ହାରିବ କରୋନା, ଜିତିବ ଦେଶ: ୫ ପ୍ରତିଶତ ତଳେ ୩୭୭ ଜିଲ୍ଲାର ସଂକ୍ରମଣ ହାର

Published By : Prameya-News7 Bureau | June 04, 2021 IST

ନୂଆଦିଲ୍ଲୀ ୦୪/୦୬ : ଦେଶର ୩୭୭ ଜିଲ୍ଲାରେ କରୋନା ସଂକ୍ରମଣ ମାମଲା ଧୀରେ ଧୀରେ ହ୍ରାସ ପାଉଛି । ଏହିସବୁ ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଖସିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ଶୁକ୍ରବାର କହିଛନ୍ତି ଯେ ଯେଉଁସବୁ ଜିଲ୍ଲାଗୁଡ଼ିକରେ ୧୦୦ କିମ୍ବା ତାଠାରୁ ଅଧିକ ମାମଲା ସାମ୍ନାକୁ ଆସୁଛି ସେସବୁ ଜିଲ୍ଲାରେ ସଂକ୍ରମଣ ମାମଲା ଲଗାତାର ହ୍ରାସ ପାଉଛି । ତେବେ ଦେଶରେ ଏବେ ବି ୨୫୭ ଜିଲ୍ଲା ଅଛି ଯେଉଁଠାରେ ପ୍ରତିଦିନ ୧୦୦ରୁ ଅଧିକ ମାମଲା ସାମ୍ନାକୁ ଆସୁଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ମେ' ୭ ତାରିଖରେ ଦେଶରେ କରୋନା ସଂକ୍ରମଣ ପିକରେ ଥିଲା । ତା' ତୁଳନାରେ ବର୍ତ୍ତମାନ ସଂକ୍ରମଣ ମାମଲା ୬୮ ପ୍ରତିଶତ ହ୍ରାସ ପାଇଛି । ବର୍ତ୍ତମାନ ନୂଆ ସଂକ୍ରମଣ ମାମଲାରେ ୬୬ ପ୍ରତିଶତ ମାମଲା କେବଳ ୫ଟି ରାଜ୍ୟରୁ ହିଁ ଆସୁଛି । ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ସ୍ଥିତି ପୂର୍ବ ଅପେକ୍ଷା ନିୟନ୍ତ୍ରଣରେ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ଏହି ତଥ୍ୟକୁ ଯଦି ବିଶ୍ଳେଷଣ କରାଯାଏ ତେବେ ଦେଶର ଅଧିକାଂଶ ସ୍ଥାନରେ ସଂକ୍ରମଣ ରୋକିବାରେ ସକ୍ଷମ ହୋଇଛୁ ।

ତାଛଡା ଟିକାକରଣ ଅଭିଯାନ ମଧ୍ୟ ଜାରି ରହିଛି । ଦେଶରେ ୧୭.୨ କୋଟି ନାଗରିକଙ୍କୁ ଅତିକମରେ ପ୍ରଥମ ଡୋଜ ଟିକା ଦିଆସରିଛି । ନୀତି ଆୟୋଗ ସଦସ୍ୟ(ସ୍ବାସ୍ଥ୍ୟ) ଡ.ଭିକେ ପଲ କହିଛନ୍ତି ଯେ, ଯଦି ଏହି ପରିସଂଖ୍ୟାନକୁ ଦେଖାଯାଏ ତାହେଲେ ଟିକାକରଣ ମାମଲାରେ ଭାରତ ଆମେରିକାଠୁ ଆଗରେ ଅଛି । ଶିଶୁଙ୍କୁ ଟିକାକରଣ ନେଇ ଭି କେ ପଲ କହିଛନ୍ତି ଯେ, କୋଭାକ୍ସିନ୍‌ ଓ ଜାଇଡସ୍‌ ତରଫରୁ ଶିଶୁଙ୍କ ଟିକା ଉପରେ ପରୀକ୍ଷଣ କରାଯାଉଛି ।

ଏଥିପାଇଁ ପ୍ରାୟ ୨୫ କୋଟି ଟିକା ଆବଶ୍ୟକ ପଡିବ । ଏଥିପାଇଁ ପ୍ରଥମେ ରଣନୀତି ପ୍ରସ୍ତୁତ କରିବାକୁ ହେବ ବୋଲି ସେ କହିଛନ୍ତି । ଶିଶୁଙ୍କ ଟିକାକରଣକୁ ନେଇ ସବୁ ତଥ୍ୟ ସଂଗ୍ରହ କରାଯିବ ଏବଂ ତାପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.