ଦକ୍ଷିଣ ଭାରତରେ ଦ୍ରୁତ ଗତିରେ ବ୍ୟାପୁଛି କରୋନାର ନୂଆ ଭାରିଏଣ୍ଟ N440K , ଗବେଷକ ଦେଲେ ତଥ୍ୟ

Published By : Prameya-News7 Bureau | February 21, 2021 IST

ନୂଆଦିଲ୍ଲୀ, ୨୧|୦୨ : ଦେଶରେ କରୋନା ଆତଙ୍କ ଥମିବାରେ ଲାଗିଛି । କିନ୍ତୁ ଭାଇରସର ନୂଆ ଷ୍ଟ୍ରେନ୍ ଚିନ୍ତା ବଢାଇ ଦେଇଛି । ହାଇଦ୍ରାବାଦ ସ୍ଥିତ ବୈଜ୍ଞାନିକ ଏବଂ ଔଦଗ୍ୟିକ ଅନୁସନ୍ଧାନ ପରିଷଦର ସେଣ୍ଟର ଫର୍ ସେଲ୍ୟୁଲର ଆଣ୍ଡ ମାଲିକ୍ୟୁଲର ବାୟୋଲୋଜି ବା ସିସିଏମବି ଏକ ବଡ ତଥ୍ୟ ସାମ୍ନାରେ ରଖିଛି । କରୋନା ଭାଇରସର ନୂଆ ଭାରିଏଣ୍ଟ୍ ଦେଶର କିଛି ରାଜ୍ୟରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହା ଉପରେ ସ୍ୱତନ୍ତ୍ର ନଜର ରଖିବା ଆବଶ୍ୟକ ବୋଲି ସିସିଏମବି କହିଛି ।

ସିସିଏମବିର ରିପୋର୍ଟ ଅନୁସାରେ, ସାରା ବିଶ୍ୱରେ ଭାଇରସର ଯେଉଁ ନୂଆ ଭାରିଏଣ୍ଟ ଦେଖିବାକୁ ମିଳିଛି ତାହାର ପ୍ରଭାବ କିନ୍ତୁ ଭାରତରେ କମ୍ ରହିଛି । ଭାଇରସର ନୂଆ ରୂପକୁ ଅଧିକରୁ ଅଧିକ ଅଧ୍ୟୟନ କରାଯାଉଛି । ସିସିଏମବିର ନିର୍ଦ୍ଦେଶକ ରାକେଶ ମିଶ୍ରା କହିଛନ୍ତି ଯେ, କରୋନା ଭାଇରସର ଏନ୪୪୦କେ ଭାରିଏଣ୍ଟ ଦକ୍ଷିଣ ଭାରତରେ ଦ୍ରୁତ ଗତିରେ ବ୍ୟାପୁଛି । ଏହାକୁ ରୋକିବା ଆବଶ୍ୟକ । ସଠିକ ସମୟରେ ନୂଆ ଭାରିଏଣ୍ଟକୁ ଚିହ୍ନଟ କରିବା ଜରୁରୀ । ଏହି ଭାଇରସ ବିରୋଧରେ ଭାକସିନ୍ ଜରୁରୀ । ସାମାଜିକ ଦୂରତା ରକ୍ଷା କରିବା କରିବା ସହ ମାସ୍କ ପିନ୍ଧିବା ଜରୁରୀ । ଏହି ଅଧ୍ୟୟନରେ ବୈଜ୍ଞାନିକମାନେ ୫ ହଜାରରୁ ଅଧିକ କରୋନା ଭାଇରସର ଭାରିଏଣ୍ଟର ବିଶ୍ଲେଷଣ କରିଥିଲେ ।

ଅନ୍ୟ ଦିଗରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଶନିବାର କହିଛି ଯେ, ଦେଶରେ ଏବେସୁଦ୍ଧା ୩୬ ଲକ୍ଷ ୧୧ ହଜାର ୬୭୦ଜଣ  ସମ୍ମୁଖ ଯୋଦ୍ଧାଙ୍କୁ ଭାକସିନ୍ ଦିଆଯାଇଛି । ଫେବ୍ରୁଆରୀ ୨୦ ସନ୍ଧ୍ୟା ୬ଟା ସୁଦ୍ଧା ୧ କୋଟି ୩୮ ଲକ୍ଷ ୩୨୩ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । ଏହାମଧ୍ୟରୁ ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ୭୨ ଲକ୍ଷ ୨୬ ହଜାର ୬୫୩ ।  ଭାକସିନର ପ୍ରଥମ ଡୋଜ୍ ଏବେସୁଦ୍ଧା ୬୩ ଲକ୍ଷ ୫୨ ହଜାର ୭୧୩ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଦାନ କରାଯାଇଛି । ସେହିପରି ୮ ଲକ୍ଷ ୭୧ ହଜାର ୯୪୦ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ୱିତୀୟ ଡୋଜ୍ ପ୍ରଦାନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.