ରୁଷ ରାଷ୍ଟ୍ରପତି ପୁଟିନଙ୍କ ନିକଟତର କରୋନା ପଜିଟିଭ୍, ନିଜକୁ କଲେ ଆଇସୋଲେଟ୍

Published By : Prameya-News7 Bureau | September 14, 2021 IST

ମସ୍କୋ ୧୪।୦୯: ରୁଷର ରାଷ୍ଟ୍ରପତି ଭ୍ଲାଦିମିର  ପୁଟିନ୍‌ଙ୍କ ଜଣେ ନିକଟତର କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପରେ ପୁଟିନ ସତର୍କତାମୂଳକ ନିଜକୁ ସଙ୍ଗରୋଧ କରିଛନ୍ତି। ଏହି କାରଣରୁ ପୁଟିନ୍ ଆଞ୍ଚଳିକ ସୁରକ୍ଷା  ବୈଠକ ପାଇଁ ଚଳିତ ସପ୍ତାହରେ ତାଜିକିସ୍ତାନ ଯାତ୍ରା କରିବେ ନାହିଁ।

କ୍ରେମଲିନର ମୁଖପାତ୍ର ଦିମିତ୍ରି ପେସ୍କୋଭ ମଙ୍ଗଳବାର ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି ରାଷ୍ଟ୍ରପତିଙ୍କ ପୁଟିନଙ୍କ ନିକଟତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ପରେ ପୁଟିନ୍ ରାଷ୍ଟ୍ରପତି ଭବନରେ ନିଜକୁ ଆଇସୋଲେଟ୍ କରିଛନ୍ତି। ସୋମବାର ରୁଷ ରାଷ୍ଟ୍ରପତି ଅନେକ  ସାର୍ବଜନୀନ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ। ସେ ରୁଷି ପାରା ଅଲିମ୍ପିକ୍ସ ବିଜେତାଙ୍କୁ ଭେଟି ସେମାନଙ୍କୁ ସମ୍ମାନିତ କରିଥିଲେ।  ବେଲାରୁସ ସହ ସମନ୍ଵୟରେ ଆୟୋଜିତ ସୈନ୍ୟ ଅଭ୍ୟାସରେ ଭାଗ ନେଇଥିଲେ। ସିରିଆ ରାଷ୍ଟ୍ରପତି  ବଶର ଅସଦଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ ପୁଟିନ୍।

ଏହି ସମୟରେ ତାଙ୍କ ନିକଟତର ଲୋକ କରୋନା ପଜିଟିଭ୍ ଚିହ୍ନଟ ପରେ ପୁଟିନ୍ ନିଜର କରୋନା ପରୀକ୍ଷଣ କରାଇଥିଲେ। ରିପୋର୍ଟ ନେଗେଟିଭ୍ ଆସିଥିବା ସୂଚନା ଦେଇଛନ୍ତି କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସ୍କୋଭ। ଗତ ବର୍ଷ ରୁଷରେ କୋଭିଡ୍-୧୯ ବିରୋଧରେ ବ୍ୟାପକ ଟିକାକରଣ ଅଭିଯାନ ଆରମ୍ଭ ହେବା ପରେ  ରାଷ୍ଟ୍ରପତି ପୁଟିନ୍ ଟିକା ନେଇଥିଲେ। ହେଲେ ପୁଟିନ୍ କେଉଁ ଭ୍ୟାକ୍ସିନ ନେଇଥିଲେ ରାଷ୍ଟ୍ରପତିଙ୍କ ମୁଖପାତ୍ର ଏହାର ଖୁଲାସା କରି ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.