ହସ୍ପିଟାଲର ଦାୟିତ୍ବହୀନତା : ବେଡରୁ ଖସି ପଡ଼ି ଛଟପଟ ହୋଇ ଚାଲିଗଲା କରୋନା ରୋଗୀଙ୍କ ଜୀବନ
27/07/2020 at 11:00 AM

ହାଇଦ୍ରାବାଦ ୨୭/୭: ତେଲେଙ୍ଗାନାର କରୀମନଗରରେ କରୋନା ରୋଗୀଙ୍କ ସହ ଦାୟିତ୍ବହୀନତାର ଏକ ବଡ଼ ମାମଲା ସାମନାକୁ ଆସିଛି। କରୀମନଗରର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କ ବେଡରୁ ପଡ଼ିଯିବା ଫଳରେ ମୃତ୍ୟୁ ହୋଇଯାଇଛି। ଜିଲ୍ଲା ହସ୍ପିଟାଲରେ ରବିବାର ହୋଇଥିବା ଏହି ଘଟଣାରେ ୭୦ବର୍ଷ ବୟସ୍କା କରୋନା ରୋଗୀଙ୍କ ମୃତ୍ୟୁ ହୋଇଯାଇଛି। ତାଙ୍କୁ ଜୁଲାଇ ୨୨ତାରିଖରେ ଭର୍ତ୍ତି କରାଯାଇଥିଲା।
କୁହାଯାଉଛି ଯେ ମୃତକ ଗଙ୍ଗାଧାରା ମଣ୍ଡଲର କେ ଭେଙ୍କଟୟାପଲ୍ଲୀର ବାସିନ୍ଦା। ମୃତକଙ୍କୁ ଶ୍ବାସପ୍ରଶ୍ବାସ ଜନିତ ସମସ୍ୟା ଥିଲା। ସେଥିପାଇଁ ତାଙ୍କୁ ଅକ୍ସିଜେନ୍ ଦିଆଯାଉଥିଲା। ରବିବାର ରୋଗୀଜଣକ ବେଡରୁ ପଡ଼ି ଯାଇଥିଲେ ଏବଂ ଅକ୍ସିଜେନ୍ ସପ୍ଲାଏ ବନ୍ଦ ହୋଇଯାଇଥିଲା। ଏଥିପାଇଁ ରୋଗୀଙ୍କ ମୃତ୍ୟୁ ହୋଇଯାଇଥିଲା।
ଓ୍ବାର୍ଡ଼ରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଅଭିଯୋଗ ହେଉଛି ଯେ ୭୦ବର୍ଷ ବୟସ୍କ ବୟସ୍କଙ୍କ ବେଡରୁ ଖସିବା ଖବର ତୁରନ୍ତ ହସ୍ପିଟାଲ ପ୍ରଶାସନକୁ ଦିଆଯାଇଥିଲା,କିନ୍ତୁ କୌଣସି ଜରୁରୀ ପଦକ୍ଷେପ ନିଆଯାଇନଥିଲା। ନିଃଶ୍ବାସ ନେବାକୁ ଅସୁବିଧା ହେବାରୁ ରୋଗୀ ଛଟପଟ ହେଉଥିଲେ କିନ୍ତୁ ହସ୍ପିଟାଲରୁ କେହି ସାହାଯ୍ୟ ପାଇଁ ଆସିନଥିଲେ। ଶେଷରେ ରୋଗୀଙ୍କ ମୃତ୍ୟୁ ହୋଇଯାଇଥିଲା।