କମିବାର ନାଁ ନେଉନି କରୋନା: ସଂକ୍ରମିତ ସଂଖ୍ୟାରେ ଚୀନ୍‌କୁ ଟପିଲା ଆମେରିକା, ଇଟାଲୀରେ ମଡକ, ବିଶ୍ବରେ ମୃତ୍ୟୁ ସଂଖ୍ୟା ୨୪ ହଜାର ୮୭୫

Published By : Prameya-News7 Bureau | March 27, 2020 IST

ନୂଆଦିଲ୍ଲୀ୨୭/୩: କରୋନା ଭାଇରସ୍ କବଜାରେ ଏବେ ବିଶ୍ଵର ୧୯୭ ଦେଶ । ସଂକ୍ରମଣରେ ଚୀନ ଏବଂ ଇଟାଲିକୁ ଟପିଯାଇଛି ଆମେରିକା। ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଆମେରିକାରେ। ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୬ ହଜାର ଟପିଛି । ଏହା ସହିତ ମୃତ୍ୟୁ ସଂଖ୍ୟା ୧୩ଶହ ଟପିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଚୀନ ପ୍ରତିପକ୍ଷ ସି ଜିଙ୍ଗପିଙ୍ଗଙ୍କ ସହିତ ଆଲୋଚନା କରିଛନ୍ତି।  ଟ୍ବିଟ୍  କରି ଟ୍ରମ୍ପ ଜଣାଇଛନ୍ତି ଯେ ଜିଙ୍ଗ ପିଙ୍ଗଙ୍କ ସହିତ ତାଙ୍କର ଆଲୋଚନା ଖୁବ୍ ସକାରାତ୍ମକ ଥିଲା । 

ଜିଙ୍ଗପିଙ୍ଗ ଶୁକ୍ରବାର ଟ୍ରମ୍ପଙ୍କୁ ଫୋନ୍  କଲ କରିଥିଲେ।  ଦୁଇ ଦେଶ ମଧ୍ୟରେ ସଂପର୍କ ବୃଦ୍ଧି କରିବା ଲାଗି ଆହ୍ବାନ ଦେଇଥିଲେ। ଗତ କିଛି ଦିନ ଧରି  କରୋନା ବ୍ୟାପିବାକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୈତିର ଆରୋପ ପ୍ରତ୍ୟାରୋପ  ଜୋର ଧରିଥିଲା। ସେପଟେ କରୋନା ବିରୋଧରେ ଯେତେବେଳେ ସାରା ବିଶ୍ବ ଏକାଠି ହେବାକୁ ଯାଉଛି ସେତେବେଳେ କିନ୍ତୁ ଚୀନ୍ ଏହାର ସାଥ୍ ଦେଉନାହିଁ। ଜାତିସଂଘ ସୁରକ୍ଷା ପରିଷଦରେ କରୋନା ସଂପର୍କରେ ଆଲୋଚନା ପାଇଁ ପ୍ରସ୍ତାବ ଆସିବା ପରେ ଏହାକୁ ଚୀନ୍  ବିରୋଧ କରିଛି।

ସାରା ବିଶ୍ଵରେ ୫ଲକ୍ଷ ୫୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଅଢ଼େଇ ଲକ୍ଷରୁ ଅଧିକ କେବଳ ୟୁରୋପ ମହାଦେଶରେ ଠାବ ହୋଇଛନ୍ତି। ବିଶ୍ଵବ୍ୟାପୀ ମୃତ୍ୟୁ ସଂଖ୍ୟା ପାଖାପାଖି ୨୪ ହଜାର ୮୭୫ ଛୁଇଁଛି । ୧ ଲକ୍ଷ ୨୯ ହଜାର ଭଲ ହୋଇ ଘରକୁ ଫେରିଛନ୍ତି । ଇଟାଲୀରେ ସର୍ବାଧିକ ୮୨୧୫ ଜଣ ପ୍ରାଣ ହରାଇଛନ୍ତି। ଏହା ପଛକୁ ସ୍ପେନରେ ୪୮୫୮, ଚୀନରେ ୩୨୯୨, ଇରାନରେ ୨୩୭୮ ଏବଂ ଫ୍ରାନ୍ସରେ ୧୬୯୬ଙ୍କ ମୃତ୍ୟୁ ହୋଇଛି।

ପଶ୍ଚିମ-ଏସୀୟ ଦେଶ ଇରାନରେ କରୋନା ଭାଇରସ ନାହିଁ ନଥିବା ସ୍ଥିତି ସୃଷ୍ଟି କରିଛି। ଦେଶରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଅସହାୟ ହୋଇପଡ଼ିଛନ୍ତି ଇରାନ ସରକାର। ଲୋକେ ସରକାରଙ୍କ ଉପରେ ବିଶ୍ୱାସ ହରାଇ ଏବେ ବିଭିନ୍ନ ଗୁଜବ ଉପରେ ବିଶ୍ୱାସ କରିବା ଆରମ୍ଭ କରିଦେଇଛନ୍ତି। ଗୁଜବକୁ ବିଶ୍ୱାସ କରି ମିଥାନଲ ପିଇଦେବାରୁ ଇରାନରେ ପ୍ରାୟ ୩୦୦ ଶହ ଲୋକଙ୍କ ମୃତ୍ୟୁ ହେବା ସହ ୧ ହଜାରରୁ ଅଧିକ ଲୋକ ଗୁରୁତର ହୋଇପଡିଥିବା ଖବର ଆସିଛି । ଗତ ୨୪ ଘଣ୍ଟାରେ ଦେଶରେ ୩ ହଜାର ନୂଆ ମାମଲା ସାମନାକୁ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.