ଭାରତରେ କାୟା ବିସ୍ତାର କରୁଛି କରୋନା : ୟୁରୋପ, ବ୍ରିଟେନ୍, ତୁର୍କୀରୁ ଭାରତ ଆସିବା ମନା

Published By : Prameya-News7 Bureau | March 17, 2020 IST

ନୂଆଦିଲ୍ଲୀ ୧୭।୩: ସାରା ଦେଶରେ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ୧୧୫କୁ  ବୃଦ୍ଧି  ।   ଆସନ୍ତା  ୩୧ ଯାଏଁ ଦେଶର ସବୁ ଶିକ୍ଷାନୁଷ୍ଠାନ ବନ୍ଦ  । କରୋନା ଭାଇରସ୍ ସଂକ୍ରମଣ ରୋକିବାକୁ ଭାରତ ସରକାର ୩୨ ୟୁରୋପୀୟ ଦେଶମାନଙ୍କ ଉପରେ କଟକଣା ଜାରି କରିଛନ୍ତି । ଆମ ରାଜ୍ୟରେ  ଏପ୍ରିଲ  ୧୫ ଯାଏଁ  କଟକଣା ଜାରି ହୋଇଛି  । ଏନେଇ ମୁଖ୍ୟମନ୍ତ୍ରୀ  ଟ୍ବିଟ୍  କରି ଜଣାଇଛନ୍ତି  । ଏହିସବୁ ୟୁରୋପୀୟ ଦେଶମାନଙ୍କରୁ ଯାତ୍ରୀ ଆଣିପାରିବେ ନାହିଁ ବିମାନ ।  ଆସନ୍ତା ୧୮ ତାରିଖ ସନ୍ଧ୍ୟା ୫ଟା ୩୦ରୁ ଏହି କଟକଣା କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମହା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ।  ୟୁରୋପୀୟ ସଂଘର ସମସ୍ତ ରାଷ୍ଟ୍ର ଏବଂ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘର ସଦସ୍ୟ ରାଷ୍ଟ୍ର ଉପରେ ଏହି କଟକଣା ଲାଗୁ ହେବ ।  ଏସବୁ ୟୁରୋପୀୟ ଦେଶମାନଙ୍କରୁ ଆସୁଥିବା ଯାତ୍ରୀମାନଙ୍କୁ ଭାରତ ନ ଆସିବାକୁ ପରାମର୍ଶ ଦିଆଯାଇଛି ।

ସେହିଭଳି ସଂଯୁକ୍ତ ଆରବ ଏମିରେଟ୍ ସ, କତାର, ଓମାନ୍ , କୁଏତ ଭଳି ୪ଟି ଦେଶରୁ ଆସୁଥିବା ଯାତ୍ରୀଙ୍କୁ ୧୪ ଦିନ ପାଇଁ କ୍ବାରେଣ୍ଟିନ୍  କେନ୍ଦ୍ରରେ ରଖାଯିବ । ଏହା ପୂର୍ବରୁ କେନ୍ଦ୍ର ସରକାର ଚୀନ୍, ଇଟାଲି, ଇରାନ, କୋରିଆ, ଫ୍ରାନସ, ସ୍ପେନ୍ ଏବଂ ଜର୍ମାନୀରୁ ଆସୁଥିବା ଯାତ୍ରୀଙ୍କ ପାଇଁ ୧୪ ଦିନିଆ କ୍ବାରେଣ୍ଟିନକୁ ବାଧ୍ୟତାମୂଳକ କରିଥିଲେ । ଦେଶରେ  ଆକ୍ରାନ୍ତ ୧୧୫ଜଣଙ୍କ ମଧ୍ୟରୁ ୧୩ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କେବଳ ଦୁଇ ଜଣ କରୋନା ଆକ୍ରାନ୍ତଙ୍କର ଭାରତରେ ଏବେ ସୁଦ୍ଧା ମୃତ୍ୟୁ ହୋଇଛି । 

ପୂର୍ବ ଭାରତରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଜଣେ ବ୍ୟକ୍ତିଙ୍କଠାରେ କରୋନା ଭୂତାଣୁ ପଜିଟିଭ ଥିବା ଜଣାଯାଇଛି । ମହରାଷ୍ଟ୍ରରେ ୧୮ଟି ମାମଲା ସ୍ପଷ୍ଟ ହୋଇଛି। ମହାରାଷ୍ଟ୍ରରେ ସମୁଦାୟ ୩୮ ଜଣ ଭାଇରସ୍  ଆକ୍ରାନ୍ତ ହୋଇଛନ୍ତି । କରୋନା ପାଇଁ ସୁପ୍ରିମକୋର୍ଟ ଆଇନଜୀବୀ, ସାମ୍ବାଦିକ ଏବଂ ମକଦ୍ଦମାକାରୀମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଛି। ଏଥିସହିତ ଦେଶର ଜେଲ୍ ଗୁଡ଼ିକରେ ଅଧିକ ସଂଖ୍ୟକ ବନ୍ଦୀ ରହୁଥିବାରୁ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ।

ବିଶେଷକରି ଏବେ କରୋନା ଭୂତାଣୁ ବ୍ୟାପୁଥିବା ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ନିଜଆଡ଼ୁ ଏହାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି । ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଏବଂ କାରାଗାର ଦାୟିତ୍ବରେ ଥିବା ମହା ନିର୍ଦ୍ଦେଶକମାନଙ୍କୁ ନୋଟିସ ପଠାଇଛନ୍ତି । ଏଥିପାଇଁ କ’ଣ ପଦକ୍ଷପେ ନିଆଯାଇଛି ତାହା ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ଜଣାଇବାକୁ ସୁପ୍ରିମକୋର୍ଟ ତାଙ୍କ ନୋଟିସ୍ ରେ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.