Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟରେ ଜାରି ରହିଛି କରୋନା ଆତଙ୍କ, ଦେଶରେ ୯୦ ହଜାର ଅତିକ୍ରମ କଲା ଆକ୍ରାନ୍ତଙ୍କ ସଂଖ୍ୟା

17/05/2020 at 7:41 PM

ଭୁବନେଶ୍ୱର, ୧୭|୦୫:  ରାଜ୍ୟରେ ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସମ୍ବଲପୁରରେ ପାଦ ଥାପିଛି କରୋନା ମହାମାରୀ। ରେଢାଖୋଲ ସବ୍ ଡିଭିଜନ ଅନ୍ତର୍ଗତ ଲୁହାପଙ୍କ କ୍ବାରାଣ୍ଟାଇନ ସେଣ୍ଟରରୁ ଏହି ଆକ୍ରାନ୍ତ ଜଣଙ୍କ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ   ଆଜି ରାଜ୍ୟରେ ୯୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଯାଏ ଓଡିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି।କରୋନା ମହାମାରୀ ଆଜି ଗଞ୍ଜାମରେ ଆଉ ଜଣଙ୍କ ଜୀବନ ନେଇଛି। ଏଯାଏ ରାଜ୍ୟରେ କୋରନା ମହାମାରୀରେ ମୃତ୍ୟୁ ସଂଖ୍ୟା ୪ କୁ ଛୁଇଁଛି। ଗତ ୨୪ ଘଣ୍ଟାରେ ଆଉ ୨୪ ଜଣ ସୁସ୍ଥ ହେବାପରେ ରାଜ୍ୟରେ ମୋଟ ୨୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୬୦୪ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି।

ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସମ୍ବଲପୁର ଜିଲ୍ଲାରେ ପାଦ ଥାପିଛି କରୋନା ମହାମାରୀ । ଏହାକୁ ମିଶାଇ କରୋନା ମ୍ୟାପରେ ଯୋଡି ହେଲାଣି ରାଜ୍ୟର ୨୨ ଜିଲ୍ଲା । ରେଢାଖୋଲ ସବ୍ ଡିଭିଜନ ଲୁହାପଙ୍କ କ୍ବାରାଣ୍ଟାଇନ ସେଣ୍ଟରରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯୁବକ ଜଣଙ୍କ ଅହମ୍ମଦାବାଦରୁ ଫେରିଥିଲେ । ଏହାକୁ ମିଶାଇ ଆଜି ରାଜ୍ୟରେ ୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁ ମାନଙ୍କ ମଧ୍ୟରୁ ୮୭ ଜଣ କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ବେଳେ ଅନ୍ୟ ୪ ଜଣ ସ୍ଥାନୀୟ ବାସିନ୍ଦା । ଆଜି ଭଦ୍ରକରୁ ସର୍ବାଧିକ ୨୮ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୧୭, ଗଞ୍ଜାମରୁ ୧୫, କଟକରୁ ୧୨, ପୁରୀରୁ ୭, କେନ୍ଦୁଝରୁ ୪,  ଖୋର୍ଦ୍ଧାରୁ ୩, ବଲାଙ୍ଗିରରୁ ୨, ସୁନ୍ଦରଗଡ଼ ଜଣେ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ ଛୁଇଁଛି ।

ରବିବାର ରାଜ୍ୟରେ କରୋନା ଆଉ ଜଣଙ୍କ ମୁଣ୍ଡ ନେଇଛି । ଗଂଜାମ ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି । ଗଞ୍ଜାମ ଜିଲ୍ଲାରେ କରୋନାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । କିନ୍ତୁ ପରେ ଏଥିରେ ସଂଶୋଧନ କରାଯାଇଛି। ସେପଟେ ଆଜି ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଯାଏ ମୋଟ ୨୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେଣି । ୬୦୪ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ସେପଟେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇବଢିଚାଲିଥିବାବେଳେ ଆଶ୍ବସ୍ତିକର ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ଦେଶରେ ଗତ ୨୪ ଘଣ୍ଟାରେ ପାଖାପାଖି ୫ ହଜାର ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ ପାଖାପାଖି ୪ ହଜାର ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ଟପିଛି ।  ଦୁଇ ଦିନ ମଧ୍ୟରେ ୧୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଶେଷ କରି ମହାରାଷ୍ଟ୍ର, ତାମିଲନାଡୁ ଏବଂ ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ବଢି ଚାଲିଛି । ବିଶ୍ବରେ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ଦେଶର ତାଲିକାରେ ଏକାଦଶ ସ୍ଥାନରେ ରହିଛି ଭାରତ।

   Related Posts