ଟଙ୍କା ନେବିନି କି ହସ୍ପିଟାଲ୍ ଯିବିନି : ଏଇଠି ବସିବି.. ଯିଏ ମୋ ପାଖକୁ ଆସିବ.. ତାକୁ ଗୋଡ଼େଇ ଗୋଡ଼େଇ ଛୁଇଁବି…

Published By : Prameya-News7 Bureau | August 10, 2020 IST

ଭୁବନେଶ୍ୱର ୧୦।୦୯: ହଜାରେ ଟଙ୍କା ନେବିନି କି ହସ୍ପିଟାଲ୍‌ ଯିବିନି । ଏଇଠି ବସିବି… । ଯିଏ ମୋ ପାଖକୁ ଆସିବ ତାକୁ ଗୋଡ଼େଇ ଗୋଡ଼େଇ ଛୁଇଁବି… ତମ ଉପରକୁ ଛେପ ପକାଇବି… । ସରକାର ଆସିଲେ ବିଚାର ହେବ ତା’ପରେ ଯାହା ହେବ । ଏହା କେଉଁ ନାଟକର କି ସିନେମାର ସଂଳାପ ନୁହେଁ । ଏହା ହେଉଛି ଆମ୍ବୁଲାନ୍ସରୁ ଡେଇଁ ରାସ୍ତାରେ ହଙ୍ଗାମା କରୁଥିବା ଜଣେ କରୋନା ସଂକ୍ରମିତଙ୍କ ଉତ୍ପାତର କାହାଣୀ ।

କୋରଡ଼କଣ୍ଟା ଅଞ୍ଚଳରେ ଜଣେ ବ୍ୟକ୍ତି ପଜିଟିଭ୍‌ ବାହାରିବା ପରେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ହୋଇଥିଲା । କଣ୍ଟାକ୍ଟ ଟ୍ରେସିଂ ବେଳେ ଏହି ଗାଁର ଯୋଗେନ୍ଦ୍ର ଜେନାଙ୍କ ଘରେ ରହୁଥିବା ଦୁଇଜଣ ଯୁବକ ସନ୍ଦେହ ଘେରକୁ ଆସିବାରୁ ସେମାନଙ୍କ ସ୍ୱାବ୍‌ ପରୀକ୍ଷା ହୋଇଥିଲା । ଦୁଇ ଜଣଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିବା ପାଇଁ କୁହାଯାଇଥିଲା । ରବିବାର ଉଭୟଙ୍କର ରିପୋର୍ଟ ପଜିଟିଭ୍‌ ଆସିଲା । ସଂକ୍ରମିତ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଡ୍ରାଇଭର ଭାବରେ କାମ କରୁଥିବା ବେଳେ ଅନ୍ୟ ଜଣଙ୍କ ରାଜମିସ୍ତ୍ରୀ ଭାବେ କାମ କରନ୍ତି । ସକାଳେ ଯେତେବେଳେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଆମ୍ବୁଲାନ୍ସ ପହଞ୍ଚିଲା ସେତେବେଳେ ଡ୍ରାଇଭର ଜଣକ କୋଭିଡ୍‌ ହସ୍ପିଟାଲ୍‌ ଯିବାକୁ ମନା କରିଦେଇଥିଲେ । ବହୁ କଷ୍ଟରେ ସ୍ଥାନୀୟ ସରପଞ୍ଚ ଓ ଏଏନ୍‌ଏମ୍‌ ଦିଦି ତାଙ୍କୁ ଆମ୍ବୁଲାନ୍ସରେ ବସାଇ ହସ୍ପିଟାଲ୍‌ ପଠାଇଥିଲେ । ଆମ୍ବୁଲାନ୍ସ ଡ୍ରାଇଭର ଦୁଇ କରୋନା ରୋଗୀଙ୍କୁ ନେଇ ହସ୍ପିଟାଲ୍‌ ଆସୁଥିଲେ ।

ପୁରୀ ବାଇପାସ୍‌ ସାଇମନ୍ଦିର ନିକଟରେ ପେଶାରେ ଡ୍ରାଇଭର ଥିବା କରୋନା ରୋଗୀ ଜଣଙ୍କ ପରିସ୍ରା ଯିବାକୁ ଆମ୍ବୁଲାନ୍ସ ଚାଳକଙ୍କୁ କହିଥିଲେ । ହେଲେ ଚାଳକ ଗାଡି ରଖି ନଥିଲେ । ରୋଗୀ ଜଣଙ୍କ ରାଗି ଯାଇ ଆମ୍ବୁଲାନ୍ସ ଚାଳକଙ୍କ ମୁଣ୍ଡ ଉପରେ ପରିସ୍ରା କରିଦେବେ ବୋଲି ଧମକ ଦେଇଥିଲେ । ଏହା ଶୁଣିବା ପରେ ଚାଳକ ଜଣଙ୍କ ଆମ୍ବୁଲାନ୍ସ ରଖିବାକୁ ବାଧ୍ୟ ହୋଇଥିଲା । ଆମ୍ବୁଲାନ୍ସ ରହିଛି କି ନାହିଁ, ରୋଗୀ ଜଣଙ୍କ ଗାଡ଼ିରୁ ଡେଇଁ ଦଉଡ଼ି ପଳାଇଥିଲା । ପଛରେ ବସିଥିବା ବିଏମ୍‌ସି କର୍ମଚାରୀ ଓ ଏଏନ୍‌ଏମ୍‌ ଗୋଡ଼ାଇ ଥିଲେ ମଧ୍ୟ ତାକୁ ଧରି ପାରିନଥିଲେ । ଶେଷରେ ପୁଲିସକୁ ଫୋନ କରି ସହାୟତା ମାଗିଥିଲେ । ଘଟଣାସ୍ଥଳ ତିନୋଟି ଥାନାର ସୀମାରେ ଥିବାରୁ ପ୍ରଥମେ ମଞ୍ଚେଶ୍ୱରର ଥାନା, ପରେ ଲକ୍ଷ୍ମୀସାଗର ଓ ସହିଦନଗର ଥାନା ପୁଲିସ ପହଞ୍ଚିଥିଲେ ।

ଆକ୍ରାନ୍ତଙ୍କୁ ଚାରିଆଡ଼ୁ ଘେରି ଧରିବା ପାଇଁ ଉଦ୍ୟମ କରିଥିଲେ । ହେଲେ ସେ ସାଇମନ୍ଦିର ରାସ୍ତା ଦେଇ ବାଲିଅନ୍ତା ଆଡ଼େ ପଳାଇବାକୁ ଉଦ୍ୟମ କରିଥିଲେ । ସ୍ଥାନୀୟ ଲୋକ ଠେଙ୍ଗାବାଡ଼ି ଧରି ଗୋଡ଼ାଇବାରୁ ସେ ପୁଣି ପୁରୀ ବାଇପାସରୁ ଫେରି ଗୋଟିଏ ଜାଗାରେ ବସିଥିଲା । ପୁଲିସ ଧରିବା ପାଇଁ ପାଖକୁ ଯିବାରୁ ଛେପ ପକାଇବାକୁ ଗୋଡ଼ାଇଥିଲା । ପୂର୍ବାହ୍ନ ସାଢ଼େ ୧୧ରୁ ଅପରାହ୍ନ ୨ଟା ୧୦ ପର୍ଯ୍ୟନ୍ତ ସେଠାରେ ପୁଲିସ-ଆକ୍ରାନ୍ତଙ୍କ ମଧ୍ୟରେ ଚାଲିଥିଲା ଛକାପଞ୍ଝା । ଶେଷରେ ଟ୍ରାଫିକ୍‌ ପୁଲିସ ଓ ଦୁଇ ଜଣ ଯୁବ ସାମ୍ବାଦିକ ବାଡି ଧରି ପିଟିବାକୁ ଉଦ୍ୟମ କରିବାରୁ ସେ ଦଉଡ଼ି ଆସି ଆମ୍ବୁଲାନ୍ସ ଭିତରେ ବସିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.