Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କର୍ଫ୍ୟୁରେ କାବୁ ହେଲା ନାହିଁ କରୋନା, ମେ ୧୦ରୁ ରାଜ୍ୟରେ ସଂପୂର୍ଣ୍ଣ ଲକ୍‌ଡାଉନ୍

7/05/2021 at 9:31 PM

ବେଙ୍ଗାଲୁରୁ ୦୭।୦୫: କରୋନା ଭାଇରସ୍‌ର ମୁକାବିଲା ପାଇଁ ଶେଷରେ କର୍ଣ୍ଣାଟକ ସରକାର ମେ ୧୦ରୁ ରାଜ୍ୟବ୍ୟାପୀ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଶୁକ୍ରବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା କହିଛନ୍ତି, ରାଜ୍ୟରେ କରୋନା ପ୍ରପୋକ ଲଗାତାର ବଢିବାରେ ଲାଗିଛି। କର୍ଫ୍ୟୁ ପରେ ବି ସ୍ଥିତିରେ କୌଣସି ସୁଧାର ଆସିନାହିଁ। ଫଳରେ ଏବେ ମେ ୧୦ ସକାଳ ୬ଟାରୁ ମେ ୨୪ ସକାଳ ୬ଟା ଯାଏଁ ରାଜ୍ୟରେ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ସମୟରେ ଲକ୍‌ଡାଉନ୍ ସମୟରେ ରାଜ୍ୟରେ ସମସ୍ତ ହୋଟେଲ୍, ପବ୍, ବାର ବନ୍ଦ ରହିବ। ଜରୁରୀକାଳୀନ ସେବା ଜାରି ରହିବା ସହ ମାଛ, ମାଂସ, ଅଣ୍ଡା, କ୍ଷୀର ଏବଂ ପନିପରିବା ଦୋକାନ ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ।

ସୂଚନାଯୋଗ୍ୟ, କର୍ଣ୍ଣାଟକରେ ଗୁରୁବାର କରୋନା ଭାଇରସ୍‌ର ନୂତନ ୪୯,୦୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟି ୧୭ ଲକ୍ଷ ୯୦ ହଜାର ୧୦୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କରୋନାରେ ୩୨୮ ରୋଗୀଙ୍କ ମୃତ୍ୟୁ ପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭,୨୧୨କୁ ବୃଦ୍ଧି ଘଟିଛି।

ବେଙ୍ଗାଲୁରୁ ସହରରେ ଗତ ୨୪ ଘଣ୍ଟାରେ ୨୩,୭୦୬ ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ୧୩୯ ଜଣଙ୍କ ମୃତ୍ୟୁ ଘଟିଛି। ବିଭାଗ ଅନୁଯାୟୀ ରାଜ୍ୟରେ ସଂପ୍ରତି ୫,୧୭, ୦୭୫ ରୋଗୀ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ ଆଜି ୧୮,୯୪୩ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ପର୍ଯ୍ୟନ୍ତ ମୋଟ୍ ୧୨, ୫୫, ୭୯୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

   Related Posts