ବାହାଘର ନିମନ୍ତ୍ରଣ କାର୍ଡରେ କରୋନା ସଚେତନତା ବାର୍ତ୍ତା – ‘ଦୁଇ ଫୁଟ ଦୂରତା ଏବଂ ମାସ୍କ ଅନିବାର୍ଯ୍ୟ’
26/06/2020 at 3:29 PM

ସିଵାନ ୨୬/୦୬ : କରୋନା ସଙ୍କଟ ମଧ୍ୟରେ ବାହାଘର ପାଇଁ ସରକାର ବିଶେଷ ଗାଇଡଲାଇନ ଜାରି କରିଛନ୍ତି | ବିହାର ସିଵାନରେ ଲୋକେ ସରକାରଙ୍କ ଗାଇଡଲାଇନ ପାଳନ କରିବା ସହ ବାହାଘର ନିମନ୍ତ୍ରଣ ପତ୍ର ମାଧ୍ୟମରେ ମଧ୍ୟ ଲୋକଙ୍କୁ ସଚେତନ କରୁଛନ୍ତି | ବାହାଘର କାର୍ଡରେ ଲୋକେ କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ସଚେତନତା ବାର୍ତ୍ତା ଦେଉଛନ୍ତି | କାର୍ଡରେ ମେସେଜ ଲେଖାଯାଇଛି, ‘ ଦୁଇ ଫୁଟ ଦୂରତା ଏବଂ ମାସ୍କ ଅନିବାର୍ଯ୍ୟ’ | ଲୋକଙ୍କୁ ଏହିଭଳି ସଚେତନ କରାଯାଉଛି ଯେପରିକି ଲୋକଙ୍କୁ କରୋନା ଭଳି ମହାମାରୀରୁ ରକ୍ଷା କରାଯାଇପାରିବ | ଗତ କିଛି ମାସ ହେଲା ସାରା ଦୁନିଆ କରୋନା ବିରୋଧୀ ଯୁଦ୍ଧ ଜାରି ରଖିଛି | ଦେଶରେ ମଧ୍ୟ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି | ଯେଉଁଥିପାଇଁ ସାଧାରଣ ଜନଜୀବନ ବହୁ ମାତ୍ରାରେ ପ୍ରଭାବିତ ହୋଇଛି | କରୋନା ଯୋଗୁଁ ଚଳିତ ବର୍ଷ ବାହାଘର ରଙ୍ଗ ମଧ୍ୟ ଫିକା ପଡିଯାଇଛି |

ବିବାହ ବନ୍ଧନରେ ବାନ୍ଧି ହେବାକୁ ଥିବ ବର-କନ୍ୟାଙ୍କ ସହ ପରିବାରଲୋକଙ୍କୁ ମଧ୍ୟ ଅନେକ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡୁଛି | ବାହାଘର କାର୍ଡରେ ସଚେତନତା ବାର୍ତ୍ତା ପ୍ରିଣ୍ଟ କରାଯାଉଛି | ଏହାସହ କରୋନା ଭାଇରସରୁ ବଞ୍ଚିବା ପାଇଁ ସାବଧାନତା ପଦକ୍ଷେପ ଅବଲମ୍ବନ କରିବାକୁ ଲୋକଙ୍କୁ ଅପିଲ କରାଯାଇଛି |
ବାହାଘର କାର୍ଡରେ ପ୍ରିଣ୍ଟ ହୋଇଥିବା ସଚେତନତା ବାର୍ତ୍ତା ସିଵାନ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି | ସିଵାନ ଜିଲ୍ଲା ମେରବା ଅନ୍ତର୍ଗତ ମଝୋଲି ରୋଡ଼ରେ ରହୁଥିବା ବିଜୟ ପ୍ରସାଦଙ୍କ ପୁଅଙ୍କ ବାହାଘର କାର୍ଡରେ ଏହିଭଳି ସଚେତନତା ବାର୍ତ୍ତା ଦେଇ ଲୋକଙ୍କୁ ନିମନ୍ତ୍ରଣ କରିବା ସହ ସଚେତନ ମଧ୍ୟ କରାଉଛନ୍ତି | ବାହାଘରରେ ମାସ୍କ ପିନ୍ଧି ଆସିବାକୁ ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ସେ ଲୋକଙ୍କୁ କାର୍ଡ ଜରିଆରେ ନିବେଦନ କରିଛନ୍ତି |