ଆମେରିକାରେ ଭାରତୀୟ କରୋନା ଭାରିଏଣ୍ଟ୍, କାଲିଫର୍ଣ୍ଣିଆର ଜଣେ ରୋଗୀଙ୍କଠାରେ ଠାବ ହୋଇଛି ଭୂତାଣୁ

Published By : Prameya-News7 Bureau | April 05, 2021 IST

ନୂଆଦିଲ୍ଲୀ,୦୫/୦୪:   ବିଶ୍ୱରେ ଏବେସୁଦ୍ଧା କରୋନା ଭାଇରସର ୪ ଭାରିଏଣ୍ଟ ସାମ୍ନାକୁ ଆସି ସାରିଛି । ଯେଉଁଥିରେ ଦକ୍ଷିଣ ଆଫ୍ରିକା ଓ ବ୍ରିଟେନ ଭାରିଏଣ୍ଟକୁ ସବୁଠାରୁ ଘାତକ ବୋଲି କୁହାଯାଉଛି । କିନ୍ତୁ କରୋନା ଭାଇରସର ଭାରତୀୟ ଭାରିଏଣ୍ଟ ମଧ୍ୟ ସାମ୍ନାକୁ ଆସିଛି ଓ ଏହା ସାରା ବିଶ୍ୱରେ ବ୍ୟାପିବା ଆରମ୍ଭ ହୋଇଗଲାଣି । ଆମେରିକାର ଏହି ଭାରିଏଣ୍ଟ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି । ଗବେଷଣା ବେଳେ ଷ୍ଟାନଫୋର୍ଡ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏହା ବାବଦରେ ମତ ଦେଇଛନ୍ତି । ଏହି ମାମଲା ଉତ୍ତର କାଲିଫର୍ଣ୍ଣିଆରେ ଠାବ ହୋଇଛି।

ଷ୍ଟାନଫୋର୍ଡ ବିଶ୍ୱ ବିଦ୍ୟାଳୟର ହେଲଥ୍ କେୟାର ବିଭାଗର ମୁଖପାତ୍ର ଲିସା କିମ୍ କହିଛନ୍ତି ଯେ, ବୈଜ୍ଞାନିକମାନେ ଗବେଷଣା ବେଳେ କୋଭିଡ-୧୯ ଭାଇରସର ଭାରତୀୟ ଭାରିଏଣ୍ଟ ଠାବ କରିଛନ୍ତି । ଏହା ହେଉଛି ଆମେରିକାରେ ପ୍ରଥମ ମାମଲା । ଯେଉଁ ବ୍ୟକ୍ତିଙ୍କଠାରେ ଏହା ଠାବ ହୋଇଛି ସେ ସାନ ଫ୍ରାନସିସ୍କୋରେ ରହୁଛନ୍ତି ।

ରିପୋର୍ଟ ଅନୁସାରେ, ଭାରତୀୟ ଭାରିଏଣ୍ଟ ଡବଲ୍ ମ୍ୟୁଟେସନ୍ କରିସାରିଛି । ଯାହା ଘାତକ ଓ ଅଧିକ ସଂକ୍ରାମକ । ପୂର୍ବରୁ ବିଶ୍ୱର ଅନେକ ପ୍ରାନ୍ତରେ ୪ଟି ଭାରିଏଣ୍ଟ ରହିଛି । ପ୍ରଥମେ ଚୀନରୁ ସୃଷ୍ଟି ହୋଇଥିବା ଏହି ଭାଇରସ ସାରା ବିଶ୍ୱକୁ ବ୍ୟାପି ଯାଇଥିଲା ।ଏହାପରେ ଭାଇରସର ମ୍ୟୁଟେସନ ହୋଇ ଦକ୍ଷିଣ ଆଫ୍ରିକା ଓ ବ୍ରିଟେନ୍ ଭାରିଏଣ୍ଟ ହୋଇଥିଲା । ବ୍ରିଟେନ ଭାରିଏଣ୍ଟ ବେଲଜିୟମ ଓ ବ୍ରାଜିଲରେ ଆତଙ୍କ ଖେଳାଇ ସାରିଛି ।

ସୂଚନାଯୋଗ୍ୟ, ଗତ ମାସରେ ଭୂତାଣୁର ଇଣ୍ଡିଆନ୍ ଭାରିଏଣ୍ଟ ବାବଦରେ ଭାରତୀୟ ଅଧିକାରୀଙ୍କୁ ସୂଚନା ମିଳିଥିଲା । ଦେଶରେ ଗତ ୨ ମାସ ଧରି କରୋନା ମାମଲା ହ୍ରାସ ପାଇଥିବା ବେଳେ ହଠାତ ଏହା ବେକାବୁ ହୋଇ ପଢିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ କେସ୍ ସାମ୍ନାକୁ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.