲା ।

ତାଙ୍କର ମଧୁମେହ, ରକ୍ତଚାପ ରୋଗ ଥିବାରୁ ପ୍ରଥମେ ତାଙ୍କୁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପରେ ତାଙ୍କୁ ପାରାଦୀପ କୋଭିଡ଼ ହସ୍ପିଟାଲକୁ ପଠାଇ ଦିଆ ଯାଇଥିଲା । ପାରାଦୀପ କୋଭଡ୍ ହସ୍ପିଟାଲରେ ଚିକିତ୍ସା ଚାଲିଥିଲେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ନ ଆସିବାରୁ ତାଙ୍କୁ ଗତକାଲି ରାତିରେ ଭୁବନେଶ୍ୱର ସ୍ଥିତ ଏକ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.