ଚାଲି ଚାଲି ଆନ୍ଧ୍ରରୁ ଆସିଲେ, କିନ୍ତୁ ବାପାଙ୍କ ଶେଷ ଦର୍ଶନ କରିପାରିଲେନି, କରୋନା ଭୟରେ ବାଟ ବନ୍ଦ କଲେ ଗାଁଲୋକେ
2/04/2020 at 9:07 AM

ପଟ୍ଟାଙ୍ଗି ୦୨।୦୪: ସମ୍ପର୍କର ବି ଲାଗିଲା କରୋନା କଟକଣା । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଗାଙ୍ଗରାଜପୁର ପଞ୍ଚାୟତ ଅନ୍ତର୍ଗତ ଶିଶାଗୁଡା ଗାଁର ଜଗୁଲୁ ରୁଆ(୨୨) । ଦାଦନ ଖଟିବା ଲାଗି ଯାଇଥିଲେ ଆନ୍ଧ୍ରପ୍ରଦେଶର କାକିନାଡା । ସେଠାରେ କାମ କରୁଥିବା ବେଳେ ତାଙ୍କ ବାପାଙ୍କ ଦେହାନ୍ତ ଖବର ପାଇଲେ । ଲକ୍ଡାଉନ୍ ଯୋଗୁ ସେଠାରୁ ଚାଲିଚାଲି ଗାଁକୁ ଫେରିଲେ । କିନ୍ତୁ କରୋନା କଟକଣା ଲାଗି ଗ୍ରାମବାସୀ ତାଙ୍କୁ ପୂରାଇ ଦେଲେନି ଗାଁ ଭିତରେ ।
ଶିଶାଗୁଡା ଗାଁର ଜଗୁଲୁ କାକିନାଡାକୁ ଯାଇଥିଲେ ଦାଦନ ଖଟିବାକୁ । ଲକ୍ଡାଉନ୍ର ୪ ଦିନ ପରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଏ ସମ୍ପର୍କରେ ଗ୍ରାମବାସୀ ତାଙ୍କୁ ଫୋନ୍ରେ ଜଣାଇଥିଲେ । ଖବର ପାଇ ଜଗୁଲୁ ଗାଁକୁ ଫେରିବା ଲାଗି ଉଦ୍ୟମ କରିଥିଲେ । କିନ୍ତୁ ଗାଡିମୋଟର ଚାଲୁନଥିବାରୁ କେତେକ ଶ୍ରମିକ ସାଙ୍ଗ ସହ ସେଠାରୁ ଚାଲିବା ଆରମ୍ଭ କରିଥିଲେ । ଚାଲି ଚାଲି ଆନ୍ଧ୍ରର ଆର୍କୁ ଦେଇ ମଙ୍ଗଳବାର ରାତିରେ ପହଞ୍ଚିଥିଲେ ପଟ୍ଟାଙ୍ଗିରେ । କିନ୍ତୁ ଗ୍ରାମବାସୀ ତାଙ୍କୁ ଗାଁକୁ ଆସିବାକୁ ବାରଣ କରିଥିଲେ । ଗ୍ରାମବାସୀଙ୍କ ଏଭଳି କଥା ଶୁଣି ରାଗିଯାଇଥିଲେ ଜଗୁଲୁ । କୌଣସି ଉପାୟ ନପାଇ ବାପାଙ୍କ ଦେହାନ୍ତର ଚାରିଦିନିଆ କର୍ମରେ ଯୋଗଦେଇ ପାରିନଥିଲେ । କାନ୍ଦି କାନ୍ଦି ପଟ୍ଟାଙ୍ଗିରେ ବସି ରହିଥିଲେ । ଗାଁ ନିକଟରେ ଥାଇ ମଧ୍ୟ ଗ୍ରାମବାସୀଙ୍କ ବାରଣ ଯୋଗୁ ସେ ଘରକୁ ଯାଇପାରିନଥିଲେ ବୋଲି ଜଗୁଲୁ ଦୁଃଖର ସହ କହିଛନ୍ତି । ପ୍ରଶାସନ ତାଙ୍କୁ ଯେଉଁଠି ରଖିବ ସେଠାରେ ହିଁ ରହିବେ ବୋଲି ଦୁଃଖର ସହିତ କହିଛନ୍ତି ।