ସୁପର୍ ସ୍ପ୍ରେଡର୍ ସାଣ୍ଟା କ୍ଲଜ୍ : ଗିଫ୍ଟ ଦେବାକୁ ଆସିଥିବା ସାଣ୍ଟା କରୋନା ପଜିଟିଭ୍, ୧୫୭ ଲୋକ ସଂକ୍ରମିତ, ୧୮ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | December 27, 2020 IST

ନୂଆଦିଲ୍ଲୀ, ୨୭/୧୨:  ଏକ ବୃଦ୍ଧାଶ୍ରମରେ କରୋନା ସଂକ୍ରମିତ ସାଣ୍ଟା କ୍ଲଜ୍ ପାଇଁ ଏଠାରେ ରହୁଥିବା ୧୨୧ ଅନ୍ତେବାସୀ ଓ ୩୬ କର୍ମଚାରୀ ପଜିଟିଊ୍ ଚିହ୍ନଟ ହୋଇଛନ୍ତି । ଏହାସହ ୧୮ ସଂକ୍ରମିତ ଜୀବନ ମଧ୍ୟ ହାରିଛନ୍ତି । ବେଲଜିୟମରେ ଏହି ଘଟଣା ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।

ଡେଲିମେଲର ରିପୋର୍ଟ ଅନୁସାରେ, ୨ ସପ୍ତାହ ପୂର୍ବରୁ ସାଣ୍ଟା କ୍ଲଜ୍ ନିଜର କିଛି ସାଥୀଙ୍କୁ ଧରି ବେଲଜିୟମରେ ଥିବା ଏକ ବୃଦ୍ଧାଶ୍ରମକୁ ଆସିଥିଲେ । ସେଠାରେ ସେ ଅନ୍ତେବାସୀଙ୍କୁ ଉପହାର ମଧ୍ୟ ଦେଇଥିଲେ । କରୋନା ମାମଲା ବଢିବା ପରେ ସାଣ୍ଟାକୁ ସେଠାରେ ସୁପର ସ୍ପ୍ରେଡର୍ ବୋଲି କୁହାଯାଉଛି । ଗତ ୨୪ ଓ ୨୫ ତାରିଖରେ ଏହି ବୃଦ୍ଧାଶ୍ରମରେ ରହୁଥିବା  ୨ଜଣଙ୍କର ମୃତ୍ୟୁ ଘଟିଥିଲା । ଏହାର ୩ ଦିନ ପରେ ସାଣ୍ଟା କ୍ଲଜ୍ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ ।

ସ୍ଥାନୀୟ ମେୟର ବିମ୍ କିୟର୍ସ କହିଛନ୍ତି ଯେ, ଏହା ହେଉଛି ବୃଦ୍ଧାଶ୍ରମ ପାଇଁ କଳାଦିନ । ଆହୁରି ୧୦ ଦିନ ମଧ୍ୟ କଠିନ ରହିବ । ସାଣ୍ଟା କ୍ଲଜ ସମସ୍ତ ନିୟମ ମାନିଥିବା କୁହାଯାଉଥିଲେ ବି ଫଟୋରେ ନିୟମର ଉଲଙ୍ଘନ ହୋଇଥିବା ସ୍ପଷ୍ଟ ଜଣାପଡିଛି ।

ବେଲଜିୟମର ଜଣେ ବିଶେଷଜ୍ଞ କହିଛନ୍ତି ଯେ, ସାଣ୍ଟା ପାଇଁ କରୋନା ବ୍ୟାପିଥିବା ଅନୁମାନ କରାଯାଉଛି । ବୃଦ୍ଧାଶ୍ରମରେ ଖରାପ ବାୟୁ ଚଳାଚଳ ବ୍ୟବସ୍ଥାକୁ ମଧ୍ୟ ଏଥିପାଇଁ ଦାୟୀ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.