ପାଟନା ୧୪/୦୪ : ବିହାର ସରକାର କରୋନା ସଂକ୍ରମଣକୁ ନେଇ ନାନା ଦାବି କରୁଛନ୍ତି। କିନ୍ତୁ ସତ ଭିନ୍ନ। ପ୍ରାୟ ସବୁ ସରକାରୀ ହସ୍ପିଟାଲଗୁଡିକର ଅବସ୍ଥା ଦୟନୀୟ। ସ୍ଥିତି ବର୍ତମାନ ଏହିଭଳି ହୋଇଯାଇଛି ଯେ ପାଟନା ଏମ୍ସ, ପିଏମସିଏଚ,ଆଇଜିଆଇଏମଏସ କିମ୍ବା ଏନଏମସିଏଚରେ ରୋଗୀଙ୍କୁ ବେଡ଼ ମିଳୁନାହିଁ। ଚିକିତ୍ସା ଅଭାବରୁ ଅନେକ ରୋଗୀଙ୍କ ମୃତ୍ୟୁ ହେଉଛି।
ବୁଧବାର ଦିନ ଲଖିସରାୟରୁ ପାଟନା ଯାଇଥିବା ଜଣେ ବ୍ୟକ୍ତିଙ୍କ ଏନଏମସିଏଚରେ ମୃତ୍ୟୁ ହୋଇଛି। ତାଙ୍କୁ ହସ୍ପିଟାଲରେ ବେଡ୍ ମିଳିନଥିଲା। ମୃତକଙ୍କ ପୁଅ ଅଭିମନ୍ୟୁ କୁମାର କହିଛନ୍ତି ଯେ ସେ ମଙ୍ଗଳବାର ଦିନ ଲଖିସରାୟରୁ ନିଜ ପିତାଙ୍କୁ ନେଇ ପାଟନା ଏମ୍ସ ଯାଇଥିଲେ। ହସ୍ପିଟାଲରେ ବେଡ଼ ଖାଲି ନାହିଁ କହି ତାଙ୍କୁ ହସ୍ପିଟାଲ ଭର୍ତ୍ତି କରାଯାଇନଥିଲା। ତାପରେ ସେ ନିଜ ପିତାଙ୍କୁ ନେଇ ଏନଏମସିଏଚ ଗଲେ। ସେଠାରେ ମଧ୍ୟ ତାଙ୍କ ପିତାଙ୍କୁ ଭର୍ତ୍ତି କରାଯାଇନଥିଲା। ପ୍ରାୟ ଦେଢ଼ ଘଣ୍ଟା ଯାଏଁ ସେ ନିଜ ପିତାଙ୍କୁ ଧରି ଖରାରେ ଛିଡା ହୋଇଥିଲେ।
ପୁଅର ସତ ଚେଷ୍ଟା କରିଥିଲେ ଯେ ପିତାଙ୍କୁ ଟିକେ ଛାଇରେ ବସେଇ ପାରିବେ। ପିତାଙ୍କୁ ଛାଇରେ ବସାଇ ହସ୍ପିଟାଲରେ ଭର୍ତ୍ତି କରିବାକୁ ବହୁତ ଚେଷ୍ଟା କରିଥିଲେ। କିନ୍ତୁ କେହି ତାଙ୍କ କଥା ଶୁଣିନଥିଲେ। ଖରାରେ ଛିଡା ହୋଇ ତାଙ୍କ ପିତାଙ୍କ ପ୍ରାଣବାୟୁ ଉଡ଼ିଗଲା।
ବୁଧବାର ଦିନ ଏନଏମସିଏଚ ନିରୀକ୍ଷଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ମଙ୍ଗଳ ପାଣ୍ଡେ ପହଞ୍ଚିଥିଲେ। ହସ୍ପିଟାଲରେ ସବୁ ସୁବିଧା ଉପଲବ୍ଧ ରହିଛି ବୋଲି ସେ ଅନେକ ଦାବି କରିଥିଲେ। କିନ୍ତୁ ମନ୍ତ୍ରୀଙ୍କ କଥା ଯଦି ସତ ହୋଇଥାନ୍ତା ତାହେଲେ ସମ୍ଭବତଃ ଅଭିମନ୍ୟୁ କୁମାରଙ୍କ ପିତାଙ୍କ ମୃତ୍ୟୁ ହୋଇନଥାନ୍ତା। ଅବହେଳା ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି। ମାମଲା ସମ୍ପର୍କରେ ଯେତେବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ମଙ୍ଗଳ ପାଣ୍ଡେଙ୍କୁ ପ୍ରଶ୍ନ କରାଯାଇଥିଲା ସେ କହିଥିଲେ ଯେ ସବୁ ସମ୍ଭବ ସୁବିଧା ଯୋଗାଇ ଦେବାକୁ ପ୍ରୟାସ କରାଯାଉଛି। ରୋଗୀଙ୍କ ସଂଖ୍ୟା ବଢିଛି। କୌଣସି ରୋଗୀର ମୃତ୍ୟୁ ହେଲେ ଦୁଃଖ ହୁଏ ବୋଲି ସେ କହିଛନ୍ତି।