ଦୀପାବଳି ସମୟରେ ବଢିବ କରୋନା ମାମଲା, ସତର୍କ କରାଇଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

Published By : Prameya-News7 Bureau | October 10, 2020 IST

ମୁମ୍ବାଇ,୧୦୧୦ମହାରାଷ୍ଟ୍ରରେ ଗତ କିଛିଦିନ ଧରି କରୋନା ଆକ୍ରାନ୍ତଙ୍କ ଦୈନିକ ସଂଖ୍ୟା ୧୫ ହଜାରରୁ କମ୍ ରହୁଛି । କିନ୍ତୁ ଦୀପାବଳିରେ ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବୃଦ୍ଧି ପାଇବ । ଏନେଇ ଚେତାବନୀ ଦେଇଛନ୍ତି ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ଅଧିକାରୀଜଣଙ୍କ କହିଛନ୍ତି ଯେ, ଏବେ କରୋନା ମାମଲା ହ୍ରାସ ପାଉଛି । କାରଣ କମ୍ ଟେଷ୍ଟିଂ ହେଉଛି । ଗୁରୁବାର ସନ୍ଧ୍ୟାସୁଦ୍ଧା ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷରେ ପହଁଚିଥିବା ବେଳେ ମୃତ୍ୟୁସଂଖ୍ୟା ପ୍ରାୟ ୪୦ ହଜାର ଛୁଇଁଛି । ଗତ କିଛିଦିନ ହେଲା ରାଜ୍ୟରେ ୧୩ରୁ ୧୪ ହଜାର ମାମଲା ସାମ୍ନାକୁ ଆସିଛି ।

କୋଭିଡକୁ ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏକ ସମିତିର ସଦସ୍ୟ ଡାକ୍ତର ସୁଭାଷ ସାଲୁଙ୍ଖେ କହିଛନ୍ତି ଯେ, ଦୀପାବଳି ଉତ୍ସବ ସମୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ । କୌଣସି ଆଶ୍ୱସ୍ତି ମିଳିବାର ସମ୍ବାବନା କମ୍ ରହିଛି । ଏହି ସମୟରେ ଲୋକମାନେ ବେଶୀ ବାହାରକୁ ବାହାରିଥାନ୍ତି । ତେଣୁ ସଂକ୍ରମଣ ଆଶଙ୍କା ଅଧିକ ରହିଛି । ଗତ କିଛିଦିନ ଧରି ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟା ହ୍ରାସ ପାଇ ସ୍ଥିର ରହିଛି । ଏହାକୁ ନେଇ ଖୁସି ହେବା ଅନୁଚିତ । ଦ୍ୱିତୀୟ ଲହରକୁ ବାଦ୍ ଦେଲେ ପ୍ରଥମ ଲହର୍ ଦୀପାବଳି ସୁଦ୍ଧା ଶେଷ ହେବ ନାହିଁ ।

ଡାକ୍ତର ସାଲୁଙ୍ଖେ ଆହୁରି କହିଛନ୍ତି ଯେ, ଅଧିକରୁ ଅଧିକ ପ୍ରତିଷ୍ଠାନ ଖୋଲାଯାଉଛି । ଲୋକଙ୍କୁ ଆଉ ଘରେ ରହିବାକୁ କୁହାଯାଇ ପାରିବ ନାହିଁ । ଅନେକଙ୍କ ଚାକିରୀ ବାଜିରେ ଲାଗିଚି । ଦେଶର ଅର୍ଥବ୍ୟବସ୍ଥାକୁ ଆଗକୁ ବଢାଇବା ଆବଶ୍ୟକ । ଟେଷ୍ଟିଂ ବଢିଲେ ସଂକ୍ରମଣକୁ ରୋକିବାରେ ସଫଳତା ମିଳିବ ।

ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, କିଛି ବୈଷୟିକ ତ୍ରୁଟି ରହିଛି, ଯେଉଁଥି ପାଇଁ ଟଷ୍ଟିଂ କମିଛି । ସେପ୍ଟେମ୍ବରରେ ପ୍ରାୟ ୮୦ ହଜାରରୁ ୯୦ ହଜାର ପରୀକ୍ଷଣ କରାଯାଇଥିଲା । କିନ୍ତୁ ଏବେ ଏହା ୭୦ ହଜାର ରହିଛି । ଏପରିକି ରାଜ୍ୟର ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାବୀସ ମଧ୍ୟ ଏହି ପ୍ରସଙ୍ଗରେ ଉଦ୍ଧବ ସରକାରଙ୍କୁ ସମାଲୋଚନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.