ରୂପ ବଦଳାଉଛି କରୋନା : ରିପୋର୍ଟ ନେଗେଟିଭ୍‌ ଆସିବାର କିଛି ଘଣ୍ଟା ପରେ ପ୍ରାଣ ହରାଉଛନ୍ତି ଆକ୍ରାନ୍ତ, ଚିନ୍ତାରେ ପକାଇଲାଣି ଏକାଧିକ ମାମଲା

Published By : Prameya-News7 Bureau | July 27, 2020 IST

ଅହମ୍ମଦାବାଦ ୨୭।୦୭: ସୁରଟ ପୌର ନିଗମ ଦ୍ୱାରା ପରିଚାଳିତ ସିମର ହସ୍ପିଟାଲରୁ ଗତ ଜୁଲାଇ ୧୭ରେ ହେମିବେନ ଚୋବାତିୟା ନାମ୍ନୀ ୭୦ ବର୍ଷୀୟା କୋଭିଡ ରୋଗୀଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା । ସୁରଟ ସହରର ପୁନାଠାରେ ତାଙ୍କ ଘର । ସେ କରୋନାକୁ ହରାଇବାରେ ସଫଳ ହୋଇଥିଲେ । ନମୁନା ରିପୋର୍ଟ ନେଗେଟିଭ୍‌ ଆସିବାରୁ ତାଙ୍କୁ ଡିସଚାର୍ଜ କରାଯାଇଥିଲା । କିନ୍ତୁ ଘରେ ପହଞ୍ଚିବାର କେଇ ଘଣ୍ଟା ପରେ ସେ ଆଖି ବୁଜିଥିଲେ । ସିମର ହସ୍ପିଟାଲ କର୍ତ୍ତୃପକ୍ଷ ଏହି ଘଟଣା ପାଇଁ ଚକିତ ହୋଇପଡ଼ିଥିଲେ । କିନ୍ତୁ ରାଜ୍ୟରେ ଏହି ଘଟଣା ପ୍ରଥମ ନ ଥିଲା ।

ଦୁଇମାସ ପୂର୍ବେ ଅହମ୍ମଦାବାଦରେ ମଧ୍ୟ ଏକ ସମାନ ଘଟଣା ସାମ୍ନାକୁ ଆସିଥିଲା । ସିଭିଲ୍‌ ହସ୍ପିଟାଲରୁ କରୋନା ଚିକିତ୍ସା ପରେ ସୁସ୍ଥ ହୋଇଥିବା ଛଗନ ମକୱାନା (୬୭) ନାମକ ବ୍ୟକ୍ତିଙ୍କୁ ମୃତାବସ୍ଥାରେ ଏକ ବସ୍‌ ଷ୍ଟପ୍‌ରୁ ଉଦ୍ଧାର କରାଯାଇଥିଲା। ମେ ମାସ ମଧ୍ୟଭାଗରେ ଏହି ଘଟଣା ଘଟିଥିଲା । ଚିକିତ୍ସାରେ କୌଣସି ତ୍ରୁଟି ନ ଥିଲା । ତାଙ୍କଠାରେ କୌଣସି ବଡ଼ ରୋଗ ବି ନ ଥିଲା । ତଥାପି ସେ କେମିତି ପ୍ରାଣ ହରାଇଲେ, ତାହାକୁ ନେଇ ଚିକିତ୍ସକମାନେ ଚିନ୍ତାରେ ପଡ଼ିଥିଲେ । ଏହାକୁ ନେଇ ଖୋଳତାଡ଼ ଆରମ୍ଭ ବି କରିଥିଲେ । ଭୂତାଣୁ ଛାଡ଼ିବା ପରେ ବି ଶରୀର ପ୍ରତି ବିପଦ ଟଳୁନାହିଁ। ଏହା ରକ୍ତ ଜମାଟ ଭଳି ସମସ୍ୟା ଡାକିଆଣୁଛି, ଯାହା ଧୀରେ ଧୀରେ ରୋଗୀକୁ ମୃତ୍ୟୁମୁଖକୁ ଟାଣିନେଉଛି ବୋଲି ଚିକିତ୍ସକମାନେ ଜାଣିବାକୁ ପାଇଥିଲେ । ଗୁଜରାଟରେ କରୋନାର ଏଭଳି ଭୟଙ୍କର ରୂପ ମୃତ୍ୟୁ ହାର ବୃଦ୍ଧିର କାରଣ ସାଜିବ ବୋଲି ଆଶଙ୍କା କରାଯାଉଛି ।

୬୮ ବର୍ଷୀୟ ଚିକିତ୍ସକ ତଥା କବି ଡ. ଦିଲୀପ ମୋଦିଙ୍କ କ୍ଷେତ୍ରରେ ବି ସମାନ ଘଟଣା ଘଟିଥିଲା । ତାଙ୍କର ଏକ୍ସ-ରେ ଓ ଅନ୍ୟାନ୍ୟ ରିପୋର୍ଟ ଠିକ୍‌ଠାକ୍‌ ଥିବା ଜୁଲାଇ ୧୫ରେ ଡାକ୍ତରମାନେ ତାଙ୍କ ପରିବାରକୁ ଜଣାଇଥିଲେ । କିନ୍ତୁ ସେହିଦିନ ସନ୍ଧ୍ୟାରେ ସେ ହଠାତ୍‌ ହୃଦ୍‌ଘାତରେ ପ୍ରାଣ ହରାଇଥିଲେ ।

ଗୁଜରାଟରେ ଏଭଳି ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସିବା ପରେ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ରାଜ୍ୟବାସୀ ବି ଭୟଭୀତ ହୋଇପଡ଼ିଛନ୍ତି । ଡାକ୍ତରମାନେ ଏବେ ଜନତାଙ୍କୁ କରୋନାଠାରୁ ଯଥାସାଧ୍ୟ ଦୂରେଇ ରହିବା ପାଇଁ ପରାମର୍ଶ ଦେଉଛନ୍ତି । କରୋନାର ପ୍ରଭାବ ଶରୀର ଉପରେ ଅନେକ ଦିନ ଧରି ରହୁଛି । ରିପୋର୍ଟ ନେଗେଟିଭ୍‌ ଆସିଲେ ବି ଶରୀର ଉପରେ ଭୂତାଣୁର ପ୍ରଭାବ ଲାଗିରହୁଛି । କରୋନା ଭୂତାଣୁ ଶରୀରରୁ ଚାଲିଯିବା ପରେ ବି ଅତ୍ୟଧିକ ଜ୍ୱଳନ ଏବଂ ‘ହାଇପର୍‌ କ୍ଲଟିଙ୍ଗ୍‌’ ଭଳି ବିପଦ କିଛି ରୋଗୀଙ୍କଠାରେ ରହୁଛି । ରୋଗୀ କରୋନାରୁ ସୁସ୍ଥ ହେବାର କିଛି ସପ୍ତାହ ପର୍ଯ୍ୟନ୍ତ ହାଇପର କ୍ଲଟିଙ୍ଗ୍‌ ବା ରକ୍ତ ଜମାଟର ଭୟ ରହୁଛି ବୋଲି ଡାକ୍ତରମାନେ କହିଛନ୍ତି ।

କରୋନା ଭୂତାଣୁ ଶରୀରରେ ଅଧିକ ସମୟ ରହିବା ଦ୍ୱାରା କିଛି ରୋଗୀଙ୍କ ଆଭ୍ୟନ୍ତରୀଣ ଅଙ୍ଗ କ୍ଷତିଗ୍ରସ୍ତ ହେଉଛି । ଦୃଢ଼ ପ୍ରତିରୋଧକ କ୍ଷମତା ଥିବା ଲୋକମାନେ ଏହାର ପ୍ରଭାବକୁ ରୋକିବାରେ ସମର୍ଥ ହେଉଛନ୍ତି । କିନ୍ତୁ କିଛି ଲୋକ ଏହି ପ୍ରଭାବରୁ ନିଜକୁ ସୁରକ୍ଷିତ ରଖିପାରୁ ନାହାନ୍ତି । ଗୁଜରାଟ କୋଭିଡ ଟାସ୍କଫୋର୍ସରେ ଥିବା ପଲ୍‌ମୋନୋଲୋଜିଷ୍ଟ ଡ. ତୁଷାର ପଟେଲ କହିଛନ୍ତି, ଶରୀରରେ କରୋନା ଭୂତାଣୁ ଅଧିକ ସମୟ ରହିବା ଦ୍ୱାରା ଏହା ହୃଦ୍‌ଘାତ, ମସ୍ତିଷ୍କାଘାତ ଭଳି ରୋଗ ସୃଷ୍ଟି କରି ରୋଗୀ ଜୀବନ ନେଇଯାଉଛି ।

ବରିଷ୍ଠ ଚିକିତ୍ସକ ଡ. ସୁଧେନ୍ଦୁ ପଟେଲ କହିଛନ୍ତି, ବିନୁଭାଇ ପାର୍ମର ନାମକ ଅବସରପ୍ରାପ୍ତ ପୁଲିସ ଅଧିକାରୀ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିଲେ । ତାଙ୍କର ନମୁନା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା । କିନ୍ତୁ ଡିସ୍‌ଚାର୍ଜ ହେବାର ସପ୍ତାହେ ପରେ ମସ୍ତିଷ୍କାଘାତ ଯୋଗୁ ସେ ପ୍ରାଣ ହରାଇଥିଲେ । ରୋଗୀ ଜଣକ ସବୁବେଳେ ଚୁପ୍‌ଚାପ୍‌ ରହୁଥିଲେ । ସେ ଅବସାଦ ଦେଇ ଗତି କରୁଥିବା ଆମେ ସନ୍ଦେହ କରିଥିଲୁ । କିନ୍ତୁ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବା ପରେ ଜାଣିବାକୁ ପାଇଥିଲୁ । ତାଙ୍କ ମୁତାବକ କରୋନା ଭୂତାଣୁ ଯିବା ପରେ ବି ଶରୀର ବିପଦମୁକ୍ତ ହେଉନାହିଁ । ଭୂତାଣୁର ଅବଶେଷାଂଶ ବି ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଉଛି । ଏଭଳି ଅନେକ ଘଟଣା ଘଟିବା ପରେ ଆମେ ଏ ନେଇ ସ୍ପଷ୍ଟ ହୋଇଛୁ ବୋଲି ନ୍ୟୁରୋଫିଜିସିଆନ୍‌ ଡ. ଶାଲିନ ଶାହ କହିଛନ୍ତି ।

କୋଭିଡ ଟାସ୍କଫୋର୍ସରେ ଥିବା ସଂକ୍ରମଣ ରୋଗ ବିଶେଷଜ୍ଞ ଡ. ଅତୁଲ ପଟେଲ କହିଛନ୍ତି, କରୋନା ଭୂତାଣୁ ସମ୍ପୂର୍ଣ୍ଣ ନୂଆ। ଦୀର୍ଘମିଆଦୀ ଭାବେ ଏହା କେଉଁଭଳି ଭାବେ ମନୋଭାବ ପରିପ୍ରକାଶ କରୁଛି କିମ୍ବା ଏହାର ମତିଗତି କ’ଣ, ତାହା ବୁଝାପଡୁ ନାହିଁ । ଏଥିପାଇଁ ବ୍ୟାପକ ଅଧ୍ୟୟନର ଆବଶ୍ୟକତା ରହିଛି । ତେବେ କ୍ଲଟିଙ୍ଗ୍‌(ରକ୍ତ ଜମାଟ)ର ଶିକାର ହେଉଥିବା ରୋଗୀମାନେ କରୋନାରୁ ସୁସ୍ଥ ହେବା ପରେ ବି ସେମାନଙ୍କର ଚିକିତ୍ସା ଜାରି ରହିବା ଆବଶ୍ୟକ । ସେମାନଙ୍କଠାରେ ସୃଷ୍ଟି ହେଉଥିବା ଅନ୍ୟ ରୋଗର ପ୍ରତିକାର ହେଲେ ଜୀବନ ରକ୍ଷା କରାଯାଇ ପାରିବ । ନିୟମିତ ବ୍ୟବଧାନରେ ଏଭଳି ରୋଗୀଙ୍କର ଡି-ଡାଇମର୍‌ ସେଲ୍‌ ସ୍ତର ଯାଞ୍ଚ କରାଯିବା ଜରୁରି ।

ଉଲ୍ଲେଖଯୋଗ୍ୟ, ଗୁଜରାଟରେ ଏ ପର୍ଯ୍ୟନ୍ତ ମୋଟ ୫୪ ହଜାର ୬୨୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୩୦୦ ଜଣ ପ୍ରାଣ ହରାଇଛନ୍ତି ଏବଂ ସୁସ୍ଥ ହୋଇଛନ୍ତି ୩୯,୬୩୧ । ୧୨, ୬୯୫ ଜଣ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.