ବ୍ରିଟେନରେ କରୋନା ଆତଙ୍କ: ଶନିବାର ପ୍ରାଣ ହରାଇଲେ ୯୧୭ ଜଣ, ମୃତ୍ୟୁ ସଂଖ୍ୟା ୧୦ ହଜାର ପାର
11/04/2020 at 9:44 PM

ଲଣ୍ଡନ ୧୧।୦୪: କରୋନା ଭାଇରସ୍ ମହାମାରୀ ସମଗ୍ର ଦୁନିଆରେ ହାହାକାର ସୃଷ୍ଟି କରିଛି। ଲକ୍ଷାଧିକ ସଂଖ୍ୟାରେ ଲୋକ ସଂକ୍ରମିତ ହେଉଥିବା ବେଳେ ଏକ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ୟୁରୋପର ଦେଶ ବ୍ରିଟେନ୍ରେ ମଧ୍ୟ କରୋନା ସ୍ଥିତି ଦୟନୀୟ ହୋଇ ପଡିଛି। ଶନିବାର କରୋନା ଭାଇରସ୍ରେ ୯୧୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହା ସହିତ ଦେଶରେ କରୋନା ଜନିତ ମୃତକଙ୍କ ସଂଖ୍ୟା ୧୦ ହଜାର ଅତିକ୍ରମ କରିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛନ୍ତି।
ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ତାଜା ସୂଚନା ଅନୁଯାୟୀ ଶନିବାର ଯାଞ୍ଚ ପରେ ୫୨୩୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ସହିତ ସଂକ୍ରମିତଙ୍କ ସଂଖ୍ୟା ୭୮ ହଜାର ୯୯୧କୁ ବୃଦ୍ଧି ଘଟିଛି। ଦେଶରେ ସ୍ଥିତି ବିଗିଡିବାରେ ଲାଗିଛି। ଅନ୍ୟପଟେ ମୃତ୍ୟୁ ସଂଖ୍ୟା ମାମଲାରେ ଆମେରିକା ଇଟାଲୀକୁ ଶୀଘ୍ର ଟପିବାକୁ ଯାଉଛି। ଆମେରିକାରେ ଏ ପର୍ଯ୍ୟନ୍ତ ୧୮,୫୮୬ ଜଣ ମୃତ୍ୟୁ ଘଟିଥିବା ବେଳେ ଇଟାଲୀରେ ୧୮,୮୪୯ ଜଣଙ୍କ ମୃତ୍ୟୁ ଘଟିଛି।
ଉଲ୍ଲେଖଯୋଗ୍ୟ, ସମଗ୍ର ଦୁନିଆରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟି ୧୭ ଲକ୍ଷ ୧୫ ହଜାର ୧୪୩ରେ ପହଞ୍ଚିଛି। ଏହି ମହାମାରୀରେ ୧ ଲକ୍ଷ ୩ ହଜାର ୮୭୪ ଜଣଙ୍କ ପ୍ରାଣହାନୀ ଘଟିଛି। ସଂକ୍ରମଣକୁ ରୋକିବା ପାଇଁ ବିଶ୍ଵର ଅନେକ ଦେଶରେ ଲକ୍ଡାଉନ୍ ଜାରି ରହିଛି।