କରୋନା ସଂକ୍ରମିତ ମହିଳା ଜନ୍ମ ଦେଲେ ଯାଆଁଳା ଶିଶୁ, ଉଭୟ ନବଜାତ ସୁସ୍ଥ
24/05/2020 at 11:26 AM

ନୂଆଦିଲ୍ଲୀ ୨୪।୫: ଦେଶରେ କରୋନା ଭାଇରସ୍ ଦ୍ବାରା ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶ ହେଉଛି ଅନ୍ୟତମ । ଏଭଳି ସ୍ଥିତିରେ ଜଣେ କରୋନା ସଂକ୍ରମିତ ମହିଳା ଯାଆଁଳା ସନ୍ତାନ ଜନ୍ମ ଦେଇଛନ୍ତି । ଖୁସିର ଖବର ଯେ, ଉଭୟ ଶିଶୁ ସୁସ୍ଥ ଥିବା ଜଣାପଡିଛି ।
ଡାକ୍ତରଖାନାର ଦାୟିତ୍ବରେ ଥିବା ଡାକ୍ତର ସୁମିତ ଶୁକ୍ଲା କହିଛନ୍ତି ଯେ, ପ୍ରସବ ପରେ ମା’ ଏବଂ ଉଭୟ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । କୌଣସି ଅପରେସନ୍ ବିନା ଶିଶୁମାନେ ଜନ୍ମ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶର ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ଗ୍ରୀନ୍ ଜୋନ୍ ଅଞ୍ଚଳରେ ମଧ୍ୟ କିଛି ରିହାତି ଦିଆଯାଇଛି । ବର୍ତ୍ତମାନ ଗ୍ରୀନ୍ ଜୋନ୍ ରୁ ଅନ୍ୟ ଗ୍ରୀନ୍ ଜୋନ୍ ଅଞ୍ଚଳକୁ ଯିବାପାଇଁ କୌଣସି ପାସ୍ ଆବଶ୍ୟକ ହେବ ନାହିଁ ।
ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ଅନୁଯାୟୀ, ଯଦି ଗ୍ରୀନ୍-ଟୁ-ଗ୍ରୀନ୍ ଜୋନ୍ ଯାଉଛି, ମଝିରେ ରେଡ୍ ଜୋନ୍ ମଧ୍ୟ ଆସେ, ତେବେ ରାଜପଥରେ ପାସ୍ ର ଆବଶ୍ୟକତା ନାହିଁ।
ମଧ୍ୟପ୍ରଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ପ୍ରାୟ ୬ ହଜାରରେ ପହଞ୍ଚିଛି । କିନ୍ତୁ ଏହି ମହାମାରୀ ହେତୁ ସେଠାରେ ୨୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।