ପଡୋଶୀ ରାଜ୍ୟରେ ଚିହ୍ନଟ ହେଲାଣି 'ଡେଲଟା ପ୍ଲସ୍ ଷ୍ଟ୍ରେନ୍', ୧୧ଟି ଦେଶରେ ବ୍ୟାପି ସାରିଛି କରୋନାର ଏହି ନୂଆ ରୂପ

Published By : Prameya-News7 Bureau | June 20, 2021 IST

ଭୁବନେଶ୍ବର ୨୦।୦୬ :  ଭାରତରୁ ସୃଷ୍ଟି ହୋଇଥିବା କୋଭିଡ-୧୯ର ଡେଲ୍ଟା ଭ୍ୟାରିଆଣ୍ଟ ଷ୍ଟ୍ରେନ ବିଶ୍ୱର ବିଭିନ୍ନ ସ୍ଥାନରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଥିବା ବେଳେ କରୋନାର ତୃତୀୟ ଲହରରେ ନୂତନ ଭାବେ ଚିହ୍ନଟ ‘ଡେଲଟା ପ୍ଲସ’ଭ୍ୟାରିଆଣ୍ଟ ଷ୍ଟ୍ରେନ ବଡ଼ କ୍ଷତି କରିପାରେ ବୋଲି ଆଶଙ୍କା କରାଯାଉଛି । ଏ ପର୍ଯ୍ୟନ୍ତ ଏହି ଷ୍ଟ୍ରେନର ଚରିତ୍ର ଉପରେ ନିର୍ଦ୍ଦିଷ୍ଟ ଭାବେ ଜେନମ ସିକ୍ୟୁଏନ୍ସ କରାଯାଇ ନଥିଲେ ମଧ୍ୟ ଭାରତ ସମେତ ୧୧ ଦେଶରେ ଏହା ବ୍ୟାପି ସାରିଲାଣି ।

ବ୍ରିଟେନରେ ସର୍ବାଧିକ ୩୬ ଜଣଙ୍କ ନିକଟରେ ଏହି ଷ୍ଟ୍ରେନ ଠାବ ହୋଇଥିବା ବେଳେ ଭାରତରେ ୬ ଜଣଙ୍କ ନିକଟରେ ଚିହ୍ନଟ ହୋଇଛି । ଆମ ରାଜ୍ୟର ପଡ଼ୋଶୀ ପଶ୍ଚିମ ବଙ୍ଗ ଓ ଝାଡ଼ଖଣ୍ଡରେ ଦୁଇ ଜଣଙ୍କ ନିକଟରେ ଡେଲଟା ପ୍ଲସ ଷ୍ଟ୍ରେନ ଚିହ୍ନଟ ହୋଇଥିବାରୁ ଆଗକୁ ଓଡ଼ିଶା ପାଇଁ ବଡ଼ ବିପଦ ଆଶଙ୍କା କରାଯାଉଛି । ତେଣୁ ଏଥିପ୍ରତି ସର୍ବୋଚ୍ଚ ସତର୍କତାର ଆବଶ୍ୟକତା ଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଡେଲଟା ପ୍ଲସ୍‌ ଭ୍ୟାରିଆଣ୍ଟ ଷ୍ଟ୍ରେନ୍‌ ପାଇଁ ଜେନମ୍‌ ସିକ୍ୟୁଏନ୍ସିଂ ଆରମ୍ଭ କରିଛି ଆଇଏଲଏସ । ୪୦ ହଜାର ନମୁନା ଦେଶରେ ସଂଗ୍ରହ କରାଯାଇ ପରୀକ୍ଷା ହେଉଛି । ଦେଶର ୨୮ଟି ଲ୍ୟାବ୍‌ରେ ଜେନମ ସିକ୍ୟୁଏନ୍ସି ହେଉଛି । ୪ ରାଜ୍ୟ ବିହାର, ଛତିଶଗଡ଼, ଓଡ଼ିଶା ଓ ଝାଡ଼ଖଣ୍ଡର ନମୁନାକୁ ନେଇ ଭୁବନେଶ୍ୱରର ଆଇଏଲ୍‌ଏସ ଜେନମ୍‌ ସିକ୍ୟୁଏନ୍ସି କରୁଛି । ଅଧିକ ସଂଖ୍ୟକ ନମୁନାର ସିକ୍ୟୁଏନ୍ସିଂ ହେଲେ, ଡେଲଟା ପ୍ଲସ୍‌ ନେଇ ଅଧିକ ତଥ୍ୟ ମିଳିପାରିବ ।

ଦୁଇଟି ଡୋଜ୍‌ ଟିକା ନେବା ପରେ ମଧ୍ୟ କରୋନା ସଂକ୍ରମଣ ହେଉଛି । ଆଉ ମୃତ୍ୟୁ ବି ଘଟୁଛି । ତେଣୁ ଡବଲ ଡୋଜ୍‌ ନେଇଥିବା ବ୍ୟକ୍ତି ଖାମଖିଆଲ୍‌ ହୁଅନ୍ତୁ ନାହିଁ । କୋଭିଡ୍‌ ନିୟମ ମାନନ୍ତୁ । ଓଡ଼ିଶାରେ ଡବଲ ଡୋଜ୍‌ ଟିକା ନେବା ପରେ କେତେ ଲୋକ ସଂକ୍ରମିତ ହୋଇଛନ୍ତି? କେତେ ଲୋକଙ୍କ ମୃତ୍ୟୁ ହୋଇଛି? ଟିକା ନେବାର କେତେ ଦିନ ପରେ ଯାଇଛି ଜୀବନ? ଏ ସବୁର ତଥ୍ୟ ସଂଗ୍ରହ କରିବ ଓଡ଼ିଶା । ମୃତ୍ୟୁର କାରଣ ଖୋଜିବ । ଏଥିପାଇଁ ଆଜି ବିଶେଷଜ୍ଞ କମିଟି ବୈଠକ ବସିଥିଲା । ଜିଲ୍ଲାକୁ ଏ ସବୁ ତଥ୍ୟ ମଗାଯିବ ବୋଲି ନିଷ୍ପତ୍ତି ହୋଇଛି।

ଟିକା ନେବା ପରେ ମୃତ୍ୟୁ ହୋଇଥିବା ବ୍ୟକ୍ତି କେତେ ଗୁରୁତର ଥିଲେ? ମୃତ ବ୍ୟକ୍ତିଙ୍କ ଅନ୍ୟ କୌଣସି ଗୁରୁତର ରୋଗ ନଥିଲା ତ? ଆଇସିଏମ୍‌ଆର୍‌ ତଥ୍ୟ ଅନୁସାରେ ଦେଶରେ ଦ୍ୱିତୀୟ ଡୋଜ୍‌ ନେଲା ପରେ ୦.୩% ଓ ପ୍ରଥମ ଡୋଜ୍‌ ନେବା ପରେ ୦.୪% ପଜିଟିଭ୍‌ ହୋଇଛନ୍ତି। ତେବେ ଟିକା ନେଇଥିବା ୭୫% ଆକ୍ରାନ୍ତଙ୍କୁ ଆଉ ହସ୍ପିଟାଲ ଯିବାର ଆବଶ୍ୟକତା ପଡୁନି।

ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସମାନ କଥା କହିଛି । ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ଟିକା ନେବା ପରେ କରୋନା ହେବନି ବୋଲି କୁହାଯାଇଛି। ସବୁ ଟିକାର ପ୍ରଭାବ ୭୦ରୁ ୯୦% ମଧ୍ୟରେ ରହୁଛି । ତେଣୁ ଉଭୟ ଟିକା ପରେ ବି ଲୋକେ ଆକ୍ରାନ୍ତ ହେଉଛନ୍ତି। ଅବଶ୍ୟ ଉଭୟ ଟିକା ନେଇଥିବା ବ୍ୟକ୍ତି କମ୍‌ ଗୁରୁତର ହେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.