ଏହି ଗାଁରେ ସ୍ଥାପନ ହେଲା ‘କରୋନା ମାତା’ ମନ୍ଦିର, କୋଭିଡରୁ ମୁକ୍ତି ପାଇବାକୁ ଜମୁଛି ଲୋକଙ୍କ ଭିଡ଼, ଦର୍ଶନ ପାଇଁ ରହିଛି ବିଶେଷ ନିୟମ

Published By : Prameya-News7 Bureau | June 12, 2021 IST

ପ୍ରତାପଗଡ଼ ୧୨/୬: କରୋନା ମହାମାରୀ ସାରା ବିଶ୍ବକୁ ଅସ୍ତବ୍ୟସ୍ତ କରିପକାଇଛି। ଭାରତରେ କରୋନା ଦ୍ବିତୀୟ ଲହର ଭୟାବହ ହୋଇଥିବା ବେଳେ ଲୋକେ ଏବେ ତ୍ରାହିମାମ୍‌ କରୁଛନ୍ତି। କରୋନାକୁ ମାତ ଦେବାକୁ ଦେଶର କୋଣ ଅନୁକୋଣରେ ପୂଜାପାଠ ମଧ୍ୟ ହେଉଥିବା ଖବର ଶୁଣିବାକୁ ମିଳେ। ଏହାରି ଭିତରେ ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ‘କରୋନା ମାତା’ ମନ୍ଦିର ପ୍ରତିଷ୍ଠା କରିଛନ୍ତି ଲୋକେ। କେବଳ ସେତିକି ନୁହେଁ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଜମିଛି।

ଲୋକେମାନେ କରୋନା ଦାଉରୁ ରକ୍ଷା ପାଇବା ପାଇଁ ସେଠାରେ ପୂଜାର୍ଚ୍ଚନା କରୁଥିବା ବେଳେ ଗାଁରେ ଅନ୍ଧବିଶ୍ବାସ ବସା ବାନ୍ଧିଛି। ସଂଗିପୁର ଅନ୍ତର୍ଗତ ଶୁକୁଲପୁରରେ କରୋନାରେ ୩ ଜଣଙ୍କ ମୃତ୍ୟୁ ହେବା ପରେ ଲୋକେ ଭୟ ପାଇଯାଇଥିଲେ। ଗାଁ ମୁଖିଆ ଲୋକେଶ ଶ୍ରୀବାସ୍ତବଙ୍କ ନେତୃତ୍ବରେ ଗ୍ରାମବାସୀ ୭ ଜୁନ୍‌ରେ ଗାଁରେ କରୋନା ମାତା ମନ୍ଦିର ନିର୍ମାଣ କରିବା ସହ ମୂର୍ତ୍ତି ସ୍ଥାପନ କରିଥିଲେ। ଗାଁର ନିମ ଗଛ ମୂଳେ ବିଶେଷ ମୂର୍ତ୍ତି ସ୍ଥାପନ କରିବା ସହ ଲୋକେ ଏହାକୁ କରୋନା ମାତା ମନ୍ଦିର ନାଁ ଦେଇଛନ୍ତି । ବିଶ୍ବର ପ୍ରଥମ କରୋନା ମାତା ମନ୍ଦିର ବୋଲି ବିଶ୍ବାସ କରିବା ସେ ଏନେଇ ମନ୍ଦିର ପାଖରେ ମଧ୍ୟ ଏହା ଲେଖିଛନ୍ତି ଗ୍ରାମବାସୀ।

ଏହା ସହ କରୋନା ଦର୍ଶନ ପାଇଁ ସମସ୍ତ ପ୍ରକାର ନିୟମ ମଧ୍ୟ ଲେଖାରହିଛି। ମୂର୍ତ୍ତି ଦର୍ଶନ କରିବା ବେଳେ ମୁହଁରେ ମାସ୍କ ପିନ୍ଧିବା ସହ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିବାକୁ କୁହାଯାଇଛି। ଏହା ସହ ଶ୍ରଦ୍ଧାଳୁଙ୍କୁ ଫୁଲ, ଫଳ, ମିଠା ଆଦି ଭୋଗ କରିବାକୁ କୁହାଯାଇଛି। କିନ୍ତୁ ଗାଁରେ କରୋନାକୁ ନେଇ ଅନ୍ଧବିଶ୍ବାସ ବଢ଼ିବା ଏବଂ ଏହାକୁ ନେଇ ମନ୍ଦିର ସ୍ଥାପନ ହେବା ଖବର ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ମନ୍ଦିର ଭାଙ୍ଗି ଲୋକଙ୍କୁ ଏଥିରୁ ନିବୃତ୍ତ ରହିବାକୁ ପୋଲିସ ଚେତାବନୀ ଦେଇଥିବା ଜଣାପଡ଼ିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.