କୋଭିଡ୍ ହସ୍ପିଟାଲରେ ମଦର ଆସର ଜମାଇଲେ କରୋନା ପଜିଟିଭ୍, ଫଟୋ ଭାଇରାଲ ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | August 23, 2020 IST

ଧନବାଦ ୨୩।୦୮: ଝାଡଖଣ୍ଡର ଧନବାଦରେ ଡକାୟତି ଓ ମାରପିଟ୍‌ ଅଭିଯୋଗରେ ଗିରଫ କରୋନା ପଜିଟିଭ୍‌ର ଜଣେ ଅପରାଧୀ କୋଭିଡ୍-୧୯ ହସ୍ପିଟାଲରେ ମଦ ପିଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣାର ଫଟୋ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରବିବାର ଟ୍ଵିଟ୍ କରି ତଦନ୍ତ ଆଦେଶ ଦେଇଛନ୍ତି। ପୋଲିସ ସଣ୍ଟୁ ଗୁପ୍ତା ଓ ଛୋଟୁ ପ୍ରସାଦ ଗୁପ୍ତା ବିରୋଧରେ ମୋକଦ୍ଦମା ରୁଜୁ କରିଛି। ସଣ୍ଟୁ ଉପରେ ମଦ ପିଇବା ଏବଂ ଛୋଟୁ ଗୁପ୍ତା ବିରୋଧରେ ଭିଡିଓ ଭାଇରାଲ କରିବାର ଅଭିଯୋଗ ହୋଇଛି।

ମଦ ପିଉଥିବା ଫଟୋ ଭାଇରାଲ ହେବାରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଜ  ଆଡୁ ଘଟଣା ବିଷୟରେ ପଚାରି ବୁଝିଛନ୍ତି। ସେ ଟ୍ଵିଟ୍ ଜରିଆରେ ଧନବାଦ ଜିଲ୍ଲାପାଳଙ୍କୁ  ତଦନ୍ତ ଆଦେଶ ଦେଇଛନ୍ତି। ଏହା ସହିତ ସ୍ଵାସ୍ଥ୍ୟ ମନ୍ତ୍ରୀ ବନ୍ନା ଗୁପ୍ତାଙ୍କ ବ୍ୟତୀତ ଡିଜିପି ଓ ଧନବାଦ ପୋଲିସ ମଧ୍ୟ ମାମଲାକୁ ଗମ୍ଭୀରତାର ସହ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି। ପ୍ରାଥମିକ ତଦନ୍ତ ରିପୋର୍ଟ ଆଧାରରେ ସରାୟଢେଲା ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ସରକାରୀ ଆଦେଶର ଉଲ୍ଲଂଘନ ଓ ମହାମାରୀ ଅଧିନିୟମ ସହିତ ଅନ୍ୟ ଧାରା ଆଧାରରେ ଏଫଆଇଆର ରୁଜୁ କରାଯାଇଛି।

ରବିବାର ମଧ୍ୟାହ୍ନ ପ୍ରାୟ ୧୧ଟା ୪୫ରେ ଏସଡିଓ ଓ ଡିଏସପି  ଲ ଆଣ୍ଡ ଅର୍ଡର କୋଭିଡ୍ ହସ୍ପିଟାଲ ପହଞ୍ଚିଛନ୍ତି। ଦୁଇ ଅଧିକାରୀ ସେଠାରେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ରହି କାର୍ଯ୍ୟରତ ଡାକ୍ତର, ହସ୍ପିଟାଲ କର୍ମୀ ଓ ସୁରକ୍ଷା ଗାର୍ଡଙ୍କ ବ୍ୟତୀତ ସଣ୍ଟୁ ଗୁପ୍ତା ସହିତ ଅନ୍ୟ ପାଞ୍ଚ ଛଅ ଆକ୍ରାନ୍ତଙ୍କୁ ପଚରାଉଚୁରା କରିଛନ୍ତି।

ଭାଇରାଲ ଭିଡିଓରେ ଦେଖାଯାଉଥିବା ମଦ ବୋତଲର ସନ୍ଧାନ ମଧ୍ୟ କରାଯାଉଛି। ଅଧିକାରୀ ଏହାର ତଦନ୍ତ କରୁଛନ୍ତି ଯେ, ମଦ ବୋତଲ ଭିତରକୁ କେମିତି ପହଞ୍ଚିଲା। ସଣ୍ଟୁ ଗୁପ୍ତାର ବ୍ୟାଗ ତଲାସି ନିଆଯାଇଛି।  ସଣ୍ଟୁ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ମଦ  ବୋତଲରେ ପାଣି ଢାଳି ପିଉଥିବା ଅଧିକାରୀଙ୍କୁ କହିଛନ୍ତି। ବୋତଲରେ ମଦ ନଥିବା ସେ କହିଛି।

ଫଟୋରେ ସଣ୍ଟୁ ଗୁପ୍ତା ମଦ ପ୍ୟାକ୍ କରୁଥିବା ଦେଖିବାକୁ ମିଳିଛି। ତା ସମ୍ମୁଖରେ ଖାଇବା ପାଇଁ ଖାଦ୍ୟ ରହିଛି ଏବଂ ସେ ଗ୍ଲାସରେ ମଦ ଢାଳୁଥିବା ଦେଖିବାକୁ ମିଳିଛି। ସଣ୍ଟୁ ଗୁପ୍ତାକୁ ପୋଲିସ ଅଗଷ୍ଟ ୨୧ରେ ଗିରଫ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.