ଚିନ୍ତା ବଢାଇଲାଣି କରୋନା, ଜେଲ୍ର ଷ୍ଟାପ୍ ଓ କଏଦୀ କୋଭିଡ-୧୯ ସଂକ୍ରମିତ
23/07/2020 at 7:33 AM

ବ୍ରହ୍ମପୁର ୨୩।୦୭: ଡରାଇଲାଣି କରୋନା । ପ୍ରତିଦିନ ଶତାଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଭୟଙ୍କର ସ୍ଥିତି ଆଡକୁ ମୁହାଁଇଛି । ବୁଧବାର ଦିନ ଜିଲ୍ଲାରେ ସର୍ବାଧିକ ୩୭୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବ୍ରହ୍ମପୁର ସର୍କଲ୍ ଜେଲ୍ର ୧୦ ଷ୍ଟାଫ୍ ଏବଂ ୩୩ କଏଦୀ, ଅଭିଯୁକ୍ତ ସଂକ୍ରମିତ ଠାବ ହୋଇଛନ୍ତି । ପୂର୍ବରୁ ୮ ଜଣ ପଜିଟିଭ୍ ବାହାରିଥିବା ବେଳେ ଏବେ ସଂଖ୍ୟା ୫୧ ହୋଇଛି । ଜିଲ୍ଲାରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଥିବାରୁ ମୋଟ ସଂଖ୍ୟା ୬୭ ହୋଇଛି । ସେପଟେ ବୁଧବାର ଆଉ ୬୮ ଜଣ ସୁସ୍ଥ ହେବା ପରେ ଏହି ସଂଖ୍ୟା ୪୦୭୬ରେ ପହଞ୍ଚିଛି ।
ଗଞ୍ଜାମରେ ୨୫ ଯୋଦ୍ଧା ଓ ୩୪୪ ଆକ୍ଟିଭ୍ କଣ୍ଟାକ୍ଟ ଏବଂ ୨ ଜଣ ପ୍ରବାସୀ ସଂକ୍ରମିତ ବାହାରିଛନ୍ତି । ଫଳରେ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୩୬୨ ହୋଇଛି । ବ୍ରହ୍ମପୁର ମହାନଗରରେ ଚିହ୍ନଟ ହୋଇଛନ୍ତି ରେକର୍ଡସଂଖ୍ୟକ ୧୮୬ ଜଣ (୧୮୨ ଆକ୍ଟିଭ୍ କଣ୍ଟାକ୍ଟ ଓ ୪ ଯୋଦ୍ଧା) । ଏମାନେ ସମସ୍ତେ ସ୍ଥାନୀୟ ସଂକ୍ରମିତ । ଜିଲ୍ଲାରେ ୩ ଶହ ପାର୍ ଓ ବ୍ରହ୍ମପୁରରେ ଶହେ ପାର୍ ପଜିଟିଭ୍ ଠାବ ହେବାରେ ଏହା ହେଉଛି ଦ୍ୱିତୀୟ ଥର । ଦ୍ୱିତୀୟ ସ୍ଥାନରେ ରହିଛି ରଙ୍ଗେଇଲୁଣ୍ଡା ଯେଉଁଠାରୁ ୨୯ ଆକ୍ଟିଭ୍ କେସ୍ ଓ ୨ ଯୋଦ୍ଧା ସଂକ୍ରମିତ ବାହାରିଛନ୍ତି । ଏଠାରୁ ୨ ଜଣ ପ୍ରବାସୀ ମଧ୍ୟ ସଂକ୍ରମିତ ବାହାରିଛନ୍ତି ଯେଉଁମାନେ ସୁରଟ ଓ ବିହାରରୁ ଫେରିଥିଲେ ।
ଗଞ୍ଜାମରେ ଜଣେ ୪୦ ବର୍ଷୀୟ ମହିଳା ପଜିଟିଭ୍ ଯେକି ମଧୁମେହ ଓ ଉଚ୍ଚ ରକ୍ତଚାପରେ ମଧ୍ୟ ଆକ୍ରାନ୍ତ ଥିଲେ ତାଙ୍କର ମୃତ୍ୟୁ ଘଟିଛି । ମଧୁମେହରେ ଆକ୍ରାନ୍ତ ଜଣେ ୬୧ ବର୍ଷୀୟ ବୃଦ୍ଧ ଓ ମଧୁମେହ ସାଙ୍ଗକୁ ଉଚ୍ଚ ରକ୍ତଚାପରେ ପୀଡିତ ଆଉ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମଧ୍ୟ ଜୀବନ ଯାଇଛି । ଜିଲ୍ଲାରେ ମୋଟ ମୃତକଙ୍କ ମଧ୍ୟରେ ୬ ମହିଳା (୨ ବୃଦ୍ଧା), ୬୧ ପୁରୁଷ (୨୩ ବୃଦ୍ଧ) ରହିଛନ୍ତି । କେବଳ ଜୁଲାଇ ମାସରେ ଗଞ୍ଜାମରେ ୫୨ ଜଣଙ୍କ ଜୀବନ ଗଲାଣି, ୪୯୫୨ ଜଣ ସଂକ୍ରମିତ ହୋଇଥିବା ବେଳେ ୩୦୮୩ ଜଣ ସୁସ୍ଥ ହେଲେଣି ।
ମଣ୍ଡଳ କାରାଗାରର ଜେଲର୍ ଶଶୀକାନ୍ତ ମହାଳିକଙ୍କ ସମେତ ୧୦ ଷ୍ଟାଫ୍ ଓ ୩୩ କଏଦୀ ଆକ୍ରାନ୍ତ ହୋଇଥିବା କହିଛନ୍ତି ଜେଲ୍ ଅଧିକ୍ଷକ କୁଳମଣି ବେହେରା । ବ୍ରହ୍ମପୁର ମଣ୍ଡଳ କାରାଗାରରେ ପ୍ରଥମ କରି ଜୁନ୍ ୬ ତାରିଖରେ ୨ ଜଣ ଅଭିଯୁକ୍ତ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏକ ଆକ୍ରମଣ ତଥା ହତ୍ୟା ଉଦ୍ୟମ ମାମଲାରେ ଜରଡା ଥାନା ଦ୍ୱାରା ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କ ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହା ପରେ ୧୧ ତାରିଖରେ ଆଉ ଜଣେ ଅଭିଯୁକ୍ତ ସଂକ୍ରମିତ ବୋଲି ଜଣାଯାଇ ଥିଲା । ସପ୍ତାହକରେ ୮ ଜଣ ପଜିଟିଭ୍ ବାହାରିଥିବା ବେଳେ ଏବେ ସଂଖ୍ୟା ୫୦ ଟପିଛି ।