ଥିରୁଅନନ୍ତପୁର, ୦୬।୦୭: କରୋନା ପାଇଁ କଠୋର ହେଲେ କେରଳ ସରକାର । ବର୍ଷେ ଯାଏ ବଢ଼ିଲା କରୋନା କଟକଣା । ଆଗାମୀ ବର୍ଷେ ଯାଏ କରୋନା ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। କରୋନାକୁ ରୋକିବା ପାଇଁ ଏଯାବତ ଟୀକା ବାହାରିନି। ଅନ୍ୟପଟେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ଏହାକୁ ଦେଖି କେରଳ ସରକାର ଜୁଲାଇ ୨୦୨୧ ଯାଏ କରୋନା ନିୟମ ଅବଧି ବଢ଼ାଇଛନ୍ତି । ସେହିପରି ସୋମବାର ଠାରୁ କେରଳର ରାଜଧାନୀ ଥିରୁବନନ୍ତପୁରମ୍ ଏକ ସପ୍ତାହ ପାଇଁ 'ଟ୍ରିପଲ୍ ଲକଡାଉନ୍' କରାଯାଇଛି । ଖାଦ୍ୟ ଦୋକାନ, ବ୍ୟାଙ୍କ, ମେଡିକାଲ ଷ୍ଟୋର୍, ଡାକ୍ତରଖାନା ଏବଂ ଅନ୍ୟାନ୍ୟ ଜରୁରୀ ସେବା ଅନୁମତି ଦିଆଯିବ ।
କରୋନା ମାମଲା ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଏହାର ମୁକାବିଲା ପାଇଁ କେରଳରେ ୧ ବର୍ଷ ପର୍ଯ୍ୟନ୍ତ କୋଭିଡ-୧୯ କଟକଣା ବୃଦ୍ଧି କରାଯାଇଛି । ଦେଶର ପ୍ରଥମ ରାଜ୍ୟ ଭାବେ କେରଳ ସରକାର ଏଭଳି କଠୋର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ରବିବାର ଏକ ନୂତନ ମାର୍ଗଦର୍ଶିକା ଜାରି କରାଯାଇ ଏହି ଘୋଷଣା କରାଯାଇଛି ।
ଏଥିନିମନ୍ତେ ଏକ ନୂଆ ଆଇନ ଅଣାଯାଇଛି । ଯାହାର ନାମ ରହିଛି ‘କେରଳ ଏପିଡେମିକ ଡିଜିଜ କରୋନା ଭାଇରସ ଡିଜିଜ (କୋଭିଡ୧୯) ଆଡିସନାଲ ରେଗୁଲେସନ ୨୦୨୦’ । ଏହି ଆଇନ ଆଗାମୀ ୧ ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ୨୦୨୧ ଜୁଲାଇ ମାସ ପର୍ଯ୍ୟନ୍ତ ଲାଗୁ କରାଯାଇଛି । ରାଜ୍ୟବାସୀ କଟକଣା ନ ମାନିଲେ ଏହି ଆଇନ ଅଧୀନରେ ସେମାନଙ୍କୁ ଦଣ୍ଡିତ କରାଯିବ । ସର୍ବସାଧାରଣ ସ୍ଥାନରେ ଓ ଯାନବାହନରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା (ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ୬ ଫୁଟ ଦୂରତା) ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି । ବିବାହ କାର୍ଯ୍ୟରେ ୫୦ ଓ ଅନ୍ତିମ ସଂସ୍କାରରେ ୨୦ ଜଣଙ୍କୁ ଅନୁମତି ଦିଆଯିବା, ସାର୍ବଜନୀନ ସ୍ଥାନ, ରାସ୍ତାଘାଟ ଓ ଫୁଟପାଥରେ ଛେପ ନ ଫିଙ୍ଗିବା ଭଳି କଟକଣା ଲାଗୁ କରାଯାଇଛି ।
ସେହିଭଳି ସ୍ଥାନୀୟ ପ୍ରଶାସନର ବିନା ଅନୁମତିରେ ସଭା, ସମାବେଶ, ଧାରଣା, ଆନ୍ଦୋଳନ, ଶୋଭାଯାତ୍ରା କରାଯାଇପାରିବ ନାହିଁ । କୌଣସି ବ୍ୟବସାୟିକ ପ୍ରତିଷ୍ଠାନରେ ୨୦ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ଏଥିସହ ଅନ୍ୟ କୌଣସି ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ କିମ୍ବା ଅନ୍ୟ ଦେଶରୁ କେରଳ ଆସୁଥିବା ଲୋକଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୋଦିତ ‘କୋଭିଡ ୧୯ ଜାଗ୍ରତ ଇ-ପ୍ଲାଟଫର୍ମ’ରେ ପଞ୍ଜିକରଣ କରିବା ବାଧ୍ୟତାମୂଳକ କରାଯାଇଛି। କେରଳରୁ ଅନ୍ୟ ରାଜ୍ୟକୁ ଓ ଅନ୍ୟ ରାଜ୍ୟରୁ କେରଳକୁ ମାଲ ପରିବହନ ସେବା ମଧ୍ୟ ବନ୍ଦ କରିଦିଆଯାଇଛି ।