ଘାରିଲାଣି ଭୟ : ରାଜନେତାଙ୍କୁ କରୋନା, ଅଞ୍ଚଳ ପରିଦର୍ଶନରେ ଯାଉଥିବା ନେତା ଏବେ ଛାନିଆ

Published By : Prameya-News7 Bureau | August 10, 2020 IST

ଭୁବନେଶ୍ୱର ୧୦।୦୮: ମନରେ ଭୟ, ଆଶଙ୍କା । ଛାତିରେ ଛନକା । କେତେବେଳେ ବି କରୋନା ସଂକ୍ରମିତ କରିପାରେ । ଏମିତି ଭୟ ଏବେ ଘାରିଛି ରାଜ୍ୟର ରାଜନେତାଙ୍କୁ । ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ କରୋନା ପଜିଟିଭ୍‌ ଆସିବା ପରେ ଭୟ ବେଶି ଗୋଡ଼ାଇଛି । ବିନା ଲକ୍ଷଣରେ ଶ୍ରୀ ପୂଜାରୀ ପଜିଟିଭ୍‌ ଚିହ୍ନଟ ହେବା ପରେ ଏବେ ବହୁ ରାଜନେତାଙ୍କ ନିଜ ଉପରେ ସନ୍ଦେହ ଆସିଲାଣି । ଲକ୍ଷଣ ନଥିଲେ ମଧ୍ୟ ନମୁନା ପରୀକ୍ଷା କରିବାକୁ ଅନେକ ବିଚାର କରୁଛନ୍ତି ।

ରାଜ୍ୟରେ କରୋନା ଏବେ ଦ୍ରୁତ ଗତିରେ ମାଡ଼ି ଚାଲିଛି । ଗତ ସପ୍ତାହକ ମଧ୍ୟରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଡେଇଁଲାଣି । ଅଗଷ୍ଟ ମାସରେ କରୋନା ଯେ ସଂଗିନ୍‌ ପରିସ୍ଥିତି ଛିଡ଼ା କରାଇବ ତାହା ଏବେଠାରୁ ଜଳଜଳ । ଏଭଳି ସମୟରେ ଜଣକ ପରେ ଜଣେ ରାଜନେତା କରୋନାରେ ସଂକ୍ରମିତ ହେବା ପରେ ବହୁ ଅନେକଙ୍କ ମନରେ ଭୟ ସଂଚାର ହୋଇଛି ।

ରାଜ୍ୟରେ ପ୍ରଥମ କରି ନୀଳଗିରି ବିଜେପି ବିଧାୟକ ସୁକାନ୍ତ ନାୟକ କରୋନା ସଂକ୍ରମଣର ଶିକାର ହେଲେ । ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ପରଲୋକରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ତାଙ୍କ ସହ ମଞ୍ଚରେ ଥିବା ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ଲକ୍ଷଣ ଦେଖାଦେଲା । ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍‌ ଆସିଲା ।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଏ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ଥିଲେ । ସେ ମଧ୍ୟ କ୍ୱାରେଣ୍ଟାଇନରେ ରହିଲେ । ମାତ୍ର ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିଥିଲା । ଏ ଖବର ପରେ ରାଜ୍ୟର ସାଂସଦ, ବିଧାୟକ ଓ ମନ୍ତ୍ରୀମାନେ ସତର୍କ ହୋଇ ପଡ଼ିଲେ । ତେବେ ନୀଳଗିରି ବିଧାୟକ ଶ୍ରୀ ନାୟକ ବିଧାନସଭାର ଷ୍ଟାଣ୍ଡିଂ କମିଟି ବୈଠକରେ ଉପସ୍ଥିତ ଥିଲେ । ଏ ବୈଠକରେ ବହୁ ବିଧାୟକ, ବରିଷ୍ଠ ପ୍ରଶାସନିକ ଅଧିକାରୀ ବି ଥିଲେ । ସମସ୍ତଙ୍କ କୋଭିଡ ଟେଷ୍ଟ ହେଲା । ମାତ୍ର ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଲା । ହେଲେ ଏହାପରେ ରାଜନେତାଙ୍କୁ କରୋନା ସଂକ୍ରମଣରେ ବ୍ରେକ୍‌ ଲାଗିଲାନି । ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଓ ପରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ପତ୍ନୀ ବି ପଜିଟିଭ ବାହାରିଲେ। ଜଣକ ପରେ ଜଣେ ବିଧାୟକ ସଂକ୍ରମିତ ହେବା ପରେ ଡର ଆହୁରି ଗ୍ରାସିଥିଲା । ଅବଶ୍ୟ ଲକଡାଉନ୍‌ କଟକଣାରୁ ବିଧାୟକ, ସାଂସଦ କି ମନ୍ତ୍ରୀମାନେ ସର୍ବସାଧାରଣକୁ ଏତେ ଯାଉନଥିଲେ । ସଭା ସମିତି ତ ପୂରାକୁ ପୂରା ବନ୍ଦ ଥିଲା । ମାତ୍ର ଏବେ କଟକଣା କୋହଳ ହେବା ପରେ ନିର୍ବାଚନମଣ୍ଡଳୀର ବହୁ ଲୋକ ବିଭିନ୍ନ କାମରେ କ୍ୱାର୍ଟର୍ସ ଭେଟିବାକୁ ଆସୁଛନ୍ତି ।

ବିଧାୟକ ଓ ମନ୍ତ୍ରୀମାନେ ଧୀରେ ଧୀରେ ନିଜ ଅଞ୍ଚଳକୁ ଯାଉଛନ୍ତି । ଲୋକଙ୍କୁ ଭେଟୁଛନ୍ତି । ମୁଖ୍ୟମନ୍ତ୍ରୀ ପ୍ଲାଜ୍‌ମା ସଂଗ୍ରହ ପାଇଁ ଗୁରୁ ଦାୟିତ୍ୱ ଦେଇଥିବାରୁ ମନ୍ତ୍ରୀମାନେ ମଧ୍ୟ ଜିଲ୍ଲାଗସ୍ତରେ ବାହାରିଲେଣି । ବିଧାୟକମାନେ ମଧ୍ୟ ନିଜ ଅଞ୍ଚଳରେ ବୁଲାବୁଲି କରୁଛନ୍ତି । ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନାରେ ସଂକ୍ରମିତ ହୋଇ ମେଦାନ୍ତ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ଶନିବାର ବରଗଡ଼ ସାଂସଦ ଶ୍ରୀ ପୂଜାରୀଙ୍କ ପଜିଟିଭ୍‌ ଚିହ୍ନଟ ପରେ ରାଜନେତାଙ୍କ ଚିନ୍ତା ବଢ଼ିଛି । ଶ୍ରୀ ପୂଜାରୀଙ୍କ କରୋନାର କିଛି ବି ଲକ୍ଷଣ ନଥିଲା । ମାତ୍ର ସେ ନିଜଆଡୁ ପରୀକ୍ଷା କରିବାରୁ ପଜିଟିଭ୍‌ ଚିହ୍ନଟ ହୋଇ ଏବେ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି । ଏ ଖବର ପ୍ରଚାର ପରେ ବାହାରକୁ ଯାଉଥିବା ଏବଂ ଲୋକଙ୍କୁ ଭେଟୁଥିବା ବହୁ ମନ୍ତ୍ରୀ ଓ ବିଧାୟକ କରୋନା ପରୀକ୍ଷଣ ପାଇଁ ଚିନ୍ତା କରୁଛନ୍ତି । ଅଗଷ୍ଟ ଶେଷ ଯାଏ କ୍ୱାର୍ଟର୍ସ ବୈଠକଖାନାରେ କାହାକୁ ନ ଭେଟିବାକୁ ମଧ୍ୟ ବିଚାର କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.