ହସ୍ପିଟାଲ ପ୍ରଶାସନର ଦାୟିତ୍ବହୀନତା: ଘରଲୋକଙ୍କୁ ଦେଲେ ଆଉ ଜଣଙ୍କ ଶବ, ଶ୍ରାଦ୍ଧ ଦିନ ସୁସ୍ଥ ହୋଇ ଘରକୁ ଫେରିଲେ କରୋନା ପୀଡିତ

Published By : Prameya-News7 Bureau | November 23, 2020 IST

କୋଲକାତା ୨୩/୧୧ : ଦେଶରେ କରୋନା ସଂକ୍ରମଣ ଜାରି ରହିଛି। କରୋନା କାଳରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ମଧ୍ୟ ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗରୁ ଏକ ଚକିତ କଲାଭଳି ଖବର ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣାରେ ହସ୍ପିଟାଲ ପ୍ରଶାସନର ଦାୟିତ୍ବହୀନତା ସାମ୍ନାକୁ ଆସିଛି। ହସ୍ପିଟାଲ ପ୍ରଶାସନ ଏକ ପରିବାର ଲୋକକୁ ଅନ୍ୟ ଜଣକ ଶବ ହସ୍ତାନ୍ତର କରିଥିଲା। ଉକ୍ତ ପରିବାରକୁ ଯାହାର ଶବ ଦିଆଯାଇଥିଲା ସେ ମଧ୍ୟ କରୋନା ସଂକ୍ରମିତ ଥିଲେ। ପରିବାର ଲୋକ ତାଙ୍କର ଅନ୍ତିମ ସଂସ୍କାର କରିଦେଇଥିଲେ।

ଅନ୍ତିମ ସଂସ୍କାର ପରେ ପରିବାର ଲୋକ ଶ୍ରାଦ୍ଧ କ୍ରିୟା କଲାବେଳେ ହସ୍ପିଟାଲ ପ୍ରଶାସନ ଫୋନ କରିଥିଲେ। ମିଡ଼ିଆ ରିପୋର୍ଟ ଅନୁଯାୟୀ, ହସ୍ପିଟାଲ ପ୍ରଶାସନ ଫୋନ କରି କହିଥିଲା ଯେ ତାଙ୍କ ସମ୍ପର୍କୀୟ ଯିଏ କରୋନାରେ ସଂକ୍ରମିତ ଥିଲେ ସେ ବର୍ତ୍ତମାନ ସମ୍ପୂର୍ଣ ସୁସ୍ଥ ଅଛନ୍ତି। ସେ ହସ୍ପିଟାଲରେ ଅଛନ୍ତି, ଆପଣ ଅନ୍ୟ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରିଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ନଭେମ୍ବର ୪ ତାରିଖରେ ଶିବଦାସ ମୁଖାର୍ଜୀଙ୍କୁ ବଳରାମପୁର ବାସୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ କରୋନାରେ ସଂକ୍ରମିତ ଥିଲେ। ୧୩ ତାରିଖରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ଏହାପରେ ତାଙ୍କ ପରିବାର ଲୋକ ଆସି ହସ୍ପିଟାଲରୁ ତାଙ୍କ ମୃତଦେହ ନେଇଯାଇଥିଲେ ଓ ତାଙ୍କର ଅନ୍ତିମ ସଂସ୍କାର କରିଦେଇଥିଲେ। କିନ୍ତୁ ପରେ ହସ୍ପିଟାଲ ପ୍ରଶାସନ ଫୋନ କରି କହିଥିଲା ଯେ ଶିବଦାସ ଜୀବିତ ଅଛନ୍ତି ଏବଂ ସୁସ୍ଥ ଅଛନ୍ତି।

ମାମଲାରେ ପ୍ରଶାସନ କହିଛି ଯେ ଯେଉଁ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରାଯାଇଛି ତାଙ୍କ ନାଁ ମୋହିନୀ ମୋହନ ମୁଖାର୍ଜୀ। ସେ ୭୫ ବର୍ଷ ବୟସ୍କ ଥିଲେ। ତାଙ୍କୁ ନଭେମ୍ବର ୪ ତାରିଖରେ ସେହି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୭ ତାରିଖରେ ତାଙ୍କୁ ବାରାସାତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଉଭୟଙ୍କ ସରନେମ ମୁଖାର୍ଜୀ ଥିବାରୁ ହସ୍ପିଟାଲ ପ୍ରଶାସନ ଦ୍ୱାରା ଏହିଭଳି ଭୁଲ ହୋଇଛି। 

କରୋନା ମୃତକଙ୍କ ଶବକୁ ପ୍ରତ୍ୱେକ୍ଟିଭ ଲେୟାରରେ ସୁରକ୍ଷିତ ରଖାଯାଇଥାଏ। କରୋନା ଯୋଗୁଁ ପରିବାରଲୋକ ମଧ୍ୟ ମୃତଦେହକୁ ଦୂରରୁ ଦେଖିଥିଲେ। ସେଥିପାଇଁ ସେମାନେ ମଧ୍ୟ ଜାଣିପାରିନଥିଲେ। ମାମଲାର ତଦନ୍ତ ପାଇଁ ଏକ ୪ଜଣିଆ କମିଟି ଗଠନ କରାଯାଇଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ମାମଲାର ତଦନ୍ତ ଆରମ୍ଭ କରିଛି। ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ ତାପସ ରାୟଙ୍କ କହିବାନୁଯାୟୀ, କମିଟି ରିପୋର୍ଟ ସ୍ୱାସ୍ଥ୍ୟ ବିଭାଗକୁ ପଠାଇ ଦିଆଯାଇଛି। ଏହି ମାମଲାରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଶିବଦାସଙ୍କ ଘରଲୋକ ଆସି ତାଙ୍କୁ ଘରକୁ ନେଇଯାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.