୪୧ ଦେଶକୁ ବ୍ୟାପିଲା କରୋନାର ନୂଆ ଷ୍ଟ୍ରେନ୍ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
6/01/2021 at 9:45 AM

ଲଣ୍ଡନ,୦୬/୦୧: କିଛିଦିନ ହେବ ବ୍ରିଟେନରେ କ୍ଷୀପ୍ର ବେଗରେ ବ୍ୟାପୁଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଏବେ ୪୧ଟି ଦେଶ ଓ ଦ୍ୱୀପରେ ଚିହ୍ନଟ ହୋଇଛି। ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଏକ ବିବୃତ୍ତି ଜାରି କରି କହିଛି।
ବ୍ରିଟେନରେ ଦେଖାଯାଉଥିବା ଭିଓସି-୨୦୨୦୧୨-୦୧ ଷ୍ଟ୍ରେନର କରୋନା ଭାଇରସ୍ ମଙ୍ଗଳବାର ପାଖାପାଖି ୪୦ଟି ଦେଶ/ଦ୍ୱୀପ/ଅଞ୍ଚଳରେ ଚିହ୍ନଟ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅଧିନରେ ଆସୁଥିବା ୬ଟି ଅଞ୍ଚଳ ମଧ୍ୟରୁ ଏହି ଭାଇରସ୍ ୫ଟି ଅଞ୍ଚଳରେ ଚିହ୍ନଟ ହୋଇଥିବା ଡବ୍ଲ୍ୟୁଏଚ୍ଓ ସୂଚନା ଦେଇଛି। ଏହାଛଡ଼ା 501Y.V2 ଷ୍ଟ୍ରେନର କରୋନା ଭାଇରସ୍ ଦକ୍ଷିଣ ଆଫ୍ରିକାର ୬ଟି ସ୍ଥାନରେ ଚିହ୍ନଟ ହୋଇଛି।
ସୂଚନା ଥାଉକି, ୨୦୨୦ ମସିହା ଡିସେମ୍ୱର ୧୪ ତାରିଖରେ ବ୍ରିଟେନରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଥିଲା। ଯାହାକି ପୂର୍ବରୁ ଥିବା କରୋନା ଭାଇରସ୍ ଠାରୁ ୭୦ ପ୍ରତିଶତ ଅଧିକ ବେଗରେ ଜଣକ ଠାରୁ ଅନ୍ୟ ଜଣକୁ ବ୍ୟାପୁଥିବା ଜଣାପଡ଼ିଥିଲା।
ତେବେ କରୋନା ଭାଇରସର ଏହି ନୂଆ ଷ୍ଟ୍ରେନ୍ ବ୍ରିଟେନରେ ଦେଖାଦେବା ପରେ ଅନ୍ୟାନ୍ୟ ଦେଶ ଗୁଡ଼ିକ ବ୍ରିଟେନ୍ ସହ ବିମାନ ଚଳାଚଳ ସ୍ଥଗିତ କରିଦେଇଛନ୍ତି ।