ମାନିଲେ ବିହାର ସରକାର: କରୋନା ମୃତ୍ୟୁସଂଖ୍ୟାରେ ହୋଇଛି ଅନିୟମିତତା, ୫୪୨୪ ନୁହେଁ ୯୩୭୫ ମରିଛନ୍ତି

Published By : Prameya-News7 Bureau | June 10, 2021 IST

ପାଟନା, ୧୦/୦୬:  କରୋନାର ଦ୍ୱିତୀୟ ଲହରରେ ବିହାରର ମୃତ୍ୟୁସଂଖ୍ୟା ଉପରେ ଲଗାତର ଭାବେ ପ୍ରଶ୍ନ ଉଠୁଛି । ବିହାର ହାଇକୋର୍ଟ ମଧ୍ୟ ଅନେକ ସମୟରେ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ୱ କରିଛନ୍ତି । ବକ୍ସରର ଗଙ୍ଗା ନଦୀ କୂଳ କିମ୍ବା ପାଟନା ଶ୍ମଶାନ ଘାଟରେ ଶହ ଶହ ମୃତଦେହ ମିଳିବା ଘଟଣାରେ ସରକାର ବ୍ୟାକଫୁଟରେ ରହିଛନ୍ତି । ଏବେ କିନ୍ତୁ ସରକାର ନିଜେ କରୋନା ମୃତ୍ୟୁସଂଖ୍ୟାରେ ଅନ୍ତର ଥିବା ମାନିଛନ୍ତି । ବୁଧବାର ସ୍ୱାସ୍ଥ୍ୟ ବିଭାଗର ଉପ ମୁଖ୍ୟ ସଚିବ ପ୍ରତ୍ୟୟ ଅମୃତ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, କରୋନା ମୃତ୍ୟୁ ସଂଖ୍ୟାରେ ତାଳମେଳ ନଥିଲା । ଏବେସୁଦ୍ଧା ୫୪୨୪ ଜଣ ମୃତ୍ୟୁ ବରଣ କରିଥିବା କୁହାଯାଉଥିଲା । ପ୍ରକୃତ ମୃତ୍ୟୁସଂଖ୍ୟା ହେଉଛି ୯୩୭୫ । ସରକାର ଗତ ୧୮ ତାରିଖରେ ମତ୍ୟୁସଂଖ୍ୟାର ତଦନ୍ତ କରିବାକୁ କହିଥିଲେ । ଏଥିପାଇଁ ଦୁଇଟି ଟିମ୍ ଗଠନ କରାଯାଇଥିଲା । ଯେଉଁଥିରେ ମୃତ୍ୟୁସଂଖ୍ୟାରେ ହେରଫେର୍ ହୋଇଥିବା ସାମ୍ନାକୁ ଆସିଥିଲା ।

ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲାସ୍ତରରେ କରାଯାଇଥିବା ତଦନ୍ତରେ ଜଣା ପଡିଥିଲା ଯେ, କରୋନା ମୃତ୍ୟୁସଂଖ୍ୟାରେ ଘୋର୍ ଅନିୟମିତତା ହୋଇଛି । ତେବେ ସ୍ୱାସ୍ଥ୍ୟ ସଚିବ ଏହା ସମ୍ବେଦନଶୀଳ ମାମଲା ବୋଲି ମାନିଛନ୍ତି । ଏହାସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସେ କହିଛନ୍ତି । ତେବେ ଏବେସୁଦ୍ଧା କେତେଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ତାହା ସେ ପ୍ରକାଶ କରିନଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ, କିଛି ଜଣ ହୋମ୍ ଆଇସୋଲେସନରେ ମୃତ୍ୟୁବରଣ କରିଛନ୍ତି । କିଛି ଅନ୍ୟ ଜିଲ୍ଲାକୁ ସଂକ୍ରମିତ ହୋଇ ଯିବା ପରେ ସେଠାରେ ପ୍ରାଣ ହରାଇଥିଲେ । ଆଉ କିଛି ପୋଷ୍ଟ କୋଭିଡ୍ ମୃତ୍ୟୁ ଅଟେ । ତେବେ ବିରୋଧି ଦଳ ଲଗାତର ଭାବେ ସରକାର ମୃତ୍ୟୁସଂଖ୍ୟା ଲୁଚାଉଥିବା ଅଭିଯୋଗ କରି ଆସୁଥିଲେ । ଗ୍ରାମାଞ୍ଚଳରେ ଅନେକ ଲୋକ ପ୍ରାଣ ହରାଇଥିଲେ ବି ସରକାର ତାକୁ ମୃତ୍ୟୁସଂଖ୍ୟାରେ ସାମିଲ କରିନଥିବା ବିରୋଧୀ ଅଭିଯୋଗ କରିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.