Coronavirus: ଏବେ ଚୀନ ରାସ୍ତାଘାଟରେ ମିଳୁଛି ଲୋକଙ୍କ ଶବ
2/02/2020 at 4:07 PM

ବେଜିଂ ୨।୨: ଚୀନରେ କରୋନା ଭୂତାଣପୁ ସଂକ୍ରମଣ ଏବେ ଗୁରୁତର ରୂପ ଧାରଣ କରିଛି। ସଂକ୍ରମଣ ନିୟନ୍ତ୍ରଣ ଲାଗି ସରକାରଙ୍କର ସମସ୍ତ ଉଦ୍ୟମ ବିଫଳ ହୋଇଛି। ଦେଶରେ ଏବେ ପରିସ୍ଥିତି ଏପରି ହୋଇଛି ଲୋକେ ରାସ୍ତାରେ ଚାଲୁଚାଲୁ ମରିପଡୁଛନ୍ତି। ଏଣୁ ଏଠୁ ସେଠୁ ଏବେ ଭୂତାଣୁ ସଂକ୍ରମିତଙ୍କ ମୃତ ଦେହ ମିଳିବା ଆତଙ୍କର କାରଣ ପାଲଟିଲାଣି।

ଚୀନ ଉହାନରେ ଏବେ ସ୍ଥିତି ସବୁଠୁ ଉଦବେଗଜନକ। ବିଦେଶୀ ଗଣମାଧ୍ୟମ ‘ସନ୍’ର ଏକ ରିପୋର୍ଟରେ ମାସ୍କ ଲଗାଇ ସାଇକେଲରେ ଯାଉଥିବା ଜଣେ ପଥଚାରୀ ଅଚାନକ ରାସ୍ତା ଉପରେ ପଡିଯାଇଥିଲେ। ତାଙ୍କ ନିକଟକୁ ଡାକ୍ତରୀ ଟିମ୍ ପହଞ୍ଚି ପରୀକ୍ଷା କରିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। କେବଳ ରାସ୍ତାରେ ଯାଉଥବା ସାଇକେଲ ଆରୋହୀ ନୁହଁନ୍ତି ଲୋକେ ରାସ୍ତାରେ ଚାଲୁଚାଲୁ ବି ଟଳିପଡୁଛନ୍ତି ଓ ସେହିଠାରେ ତାଙ୍କର ପ୍ରାଣ ଚାଲିଯାଉଥିବା ଲୋକେ କହୁଛନ୍ତି। ଏପରିକି ଚିକିତ୍ସା ଲାଗି ହସ୍ପିଟାଲ ରିସିପସନରେ ବି ଲୋକେ ଟଳିପଡି ମରୁଥିବାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।

ସରକାରୀ ଭାବେ ଏପର୍ଯ୍ୟନ୍ତ ଦେଶରେ ୨୫୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୧୨ ହଜାର ଲୋକ ସଂକ୍ରମିତ ହୋଇଥିବା କୁହାଯାଉଛି। ତେବେ ବିଦେଶୀ ଗଣମାଧ୍ୟମର ଚିତ୍ରରୁ ଏହା ମହାମାରୀ ରୂପ ନେଇଥିବାର ଏବେ ଅନୁମାନ କରାଗଲାଣି। ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣଏବେ ସରକାରଙ୍କ ଲାଗି ସବୁଠୁ ବଡ ଚାଲେଞ୍ଜ ହୋଇ ଉଭା ହୋଇଥିବା ବେଳେ ଏବେ ନାଗରିକଙ୍କୁ ସରକାର ମାସ୍କ ଯୋଗାଇ ପାରୁନାହାନ୍ତି। ଭୂତାଣୁ ସଂକ୍ରମଣ ରୋକିବା ଲାଗି ମାସ୍କର ଅଭାବ ସବୁଠାରୁ ବଡ ବାଧକ ବୋଲି ଏବେ ବିଚାର କରାଯାଉଛି।

ଏମିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) କରୋନା ଭାଇରସକୁ ନେଇ ବୈଶ୍ୱିକ ସ୍ୱାସ୍ଥ୍ୟ ଜରୁରିକାଳୀନ ପରିସ୍ଥିତି ଜାରି କରିଛନ୍ତି। ଏଥିରେ ସବୁ ଦେଶଙ୍କୁ ଦାୟିତ୍ୱବାନ ହେବା ଲାଗି ଚୀନ ନିବେଦନ କରିଥିବା ବେଳେ ପ୍ରସଙ୍ଗକୁ ନେଇ ମାତ୍ରାଧିକ ପ୍ରତିକ୍ରିୟା ପ୍ରକାଶ କରିବାର କୌଣସି ଅବଶ୍ୟକତା ନାହିଁ ବୋଲି କହିଛି। ସେପଟେ ଦେଶରେ ନାଗରିକଙ୍କ ସମେତ ବିଦେଶୀ ନାଗରିକଙ୍କ ସୁରକ୍ଷା ଲାଗି ସଂକଳ୍ପ ବଦ୍ଧ ବୋଲି ଚୀନ ବିଦେଶମନ୍ତ୍ରୀ ୱାଙ୍ଗ ୟୀ କହିଛନ୍ତି।