ପଶ୍ଚିମବଙ୍ଗରେ ଅଗଷ୍ଟ ୧୫ ଯାଏଁ ବଢିଲା ଲକଡାଉନ୍, ଦିନ ୧୨ଟା ପରେ ଦୋକାନ ବଜାର ବନ୍ଦ

Published By : Prameya-News7 Bureau | July 29, 2021 IST

କୋଲକାତା, ୨୯/୦୭: ଅଗଷ୍ଟ ୧୫ ଯାଏଁ ବଢିଲା କଟକଣା । କ଼ଡାକଡି ରହିବ ନିୟମ । ଖିଲାପ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । କରୋନା ସଂକ୍ରମଣକୁ ଦେଖି ପଶ୍ଚିମବଙ୍ଗ ସରକାର ଲକଡାଉନକୁ  ଆସନ୍ତା ୧୫ ତାରିଖ ଯାଏଁ ବୃଦ୍ଧି କରିଛନ୍ତି ।

ଲକଡାଉନ ଥିଲେ ମଧ୍ୟ ଅନେକ କଟକଣାକୁ କୋହଳ କରାଯାଇଛି । ରାଜ୍ୟରେ ରାତି ୯ଟାରୁ ୫ଟା ମଧ୍ୟରେ ନାଇଟ୍ କର୍ଫ୍ୟୁ ରହିବ । ଜୁଲାଇ ୩୧ ତାରିଖରୁ ନୂଆ ଗାଇଡଲାଇନ୍ କାର୍ଯ୍ୟକାରୀ ହେବ ବୋଲି ସରକାର କହିଛନ୍ତି ।

ସେହିପରି ବିବାହ ଭୋଜିରେ ୫୦ ଜଣ ଯୋଗ ଦେଇପାରିବେ । ବିଭିନ୍ନ ଇନଡୋର ଗେମରେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ । କିନ୍ତୁ ଦୋକାନ ଓ ମାର୍କେଟ୍ ଖୋଲିବା ସମୟ ପୂର୍ବପରି ସକାଳ ୬ଟାରୁ ଦିନ ୧୨ ଟା ଯାଏଁ ରହିବ । ଜିମ୍ ଓ ସେଲୁନ ମଧ୍ୟ ୫୦ ପ୍ରତିଶତରେ ସକାଳ ୧୧ଟାରୁ ସନ୍ଧ୍ୟା ୬ଟା ଯାଏଁ ଖୋଲିପାରିବ ।

{"id":487562,"sizeSlug":"large","linkDestination":"none"}

ଏତତ୍ ବ୍ୟତୀତ, ସାଧାରଣ ପରିବହନ ଯଥା, ବସ୍, ଟାକ୍ସି ଆଦି ୫୦ ପ୍ରତିଶତ ଯାତ୍ରୀରେ ଚଳାଚଳ କରିପାରିବ । ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, ଦେଶର ଅନେକ ସ୍ଥାନରେ କରୋନା କଡ ଲେଉଟାଇଛି । ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଯାହାକୁ ରୋକିବାକୁ ପଶ୍ଚିମବଙ୍ଗ ସରକାର ଲକଡାଉନ କଟକଣାକୁ ବୃଦ୍ଧି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.