ଦିଲ୍ଲୀରେ ପୁଣି ଚିନ୍ତାଜନକ ହେଉଛି କରୋନା, ଗତ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ୫ହଜାର ୫ଶହରୁ ଅଧିକ ଲୋକେ

Published By : Prameya-News7 Bureau | October 28, 2020 IST

ନୂଆଦିଲ୍ଲୀ ୨୮।୧୦: କିଛି ସମୟ ପୂର୍ବରୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ କରୋନା ଭାଇରସ ମହାମାରୀ ଲାଗି ଦେଶରେ ଚର୍ଚ୍ଚାରେ ଥିଲା। ତେବେ କ୍ରମଶଃ ସଂକ୍ରମଣ ନିୟନ୍ତ୍ରିତ ହେବାରୁ ଦେଶରେ ଦିଲ୍ଲୀ ମଡେଲର ଉଦାହରଣ ଦିଆଯାଉଥିଲା। ହେଲେ ଏବେ ଏଠାରେ ପୁଣି କରୋନା ସଂକ୍ରମଣ ବଢିବାରେ ଲାଗିଲାଣି। ରାଜଧାନୀରେ ଗତ ୨୪ ଘଣ୍ଟାରେ ନୂଆ ୫ହଜାର ୫ଶହ କରୋନା ଭାଇରସ ମାମଲା ସାମ୍ନାକୁ ଆସିଥିବା ଜଣାପଡିଛି।

ନୂତନ ସଂକ୍ରମିତଙ୍କ ଚିହ୍ନଟ ସହ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର ୩.୭ ଲକ୍ଷ ପାର କରିଛି। ରାଜଧାନୀରେ ଗତ ୨୪ ଘଣ୍ଟାରେ ୪୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଫଳରୋ ମୋଟ କୋଭିଡ ମୃତ୍ୟୁ ସଂଖ୍ୟା ରାଜଧାନୀରେ ୬ ହଜାର ୩୯୬ରେ ପହଞ୍ଚିଛି। ଦିଲ୍ଲୀରେ ଗୋଟିଏ ଦିନ ପୂର୍ବରୁ ଅର୍ଥାତ ମଙ୍ଗଳବାର ଦିନ ୪ ହଜାର ୮୫୩ ନୂଆ ମାମଲା ଚିହ୍ନଟ ହୋଇଥିଲା।

ରାଜଧାନୀରେ ପୁଣି କରୋନା ସଂକ୍ରମଣକୁ ଦେଖି ସରକାର ସ୍କୁଲ ଖୋଲିବାର ନିଷ୍ପତ୍ତି ପ୍ରତ୍ୟାହାର କରିଛନ୍ତି। ଏ ନେଇ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ସୂଚିତ କରିଥିବା ବେଳେ ଆଗାମୀ ଆଦେଶ ପର୍ଯ୍ୟନ୍ତ ରାଜଧାନୀରେ କୌଣସି ସ୍କୁଲ ଖୋଲିବନି ବୋଲି କହିଛନ୍ତି। ଏହା ପୂର୍ବରୁ ସରକାର ଅକ୍ଟୋବର ୩୧ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରହିବ ବୋଲି ବିଜ୍ଞପ୍ତି ଜାରି କରିଥିଲେ।

ପ୍ରସଙ୍ଗରେ ଆମେ ଲଗାତାର ଅଭିଭାକଙ୍କ ସହ ସମ୍ପର୍କରେ ଥିବା ସିସୋଦିଆ କହିଛନ୍ତି। ତେବେ ସ୍କୁଲ ପୁଣି ଖୋଲିବା ସୁରକ୍ଷିତ ହେବ କି ନା ତାହା ଏପର୍ଯ୍ୟନ୍ତ ଚିନ୍ତାର ବିଷୟ ହୋଇ ରହିଛି। ଏପର୍ଯ୍ୟନ୍ତ ବିଶ୍ୱର ଯେଉଁଠି ବି ସ୍କୁଲ ଓ ଅନ୍ୟ ଶିକ୍ଷାନୁଷ୍ଠାନ ଖୋଲିଛି ସେଠାରେ କୋଭିଡ ସଂକ୍ରମଣ ବଢୁଥିବାର ଦେଖାଯାଇଛି। ଏଣୁ ଜାତୀୟ ରାଜଧାନୀରେ ଏବେ ଆମେ ସ୍କୁଲ ନ ଖୋଲିବାକୁ ନିଷ୍ପତ୍ତି ନେଇଥିବା ସିସୋଦିଆ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.