ଲକ୍ ଡାଉନ୍‌ରେ ବି ଲାଗିଲାନି ବ୍ରେକ୍‌, ଦେଶରେ କରୋନା ପଜିଟିଭଙ୍କ ସଂଖ୍ୟା ୬୮୬ ଛୁଇଁଲା

Published By : Prameya-News7 Bureau | March 26, 2020 IST

ନୂଆଦିଲ୍ଲୀ ୨୬।୩: ସାରା ବିଶ୍ବରେ କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି | ଭାରତରେ ଏହାର ମୁକାବିଲା ପାଇଁ ୨୧ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଲକ୍ ଡାଉନ୍ ର ଆଜି ହେଉଛି ଦ୍ବିତୀୟ ଦିନ | ଲକ୍ ଡାଉନ୍ ଯୋଗୁଁ ସାଧାରଣ ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାଦେଇଛି । ସରକାର ସହାୟତା ଯୋଗାଇଦେବାକୁ ଚେଷ୍ଟା ଜାରି ରଖିଛନ୍ତି । ତେବେ ଏହି ସମୟରେ ଦେଶରେ କରୋନା ସଂକ୍ରମିକଙ୍କ ସଂଖ୍ୟା ୬୦୦ ଅତିକ୍ରମ କରିଥିବାବେଳେ ୧୨ ଜଣ ପ୍ରାଣ ହରାଇସାରିଲେଣି ।
ଦେଶରେ କରୋନା ସଂକ୍ରମଣଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗୁରୁବାର ସକାଳେ ଏହି ସଂଖ୍ୟା ୬୮୬ ରେ ପହଞ୍ଚିଛି । ମଧ୍ୟପ୍ରଦେଶ ଏବଂ ଗୋଆରେ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୬୩୧ଟି ସଂକ୍ରମିତ ଥିବା ବେଳେ ୪୩ ଜଣ ସୁସ୍ଥ ହୋଇ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୨ ଜଣ ପ୍ରାଣ ହରାଇସାରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା କରାଯାଇଥିବା ୨୧ ଦିନିଆ ଲକ୍ ଡାଉନ୍ ର ଗୁରୁବାର ହେଉଛି ଦ୍ବିତୀୟ ଦିନ | ବୁଧବାର ପ୍ରଥମ ଦିନରେ ଏହାର ପ୍ରଭାବ ଦେଶର ବିଭିନ୍ନ ସ୍ଥାନରେ ଦେଖାଯାଇଥିଲା । ବହୁ ସଂଖ୍ୟାରେ ଲୋକ ଘରେ ରହିଥିବା ବେଳେ ଆବଶ୍ୟକ ସାମଗ୍ରୀ ନେବାପାଇଁ କିଚି ଲୋକ ଘରୁ ବାହାରକୁ ଆସିଥିଲେ। ଦେଶର ଅନେକ ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାଦେଇଥିଲା । କିଛି ଲୋକ ସରକାରଙ୍କ ପ୍ରତିବନ୍ଧକ କ୍ରମାଗତ ଭାବରେ ଭାଙ୍ଗୁଥିବା ବେଳେ କିଛି ଲୋକ ସାମାଜିକ ଦୂରତା ରକ୍ଷା କରୁଛନ୍ତି | ଗୋଟିଏ ପଟେ ଦେଶରେ କରୋନା ବିରୋଧରେ ଯୁଦ୍ଧ ଚାଲିଛି, ଅନ୍ୟପଟେ ଏହାର ମାମଲା ମଧ୍ୟ ବୃଦ୍ଧି ପାଉଛି।
ହରିୟାଣାରେ ମେଡିକାଲ ସେକ୍ଟରରେ କାମ କରୁଥିବା ଲୋକମାନେ ଯେଉଁମାନେ ଏହି ମାସରେ ଅବସର ନେବାକୁ ଥିଲେ ସେମାନଙ୍କ ଅବସର ସମୟ ଘୁଞ୍ଚାଇ ଦିଆଯାଇଛି । ଏହି ସମୟରେ ଡାକ୍ତର ଏବଂ ନର୍ସମାନଙ୍କର ଅଧିକ ଆବଶ୍ୟକତା ରହିଛି । ଏଭଳି ପରିସ୍ଥିତିରେ ହରିୟାଣା ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ସେପଟେ ଆଜି ଜି-୨୦ ଦେଶର ମୁଖ୍ୟମାନେ ଭେଟିବାକୁ ଯାଉଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ କରୋନା ଭାଇରସ୍ ସଂପର୍କରେ ଆଲୋଚନା କରାଯିବ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ ଏବଂ କରୋନା ନେଇ ଭାରତର ଯୋଜନାକୁ ବିଶ୍ବ ସମ୍ମୁଖରେ ଉପସ୍ଥାପନ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.