ଚୋରା ବଜାରରେ ମିଳୁଛି କରୋନା ଔଷଧ, ଚଢା ଦରରେ ହେଉଛି ବିକ୍ରି

Published By : Prameya-News7 Bureau | July 09, 2020 IST

ନୂଆଦିଲ୍ଲୀ, ୦୯|୦୭:  ଦିଲ୍ଲୀର ଚୋରା ବଜାରରେ ମିଳୁଛି କରୋନା ମେଡିସିନ୍ । ସରକାର ଅନୁମତି ପ୍ରଦାନ କରିଥିବା ଦୁଇଟି ଔଷଧ ଏବେ ଏହି ଚୋରା ମାର୍କେଟରେ ବିକ୍ରି ହେଉଛି । ଚଢା ଦରରେ ବିକ୍ରି କରି ରୋଜଗାର କରୁଛନ୍ତି ବ୍ୟବସାୟୀ । ରେମଡିସିଭର୍ ଓ ଟୋକିଲିଜୁମାବ୍ ଔଷଧକୁ ବେଆଇନ ଭାବେ ବିକ୍ରି କରାଯାଉଛି ।

ବିବିସିର ରିପୋର୍ଟ ଅନୁସାରେ, ଅଭିନବ ଶର୍ମା ନାମକ ଜଣେ ବ୍ୟକ୍ତିଙ୍କ ଦାଦାଙ୍କୁ ଗତ କିଛିଦିନ ହେବ ଜ୍ୱର ଲାଗି ରହିଥିଲା । ଶ୍ୱାସକ୍ରିୟାରେ ମଧ୍ୟ କଷ୍ଟ ଅନୁଭବ ହେଉଥିଲା । ଏହାପରେ ତାଙ୍କର କରୋନା ଟେଷ୍ଟ୍ କରାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିଥିଲା । ଡାକ୍ତରମାନେ ରେମଡିସିଭର ଔଷଧ ଲେଖିଥିଲେ । ତେବେ ଏହାର କ୍ଲିନିକାଲ୍ ଟେଷ୍ଟ କରାଯାଉଛି କିନ୍ତୁ ଅତ୍ୟାବଶ୍ୟକ ସମୟରେ ଏହା ରୋଗୀଙ୍କୁ ପ୍ରଦାନ କରାଯାଇ ପାରିବ ବୋଲି ଡାକ୍ତର କହିଥିଲେ । କିନ୍ତୁ ଏହି ଔଷଧ କୌଣସି ଷ୍ଟୋରରେ ମିଳିନଥିଲା ।

ଦିଲ୍ଲୀବାସୀ ହିସାବରେ ଅଭିନବ ଅନେକ କିଛି ଜାଣିଥିଲେ । ବହୁ ଖୋଜାଖୋଜି କରିଥିଲେ । ଏପରିକି ଯେକୌଣସି ମୂଲ୍ୟ ଦେଇ କିଣିପାରିବେ ବୋଲି ମଧ୍ୟ କହୁଥିଲେ । ତାଙ୍କୁ କେହିଜଣେ ଦିଲ୍ଲୀର ପୁରୁଣା ବଜାରରେ ଏହି ଔଷଧ ମିଳିବ ବୋଲି କହିଥିଲେ । ଏପରି ଭାବେ ସେ ଜଣେ ବ୍ୟକ୍ତିଙ୍କ ସହ ପରିଚିତ ହୋଇଥିଲେ । ବ୍ୟକ୍ତିଜଣଙ୍କ ନିଜକୁ ଏକ ମେଡିସିନ୍ ବ୍ୟବସାୟୀ ବୋଲି କହିଥିଲେ । ଏହାସହ ଔଷଧ ପିଛା ୩୦ ହଜାର ଟଙ୍କା ପଡିବ ବୋଲି କହିଥିଲେ । ତେବେ ସରକାରୀ ଭାବେ ଏହି ଔଷଧର ଦାମ୍ ୫,୪୦୦ ଟଙ୍କା । ଜଣେ ସଂକ୍ରମିତଙ୍କୁ ୫ରୁ ୬ଟି ଡୋଜ୍ ଦରକାର ହୋଇଥାଏ ।

ତେବେ ଏତେ ବଡ ଘଟଣାକୁ ନେଇ ପ୍ରଶ୍ନବାସୀ ସୃଷ୍ଟି ହୋଇଛି । ଏହି ଔଷଧ କିପରି ଖୋଲାଖୋଲି ଭାବେ ଚୋରା ବଜାରରେ ବିକ୍ରି ହେଉଛି ତାହା କେହି କହିପାରୁ ନାହାଁନ୍ତି । କାରଣ ହେଟେରୋ ନାମକ ଏକ କମ୍ପାନୀ ହିଁ ଏହି ମେଡିସିନ୍ ପ୍ରସ୍ତୁତ କରିଛି ଓ ୫ଟି ରାଜ୍ୟକୁ ୨୦ ହଜାର ଡୋଜ୍ ପଠାଇଛି ।

ଗାଜିଆବାଦ୍ କେମିଷ୍ଟ୍ ଆସୋସିଏସନର ଉପସଭାପତି ରାଜୀବ ତ୍ୟାଗୀ କହିଛନ୍ତି ଯେ, ଏହା କିପରି ସମ୍ଭବ ହେଲା ସେ ଜାଣି ନାହାଁନ୍ତି । ତାଙ୍କର କୌଣସି କର୍ମଚାରୀ ଏଥିରେ ଲିପ୍ତ ନାହାଁନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.