ଚିନ୍ତା ବଢାଇଲେ କଣ୍ଟେନମେଣ୍ଟ ଜୋନ୍ ଗ୍ରସୋରୀ ଭେଣ୍ଡର, ସ୍ତ୍ରୀ ସଂକ୍ରମିତ ହେବା ପରେ ପରିବାରର ୮ ସଦସ୍ୟ ବାହାରିଲେ ପଜିଟିଭ୍

Published By : Prameya-News7 Bureau | August 04, 2020 IST

ଆନନ୍ଦପୁର ୪।୮: ଆନନ୍ଦପୁର ପୌରାଞ୍ଚଳରେ ହୁ ହୁ ହୋଇ ବଢିଚାଲିଛି କରୋନା ସଂକ୍ରମଣ । ପୌରାଞ୍ଚଳରୁ ଆଉ ୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଆନନ୍ଦପୁର ଉପକାରାଗାର କର୍ମଚାରୀ ରହିଛନ୍ତି । ଅନ୍ୟପଟେ ପୌରାଞ୍ଚଳ ୩ନଂ ଓ୍ବାର୍ଡରୁ ୧୨ ଜଣ, ୫ନଂ ଓ୍ବାର୍ଡରୁ ୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ପୂର୍ବ ସକ୍ରଂମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସମସ୍ତ ଚିହ୍ନଟ କରୋନା ଆକ୍ରାନ୍ତଙ୍କୁ କେନ୍ଦୁଝର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ତରଫରୁ ସମଗ୍ର ପୌରାଞ୍ଚଳକୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଘରକୁ ଘର ବୁଲି କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

ଅନ୍ୟପଟେ ଚିନ୍ତା ବଢାଇଛନ୍ତି କଣ୍ଟେନମେଣ୍ଟ ଜୋନରେ ପ୍ରଶାସନ ଦ୍ବାରା ନିଯୁକ୍ତ ଗ୍ରସୋରୀ ଭେଣ୍ଡର । ଗତ ୨ ତାରିଖରେ ଆନନ୍ଦପୁର ପୌରାଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ପରେ ଲୋକଙ୍କୁ ଅତ୍ୟାବଶକୀୟ ଗ୍ରସୋରୀ ସାମଗ୍ରୀ ଯୋଗାଣ ପାଇଁ ନିୟୋଜିତ ଜଣେ ଗ୍ରସୋରୀ ଭେଣ୍ଡରଙ୍କ ସ୍ତ୍ରୀ ପୂର୍ବରୁ କରୋନା ଆକ୍ରାନ୍ତ ହୋଇଥିବାବେଳେ ତାଙ୍କ ପରିବାରରୁ ୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଏ ବିଷୟରେ ସ୍ଥାନୀୟ ପ୍ରଶାସନ ପରେ ଅବଗତ ହେବାରୁ ତାଙ୍କୁ ପରିବର୍ତ୍ତନ କରାଯାଇଥିବା କହିଛନ୍ତି ଆନନ୍ଦପୁର ଉପଜିଲ୍ଲାପାଳ । ହେଲେ ଗୋଟିଏ ଦିନ ଆନନ୍ଦପୁର ଅଞ୍ଚଳରେ ସଂପୃକ୍ତ ଭେଣ୍ଡର ଗୋଟିଏ ଦିନ ଗ୍ରସୋରୀ ଯୋଗାଣ କରିଥିବାରୁ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.