ଗୋଟିଏ ଦିନରେ କରୋନା କଲା ୩ ରେକର୍ଡ: ସବୁଠୁ ଅଧିକ କେସ୍, ସୁସ୍ଥ ହେଲେ ସର୍ବାଧିକ ସଂକ୍ରମିତ ଓ ଯାଞ୍ଚ ହେଲା ସବୁଠୁ ଅଧିକ ନମୂନା
3/07/2020 at 4:46 PM

ନୂଆଦିଲ୍ଲୀ ୦୩।୦୭: ଦେଶରେ ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣ ଗୋଟି ଦିନରେ ତିନୋଟି ରେକର୍ଡ କରିଛି। କରୋନାର ଗୋଟିଏ ଦିନରେ ରେକର୍ଡ ୨,୪୧,୫୭୬ ନମୂନା ଯାଞ୍ଚ କରାଯାଇଛି। ଏହାକୁ ମିଶାଇ ଦେଶରେ ଯାଞ୍ଚ ସଂଖ୍ୟା ୯୨, ୯୭, ୭୪୯ ହୋଇଛି। ଅନ୍ୟପକ୍ଷେ ଗୋଟିଏ ଦିନରେ ପ୍ରଥମ ଥର ୨୦ ହଜାରରୁ ଅଧିକ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ୨୪ ଘଣ୍ଟାରେ ଦେଶରେ ୨୦,୯୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ICMR) ଦ୍ଵାରା ଶୁକ୍ରବାର ଜାରି ତଥ୍ୟ ଅନୁଯାୟୀ, ଏହି ସମୟରେ ଦେଶରେ କୋଭିଡ୍-୧୯ର ଯାଞ୍ଚ କରୁଥିବା ଲ୍ୟାବ୍ ସଂଖ୍ୟା ବଢି ୧,୦୭୪ ହୋଇଛି। ଏହି ସବୁ ଲ୍ୟାବ୍ରେ ଗତ ୨୪ ଘଣ୍ଟାରେ ୨, ୪୧, ୫୭୬ ନମୂନା ଯାଞ୍ଚ କରାଯାଇଛି। ଏହାକୁ ମିଶାଇ ଦେଶରେ ମୋଟ୍ ନମୂନା ଯାଞ୍ଚ ସଂଖ୍ୟା ୯୨, ୯୭, ୭୪୯ ରେ ପହଞ୍ଚିଛି।
ଅନ୍ୟପଟେ ଦେଶରେ ଗତ ୨୪ ଘଣ୍ଟାରେ ଆଶ୍ଵସ୍ତିକର ଖବର ଏହା ଯେ, ପ୍ରଥମ ଥର ୨୦ ହଜାରରୁ ଅଧିକ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି। ମାତ୍ର ଏହି ସମୟରେ ୨୦,୯୦୩ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୨୫ ହଜାର ୫୪୪ ହୋଇଛି। ଗତ ୨୪ ଘଣ୍ଟାରେ ମହାମାରୀରେ ୩୭୯ ଜଣ ପ୍ରାଣ ହରାଇଛନ୍ତି। ଏହା ପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮,୨୧୩ ହୋଇଛି। ଦେଶରେ ବର୍ତ୍ତମାନ ଆକ୍ଟିଭ କେସ୍ ସଂଖ୍ୟା ୨,୨୭,୪୩୯ ରହିଛି।
କରୋନା ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ସଂକ୍ରମଣର ୬,୩୨୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମୟରେ ୧୨୫ ଜଣ ପ୍ରାଣ ହରାଇଛନ୍ତି। ଏହା ସହିତ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧,୮୬,୬୨୬ରେ ପହଞ୍ଚିଛି। ସେହି ପରି ମୃତକଙ୍କ ସଂଖ୍ୟା ବଢି ୮,୧୭୮ରେ ପହଞ୍ଚିଛି।